ଦୁର୍ଘଟଣା : ବାଇକ୍କୁ ଧକ୍କା ଦେଲା ଅଟୋ
ଦିଗପହଣ୍ଡି : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନଙ୍ଗପୁର ନିକଟ ଲାଡିଗାଁ ଛକରେ ମଙ୍ଗଳବାର ରାତିରେ ଏକ ଦୁର୍ଘଟଣା ଘଟିଛି। ଅଟୋ ବାଇକ (ନଂ.ଓଡି ୦୭ ଏ ଭି -୮୪୩୯)କୁ ଧକ୍କା ଦେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣକ ହେଲେ ସଦର ଥାନା ନାରାୟଣ ପୁର ଗ୍ରାମର ବିକ୍ରମ ନାୟକ (୩୫)। ସେହିଭଳି ଗୁରୁତର ଆହତ ହୋଇଥିବା ଯୁବକ ଜଣକ ହେଲେ ଗଣିଆନାଳ ଗ୍ରାମର ସନିଆ ନାୟକ (୨୭)।ସନିଆଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସାପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସନିଆ ଏବଂ ବିକ୍ରମ ମିଶି ଏକ ବାଇକରେ ଦିଗପହଣ୍ଡି ଅଭିମୁଖେ ଆସୁଥିବା ବେଳେ ଅନ୍ୟଏକ ଅଟୋ ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଦିଗପହଣ୍ଡି ପୋଲିସ ଆହତଙ୍କୁ ଉଦ୍ଧାର କରି ବାଇକ ଜବତ କରିବା ସହ ତଦନ୍ତ ଚଳାଇଥିବା ଜଣାପଡିଛି।