ସ୍ୱାମୀଙ୍କ ମୃତୁ୍ୟ ପରେ ଅସହାୟ ସଂଯୁକ୍ତାଙ୍କ ପରିବାର
ନୂଆପଡାରୁ ପରମେଶ୍ୱର ବାରିକ : ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରୁ ପ୍ରତି ବର୍ଷ ଶହ ଶହ ଦାଦନ ଶ୍ରମିକ କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଇଥାନ୍ତି । ହେଲେ ସେଠାରେ କାମ କରି ଦୁଇ ପଇସା ରୋଜଗାର କରିବା ସହ ପରିବାର ପ୍ରତିପୋଷଣ ବଦଳରେ ଅନେକ ଶବ ହୋଇ ଘରକୁ ଫେରୁଛନ୍ତି । ତଥାପି ବାହାର ରାଜ୍ୟକୁ ଦାଦନ ଚାଲାଣ ହେବା ଥମୁନି । ଏହି ଅଞ୍ଚଳରେ ବାରମ୍ବାର ଏହିଭଳି ଘଟଣା ସାମ୍ନାକୁ ଆସୁଛି । ହେଲେ ସ୍ଥାନୀୟ ପ୍ରଶାସନର ଅଙ୍କୁଶ ନ ଥିବାରୁ ଅବାଧରେ ଦାଦନ ଚାଲାଣ ହେଉଛି । ଏବଂ ଅନେକ ଶ୍ରମିକ ମାନଙ୍କ ଜୀବନ ହାନି ଘଟୁଛି । ଏଭଳି ଏକ ଘଟଣା ଘଟିଛି ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଗୋଡାଲ ଗ୍ରାମରେ । ଗ୍ରାମର ଜଣେ ଦାଦନ ଶ୍ରମିକ ତେଲେଙ୍ଗାନରେ ବଜ୍ରାଘାତରେ ମୃତୁ୍ୟ ବରଣ କରିଥିବା ସୂଚନା ମିଳିଛି । ମୃତ ଶ୍ରମିକ ଜଣକ ଗୋଡାଲ ଗ୍ରାମର ଯତି ପଟେଲ (୩୬) ବୋଲି ଜଣାପଡ଼ିଛି । ପ୍ରାପ୍ତ ଖବର ଅନୁସାରେ ଗତ ବର୍ଷ ନଭେମ୍ବର ମାସ ରେ ଯତି ପଟେଲ, ସ୍ତ୍ରୀ ସଂଯୁକ୍ତା(୩୪) ଓ ଝିଅ ପୁଷ୍ପିତା (୧୧) ଏବଂ ପୁଅ କପିଳ(୭) ସପରିବାର ଦାଦନ ଖଟିବାକୁ ତେଲେଙ୍ଗାନା ରାଜ୍ୟକୁ ଯାଇଥିଲେ । ସେଠାରେ ଅନାରାମ ସହରରେ ଏକ ଇଟା ଭାଟିରେ ସମସ୍ତେ କାମ କରିଥିଲେ । ଇଟାଭାଟିରେ କାମ ସରିବା ପରେ ଅଶୋକ କୁମାରୀ ନାମକ ଜଣେ ମାଲିକଙ୍କ ଏକ ଗୋଫାର୍ମରେ ପରିବାର ରହି ମାସିକ ପନ୍ଦର ହଜାର ପାରିଶ୍ରମିକରେ କାମ କରୁଥିଲେ । ସ୍ୱାମୀ ଯତି ପଟେଲ ଗାଈ ମଇଁଷିକୁ ବାହାରକୁ ଚରାଇବାକୁ ନେଉଥିବା ବେଳେ ସ୍ତ୍ରୀ ଗୋଫାର୍ମରେ ରହି ଗାଈ ମଇଁଷିଙ୍କୁ ଖାଦ୍ୟପେୟ ଯୋଗାଉଥିଲେ । ଯତି ପଟେଲ ଗାଈ ମଇଁଷିକୁ ବିଲକୁ ଚରାଇ ନେଇଥିବା ବେଳେ ହଠାତ ଘଡଘଡି ସହ ବର୍ଷା ହୋଇଥିଲା । ବର୍ଷାରୁ ରକ୍ଷା ପାଇବା ପାଇଁ ସେ ଏକ ଗଛ ତଳେ ଆଶ୍ରୟ ନେଇଥିଲେ । ଠିକ ସେତିକି ବେଳେ ବଜ୍ରାଘାତ ଘଟି ତାଙ୍କ ମୃତୁ୍ୟ ହୋଇଥିବା ପରିବାର ପକ୍ଷରୁ ଜଣାପଡିଛି । ଏନେଇ ସଙ୍ଗାରେଡି ଜିଲା ଗୁମାରାଲା ଥାନା ରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଥିବା ଜଣାପଡିଛି । ପରିବାର ଲୋକେ ପହଞ୍ଚିବା ପରେ ସେଠାରେ ଶବ ବ୍ୟବଚ୍ଛେଦ କରି ଶବ ସକôାର କରାଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସ୍ୱାମୀଙ୍କ ମୃତୁ୍ୟ ପରେ ସ୍ତ୍ରୀ ଓ ଦୁଇ ନାବାଳକ ପୁଅଝିଅ ଅସହାୟ ହୋଇ ଗାଁକୁ ଫେରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଜତି ପଟେଲର ପରିବାର ଏକ ଗରୀବ ଶ୍ରେଣୀର ହୋଇଥିବା ବେଲେ ଦାରିଦ୍ର ସୀମାରେଖା ତଳେ ରହି ଜୀବିକା ନିର୍ବାହ କରୁଥିଲେ । ଜମିବାଡ଼ି କିଛି ନାହିଁ । ସମ୍ପତ୍ତି କହିଲେ କେବଳ ଘରଡିହ ଦୁଇ ଡ଼ିସିମିଲ ମାତ୍ର । କୁଲି ମଜୁରୀ କରି ଦୁଇ ପଇସା ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ପ୍ରତିପୋଷଣ କରି ଦୁଃଖ କଷ୍ଟରେ ଚଳୁଥିଲେ । ହେଲେ ବର୍ତ୍ତମାନ ପରିବାର ଭାଙ୍ଗି ପଡିଥିବା ବେଲେ ସ୍ୱାମୀଙ୍କ ମୃତୁ୍ୟ ଚିନ୍ତାରେ ଘାରି ହେଉଛନ୍ତି ପରିବାର । ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।