ସାର୍ବଜନୀନ ଇତିହାସ ବନାମ ପ୍ରଭାବୀ ଇତିହାସ


ଡ. ରଜତ କାନ୍ତ ଦାଶ : ବହୁତ ଲୋକ ଇତିହାସକୁ ଭଲପାଆନ୍ତି  । କେତେକ ଲୋକ ଅଳ୍ପ ବୟସରୁ ଇତିହାସରେ ଗଭୀର ରୁଚି ରଖୁଥିବାବେଳେ କିଛି ଲୋକ ଅବସର ଗ୍ରହଣ କରିବା ପରେ ଇତିହାସକୁ ଅବଲୋକନ କରନ୍ତି  । ଇତିହାସରୁ ମଜା ନେବା ପାଇଁ କିମ୍ବା ଐତିହାସିକ ହେବା ପାଇଁ ଏକ ଡ୍ରିଗ୍ରୀର ନିତ୍ୟାନ୍ତ ଆବଶ୍ୟକତା ନାହିଁ  । ଇତିହାସକୁ ଦେଖିବା ପାଇଁ କିଛି ଠିକ୍ କିମ୍ବା ଭୁଲ ପଥ ନାହିଁ  । ଇତିହାସ ଘଟିଯାଇଥିବା ଘଟଣା ଉପରେ ଆମକୁ ଏକ ଧାରାବିବରଣୀ ପ୍ରଦାନ କରିଥାଏ  । ଏହା କେବଳ ଆମକୁ ଘଟଣାଗୁଡିକ କପରି ଘଟିଥିଲା ତାହା ନୁହେଁ ବରଂ କାହିଁକି ନିର୍ଦ୍ଦିଷ୍ଟ ଘଟଣା ଘଟିଲା ତାର କାରଣ, ପରିଣାମ ଓ ପ୍ରଭାବ ଉପରେ ଉଲ୍ଲେଖନୀୟ ତଥ୍ୟ ପ୍ରଦାନ କରେ  । ଇତିହାସ ସର୍ବଦା ଯୁକ୍ତିସଂଗତ, ସନ୍ତୁଳିତ, ବିଚାରବନ୍ତ ଏବଂ ବିଜ୍ଞାନ ସମ୍ମତ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ଐତିହାସିକମାନେ ମତପୋଷଣ କରନ୍ତି  । ତେବେ ଏଠାରେ ପ୍ରଶ୍ନ ଉଠେ ଯେ ସର୍ବସାଧାରଣରେ ପୁରାଣ ଏବଂ ଲୋକକଥାକୁ ଆଧାର କରି ଲିଖିତ ଅତୀତର ଘଟଣାବଳୀଗୁଡିକ ଇତିହାସ ଭାବନା ସୃଷ୍ଟି କରନ୍ତି କି ନାହିଁ ? ଆମେ ଛୋଟ ପିଲାବେଳେ ବୁଢିମା, ବୁଢା ବାପା ଓ ବୟୋଜ୍ୟେଷ୍ଠମାନଙ୍କଠାରୁ ଶୁଣିଥିବା ଆମ ଅଞ୍ଚଳର ପୂର୍ବପୁରୁଷଙ୍କ ସହିତ ଜଡିତ ବୀରତ୍ୱର ଗାଥା ଏବଂ ମହାନ ସଫଳତା ସବୁ ଇିତିହାସ ନା ନୁହେଁ ? ଏହା ସତ୍ୟ ଯେ ମହାବିଦ୍ୟାଳୟରେ ପଢାଯାଇଥିବା ଇତିହାସ ଲେଖାଗୁଡିକ ନିର୍ଦ୍ଧିଷ୍ଟ ଉସô, ବିଜ୍ଞାନସମ୍ମତ ଏବଂ ତର୍କପୂର୍ଣ୍ଣ ତଥ୍ୟ ଉପରେ ଆଧାରିତ  । ସ୍କୁଲ ଏବଂ କଲେଜରେ ପଢାଯାଉଥିବା ବିଜ୍ଞାନସମ୍ମତ ଇତିହାସ ପୁରାଣ ଓ ଲୋକଗାଥାଗୁଡିକୁ କିମ୍ବଦନ୍ତୀ କହି ପ୍ରତ୍ୟାଖାନ କରୁଥିବାବେଳେ ସେଗୁଡିକୁ ଐତହାସିକ ଉସô ଭାବେ ଗ୍ରହଣ କରିଥାଏ  । ତେଣୁ କେଉଁ ଲେଖା ଇତିହାସ ପରିସରଭୁକ୍ତ ଓ କେଉଁ ଲେଖାକୁ ଇତିହାସରେ ଗଣାଯିବ ନାହିଁ, ତାହା ନେଇ ବଡ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି  ।
ବ୍ରିଟିଶ ଶାସନ କାଳରୁ ଭାରତରେ ପଢାଯାଉଥିବା ଇତିହାସ ଅନୁସାରେ ପ୍ରାଚୀନ ଭାରତରେ କୌଣସି ଯୁକ୍ତିଯୁକ୍ତ ଏବଂ ବିଜ୍ଞାନସମ୍ମତ ଇତିହାସ ଲେଖା ହୋଇନାହିଁ  । ଭାରତରେ ଇତିହାସ ଲେଖା ମୁସଲିମଙ୍କ ଆଗମନ ସହ ଆରମ୍ଭ ହୋଇଛି  । ଏହା ପୂର୍ବରୁ ଯେଉଁ ଲେଖା ଥିଲା ତାହାକୁ ସମ୍ପୂର୍ଣ୍ଣ ରୂପେ ଇତିହାସ କୁହାଯାଇନପାରେ  । ଭାରତରେ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଇତିହାସ ଲେଖା କେବଳ ଇଂରେଜମାନଙ୍କ ଆଗମନ ସହ ଆରମ୍ଭ ହୋଇଛି  । ତେବେ ଗତ କିଛି ଦଶକ ମଧ୍ୟରେ ଇତିହାସ ଲେଖାରେ ବ୍ୟାପକ ପରିବର୍ତ୍ତନ ଘଟିଛି ଏବଂ ଐତିହାସିକଙ୍କ ଏଭଳି ମତକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରାଯାଇ ସାରିଛି  । ପେସାଦାର ଇତିହାସ ଲେଖାର ପରପନ୍ଥୀ ଆଞ୍ଚଳିକ ଭାଷାରେ ପୁରାଣ-ଇତିହାସ ପରମ୍ପରା ଆଧାରରେ ଲିଖିତ ଅନେକ ସାହିତ୍ୟ ଶୈକ୍ଷିକ ସଂସ୍ଥାରୁ ଉତ୍ପାଦିତ ଅନେକ ଐତିହାସିକ ବିଚାରଧାରାକୁ ପ୍ରତ୍ୟାଖ୍ୟାନ କରୁଛି  । ତେଣୁ ଏଠାରେ ସାର୍ବଜନୀନ ଇତିହାସ ଏବଂ ପ୍ରଭାବୀ ଇତିହାସର ଏକ ପୁଙ୍ଖାନୁପୁଙ୍ଖ ବ୍ୟାଖ୍ୟାର ଆବଶ୍ୟକତା ରହିଛି, ଯାହା ଇତିହାସ କ୍ଷେତ୍ରରେ ଏକ ନୂତନ ଦିଗକୁ ଅନୁସନ୍ଧାନ କରିବାରେ ସହାୟକ ହେବ  । ଏକ ଅଞ୍ଚଳର, ଜାତିର, ଗୋଷ୍ଠୀର ସ୍ମୃତିରେ ଉଦ୍ଜୀବିତ ଥିବା ଇତିହାସକୁ ଆଧାର କରି ଉସôବ ପାଳନ ଏବେକାର ଆଧୁନିକ ପାରମ୍ପରିକ  ଇତିହାସର ରାଷ୍ଟ୍ରକୈନ୍ଦ୍ରିକ ତର୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି  । ପୁରାଣ ପ୍ରସିଦ୍ଧ କାଳ୍ପନିକ ଇତିହାସକୁ ଲୋକେ ମନ୍ତ୍ରମୁଗ୍ଧ ଭଳି ପାଳନ କରିବା ଆଧୁନିକ ଐତିହାସିକଙ୍କ ବିଜ୍ଞାନସମ୍ମତ ଏବଂ ଯୁକ୍ତିସଂଗତ ବିଚାରଧାରାକୁ ବ୍ୟଙ୍ଗ କରୁଛି  । ତେଣୁ ଏଠାରେ କୁହାଯାଇପାରେ ଦ୍ରୁତ ଗତିରେ ବଦଳୁଥିବା ରାଜନୈତିକ ଇତିହାସକୁ ଐତିହାସିକମାନେ ସଠିକ ଭାବେ ଲେଖୁଥାଇପାରନ୍ତି, ମାତ୍ର ତାହା ଉପରଠାଉରିଆ ଭାବେ କେବଳ ରାଷ୍ଟ୍ରର କେନ୍ଦ୍ରରେ ଥିବା ଏକ ସମ୍ଭ୍ରାନ୍ତ ସମାଜ, ଗୋଷ୍ଠୀ କିମ୍ବା ଶ୍ରେଣୀକୁ ପ୍ରଭାବିତ କରେ  । ଅପରପକ୍ଷରେ ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଥିବା ଇତିହାସ ଅଭିଲେଖାଗାର ଏବଂ ଐତିହାସିକ ଦଲିଲ ଏବଂ ନଥିପତ୍ରରୁ ଦୂରରେ ରହିଥିଏ  । ଏହି କ୍ଷେତ୍ରରେ ପେସାଦାର ଇତିହାସ ଲେଖାରେ ସ୍ଥାନ ପାଉନଥିବା ପରିଚୟ ଏବଂ ଉଚ୍ଚାଭିଳାଷକୁ ସ୍ୱର ପ୍ରଦାନ କରୁଥିବା ଲେଖାକୁ ପ୍ରଭାବୀ ଇତିହାସ କୁହାଯାଇପାରେ  । ଭାରତର ବିଭିନ୍ନ ଆଞ୍ଚଳିକ ଭାଷାରେ ଲିଖିତ ଏଭଳି ଅନେକ ପ୍ରଭାବୀ ଇତିହାସ ରହିଛି ଓ ଏହି ଲେଖାଗୁଡିକୁ ଲୋକଲୋଚନକୁ ଆଣିବାର ସମୟ ଆସିଛି  ।
ବ୍ରିଟିଶ ଶାସନ ସହ ଅଷ୍ଟାଦଶ ଶତାବ୍ଦୀରେ ଭାରତର ବିଭିନ୍ନ ପ୍ରାନ୍ତରେ ସ୍ୱଦେଶୀ ଇତିହାସ ଖୋଜିବାର ପ୍ରୟାସ ଆରମ୍ଭ ହୋଇଥିଲା  । ଭାରତରେ ହିନ୍ଦୁ ସଂସ୍କୃତି ଭାବେ ପରିଚିତ ସଂସ୍କୃତ ଲିଖିତ ବିଭିନ୍ନ ଗ୍ରନ୍ଥାବଳୀକୁ ୟୁରୋପମାନେ ଇତିହାସ ବୋଲି ସ୍ୱୀକାର କରିନଥିଲେ  । ଯଦିଓ ୟୁରୋପୀୟ ଐତିହାସିକମାନେ ସ୍ୱୀକାର କରୁଥିଲେ ଯେ ଅତୀତର ଘଟଣାଳବୀକୁ ଲିପିବଦ୍ଧ କରାଇବା ନେଇ ଭାରତରେ ଏକ ପ୍ରାଚୀନ ପରମ୍ପରା ଥିଲା କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଇତିହାସ ଭାବେ ଗଣାଯାଇପାରିବ ନାହିଁ ବୋଲି ସେମାନେ ମତବ୍ୟକ୍ତ କରୁଥିଲେ  । ଡେଭିଡ ସୁଲେମାନ, ଭେଲଜେରୁ ନାରାୟଣ ରାଓ ଏବଂ ସଞ୍ଜୟ ସୁବ୍ରମଣ୍ୟମଙ୍କ ଲେଖା ‘ଟେକ୍ସଚର ଅଫ ଟାଇମ’ ଅନୁସାରେ ଇତିହାସ ବିଜ୍ଞାନସମ୍ମତ ଏବଂ ଯୁକ୍ତିସଂଗତ ହେବା ଆବଶ୍ୟକ ଭଳି ଭଳି ଆଧୁନିକ ଧାରଣା ୟୁରୋପର ଶୈକ୍ଷିକ ସଂସ୍ଥାରେ ଉନବିଂଶ ଶତାବ୍ଦୀରେ  ଆରମ୍ଭ ହୋଇଥିଲା  । ଏଥିରେ ଅତୀତର ଘଟଣାବଳୀକୁ ଯୁକ୍ତିସଂଗତ ଓ ନିରପେକ୍ଷ ଭାବନାରେ ଖୋଜିବାକୁ ଗୁରୁତ୍ୱ ଦିଆଯାଇଥିଲା  । ଫଳରେ ୟୁରୋପୀୟ ବୁଦ୍ଧିଜୀବୀମାନେ ପୁରାଣ ଓ ଲୋକକଥାର ଲେଖାଗୁଡିକୁ ଇତିହାସ ଭାବେ ଗଣିନଥିଲେ  । 
ଉପନିବେଶବାଦ ସମୟରେ ହେଗେଲଙ୍କ ପରି ଚିନ୍ତକମାନେ ‘ପଶ୍ଚିମର ଶ୍ରେଷ୍ଠତା’ ଭଳି ସାଂଘାତିକ ଧାରଣାକୁ ଗୁରୁତ୍ୱ ପ୍ରଦାନ କରିଥିଲେ  । ଏହି ଧାରଣାରୁ ଏକ ‘ସାର୍ବଜନୀନ ଇତିହାସ’ ତତ୍ତ୍ୱର ବିକାଶ ଘଟିଥିଲା  । ଏହା ଇଉରୋପୀୟ ଇତିହାସର ଏକ ସିଦ୍ଧାନ୍ତ ଥିଲା ଯାହା ଅବଶିଷ୍ଟ ବିଶ୍ୱକୁ ବୃହତ୍ତର ଭାବେ ନଦେଖି ହୀନ ଭାବେ ଗ୍ରହଣ କରୁଥିଲା  । ହେଗେଲେଙ୍କ ମତରେ ଏସିଆ ଏବଂ ଆଫ୍ରିକା ସ୍ଥିର, ଘୃଣ୍ୟ ଏବଂ ବିଶ୍ୱ ଇତିହାସ ପାଇଁ ଅପ୍ରାସଙ୍ଗିକ  । ହେଗେଲେଙ୍କ ଦୃଷ୍ଟିକୋଣ ଉଭୟ ମାର୍କ୍ସ ଏବଂ ମାନବାଦୀ ଇତିହାସ ଉପରେ ଅଧିକ ପ୍ରଭାବଶାଳୀ ଥିଲା  । ତେଣୁ ୟୁରୋପୀୟମାନଙ୍କ ଦ୍ୱାରା ସଂଗଠିତ କୌଣସି ବି ନିନ୍ଦନୀୟ କାର୍ଯ୍ୟକୁ ସେ ମାନବ ବିବର୍ତ୍ତନର ଏକ ଆବଶ୍ୟକ ପଦକ୍ଷେପର ଯଥାର୍ଥତା ଭାବେ ପ୍ରତିପାଦିତ କରିଛନ୍ତି  ।
ଦୀର୍ଘ ଦୁଇ ଶହ ବର୍ଷର ଶାସନ ସମୟରେ ବ୍ରିଟିଶରମାନେ ଭାରତରେ ୟୁରୋପୀୟ ଶିକ୍ଷା ପଦ୍ଧତି, ପ୍ରଶାସନ, ଶାସନ ଏବଂ ନୀତି ଲାଗୁ କରିଥିଲେ  । ଭାରତୀୟମାନେ ନିଜ ବିଷୟରେ, ସେମାନଙ୍କ ସଭ୍ୟତା, ବ୍ରିଟେନ ଏବଂ  ଚତୁଃପାଶ୍ୱର୍ରେ ଥିବା ବିଶ୍ୱ ବିଷୟରେ କ’ଣ ଶିକ୍ଷା ଗ୍ରହଣ କରିବେ ତାହା ଭାରତରେ ଉପନିବେଶବାଦ ଶିକ୍ଷା ନୀତିକୁ ନିର୍ଦ୍ଧାରଣ କରୁଥିବା ଥୋମାସ ମାକଲେ ସ୍ଥିର କରିବାକୁ ପ୍ରୟାସ କରିଥିଲେ  । ଭାରତର ଶିକ୍ଷା ନୀତି ନିର୍ଦ୍ଧାରକ ଭାବେ ଥୋମାସ ମାକଲେ ଭାରତୀୟ ଇତିହାସ ଏବଂ ସଭ୍ୟତା ପାଇଁ ଥିବା ଘୃଣ୍ୟତାକୁ ଦର୍ଶାଇଥିଲେ  । ସେ ୧୮୩୫ର କୁଖ୍ୟାତ ମିନିଟରେ ଲେଖିଥିଲେ ଯେ ‘ମୁଁ ଭାରତରେ ବାଦାମୀ ରଙ୍ଗର ବାବୁଙ୍କୁ  ସୃଷ୍ଟି କରିବାକୁ ଚାହୁଁଛି  । ଯେଉଁମାନେ ଚେହେରାରେ ଏବଂ ରଙ୍ଗରେ ଭାରତୀୟ ହୋଇଥିବେ କିନ୍ତୁ ରୁଚିରେ ଏବଂ ବ୍ୟବହାରରେ ଇଂରେଜ ହେବେ  ।’ ଏହି ଶିକ୍ଷା ପଦ୍ଧତିରୁ ଉପନିବେଶବାଦର ଶୋଷିତ ଏବଂ ପୀଡିତ ଲୋକଙ୍କ ମନରେ ଏହା ସ୍ଥାପିତ ହୋଇଯାଇଛି ଯେ ତାଙ୍କର ନିଜସ୍ୱ କୌଣସି ଇତିହାସ ନଥିଲା ଓ ତାଙ୍କୁ ଇତିହାସ ଲେଖିବା ଭଳି ଉପହାର ସେମାନଙ୍କୁ ଶୋଷଣ କରିଥିବା ଲୋକମାନଙ୍କ ପାଖରୁ ମିଳିଛି  । ଏପରିକି ଅତ୍ୟାଚାରୀଙ୍କ ଦ୍ୱାରା ଲିଖିତ ଇତିହାସକୁ ପୀଡିତ ଲୋକମାନେ ବୈଧ ବୋଲି ଗ୍ରହଣ କରିବା ସହ ତାର ଉଚ୍ଚପ୍ରଶଂସା ଏବଂ ଗୁଣଗାନ କରୁଛନ୍ତି  । ଭାରତ ଏକ ସ୍ଥିର ଏବଂ ଇତିହାସବିହୀନ ଭୂମି ବୋଲି ଥିବା ମିଥ୍ୟା ଧାରଣାକୁ ପୁନଃ କାର୍ଲ ମାର୍କ୍ସଙ୍କ ଦ୍ୱାରା ପ୍ରଚାର ଓ ପ୍ରସାର କରାଯାଇଥିଲା  । ମାର୍କ୍ସ ଭାରତକୁ ନିଜ ସିଦ୍ଧାନ୍ତ ‘ଏସୀୟ ଉତ୍ପାଦନ ପଦ୍ଧତି’ ଅନୁସାରେ ବର୍ଣ୍ଣନା କରିଛନ୍ତି  । 
ଦିପେଶ ଚକ୍ରବର୍ତ୍ତୀ ‘ପ୍ରୋଭିନ୍ସିଏଲାଇଜିଂ ୟୁରୋପ’ରେ ୟୁରୋପକୈନ୍ଦ୍ରିକ ଇତିହାସକୁ ସମାଲୋଚନା କରି ୟୁରୋପର ସ୍ଥାନକୁ ସାର୍ବଜନୀନ ଇତିହାସର କେନ୍ଦ୍ରରୁ ହଟାଇବା ପାଇଁ ଚେଷ୍ଟା କରିଛନ୍ତି  । ୟୁରୋପର ସାର୍ବଭୌମତ୍ୱ ଅନେକ ଐତହାସିକ, ସାମାଜିକ ଏବଂ ବିଜ୍ଞାନସମତ କାର୍ଯ୍ୟଗୁଡିକର ତତ୍ତ୍ୱଗତ ଦର୍ଶନ ସମାନତା, ସ୍ୱାଧୀନତା, ଆଧୁନିକ ନ୍ୟାୟ, ନିର୍ବାଚନୀ ଗଣତନ୍ତ୍ର, ନାଗରିକ ସମାଜ, ସାଂସ୍କୃତିକ ବିକାଶ, ସାର୍ବଜନୀନ ଇତିହାସ ଉପରେ ଆଧାରିତ  । ଏହି ଜ୍ଞାନ ବ୍ୟବସ୍ଥାର ପ୍ରାସଙ୍ଗିକତା ଅଣୟୁରୋପୀୟ ଐତିହାସିକ ଏବଂ ଲୋକଙ୍କ ମଧ୍ୟରେ କ୍ଷୁଣ୍ଣ ହୋଇନାହିଁ  । ଆଶ୍ଚର୍ଯ୍ୟର କଥା ଯେ ବିଭିନ୍ନ ସ୍ଥାନର ଐତିହାସିକମାନେ ମାର୍କ୍ସ, ମ୍ୟାକ୍ସ ୱେବର, ହେଗେଲ ଏବଂ ସିଗମଣ୍ଡ ପ୍ରଏଡଙ୍କ ପରି ୟୁରୋପୀୟ ଚିନ୍ତକମାନଙ୍କ ଧାରଣାକୁ ଆଧାର କରି ସେମାନଙ୍କ ଅନୁସନ୍ଧାନ କରୁଛନ୍ତି  । କିନ୍ତୁ ଏହି ବିଚାରଧାରାର ପରପନ୍ଥୀ ଭାରତର ବିଭିନ୍ନ ଆଞ୍ଚଳିକ ଭାଷାରେ ଲିଖିତ ସାହିତ୍ୟ ଏବଂ ବିବରଣୀ ଯଥା; କାରନାମା, ବାଖର, ବୁରୁଞ୍ଜି, ମାଦଳାପାଞ୍ଜି, ରାଜବଂଶାବଳୀ ରହିଛି, ଯାହା ଏକ ମହତ୍ୱପୂର୍ଣ୍ଣ ଐତିହାସିକ ଲେଖାକୁ ପ୍ରତିପାଦିତ କରୁଛି ଓ ଏଗୁଡିକୁ ‘ଉପଭାଷା ଇତିହାସ’ ବୋଲି କୁହାଯାଉଛି  । ସମସ୍ତ ବୌଦ୍ଧିକ ଶିକ୍ଷା ଏକ ବିଦ୍ୟମାନ ଜ୍ଞାନରୁ ଆସିଥାଏ ଭଳି ଆରିଷ୍ଟୋଟଲଙ୍କ ଧାରଣାକୁ ଆଧାର କରି ବିଶିଷ୍ଟ ଐତିହାସିକ ରଞ୍ଜିତ ଗୁହା ତାଙ୍କ ଲେଖା ‘ହିଷ୍ଟ୍ରି ଆଟ ଦ ଲିମିଟ୍ ଅଫ ୱାର୍ଲ୍ଡ ହିଷ୍ଟ୍ରି’ରେ ଯୁକ୍ତି କରିଛନ୍ତି ଯେ ଭାରତରେ ଥିବା ଇତିହାସ-ପୁରାଣ ପରମ୍ପରା ବହୁ ପିଢି ଧରି ଲୋକଙ୍କୁ ଜ୍ଞାନ ପ୍ରଦାନ କରିଚାଲିଛି  । ଉଦାହରଣ ସ୍ୱରୁପ ରାମାୟଣ ଏବଂ ମହାଭାରତ ଇତିହାସରୁ ଭାରତୀୟଙ୍କୁ ଅନେକ ଶିକ୍ଷା ମିଳିଛି  । ଆଶ୍ଚର୍ଯ୍ୟର କଥା ଯେ ଅନେକ ପିଢି ଧରି ଏହି କାହାଣୀକୁ ବାରମ୍ବାର ଆବୃତ୍ତି କରାଯାଇ ଆସୁଛି, ତଥାପି ଯେଉଁମାନେ ଏ କାହାଣୀ ଶୁଶୁଛନ୍ତି ସେମାନେ ଆଶ୍ଚର୍ଯ୍ୟରେ ବିସ୍ମିତ ହେଉଛନ୍ତି  । ଏହି ମହାଭାରତ ଏବଂ ରାମାୟଣରୁ ଲୋକେ ଅନେକ କଥା ଶିକ୍ଷା ଗ୍ରହଣ କରୁଛନ୍ତି ଓ ଏଗୁଡିକର ଅନେକ ଚରିତ୍ର ଏବେବି ଲୋକଙ୍କ ପାଇଁ ଉଦାହାରଣ ହୋଇ ରହିଛନ୍ତି  । ଏଥିରେ ଥିବା ଅଲୌକିକ ଗାଥା, କାହାଣୀକୁ ଆଧାର କରି ଏଗୁଡିକୁ ଇତିହାସ ରହିତ କହି ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ, ବରଂ ଏସବୁକୁ ‘ପ୍ରଭାବୀ ଇତିହାସ’ ଧାରାରେ ଗ୍ରହଣ କରିବାକୁ ପଡିବ  । ଭି ନାରାୟଣ ରାଓ, ଡେଭିଡ ସୁଲେମାନ ଏବଂ ସଞ୍ଜୟ ସୁବ୍ରମଣ୍ୟମଙ୍କ ଯୁକ୍ତି ଅନୁସାରେ ଉପନିବେଶବାଦ ପୂର୍ବରୁ ଭାରତୀୟ ଇତିହାସ ଲେଖା ପଦ୍ୟ ଏବଂ ଅନେକ ମାତ୍ରାରେ ଇତିହାସ ପୁରାଣ ପରମ୍ପରାରେ ପର୍ଯ୍ୟବସିତ ଥିଲା  । ଏଥି ନିମନ୍ତେ ସେମାନେ ଉନବିଂଶ ଶତାବ୍ଦୀରେ ତେଲୁଗୁ ଭାଷାରେ ଅଜଣା କାରନାମା ଲେଖକଙ୍କ ଦ୍ୱାରା ଲିଖିତ ‘ଦୁପାତି କୈଫୟତ’କୁ ଉଦାହରଣ ଦେଇଛନ୍ତି  । ପାର୍ଥ ଚାଟାର୍ଜୀଙ୍କ ଅନୁସାରେ ଏହି ଲେଖା ଏବେକାର ସମସ୍ତ ଆଧୁନିକ ଇତହାସ ଲେଖାର ପରୀକ୍ଷା ପାସ କରିବାର କ୍ଷମତା ରଖୁଥିଲେ ମଧ୍ୟ ଏହାକୁ ଉପନିବେଶବାଦ ଶିକ୍ଷା ବ୍ୟବସ୍ଥାର ଇତିହାସ ଶୃଙ୍ଖଳାରୁ ବାଦ ରଖାଯାଇଛି  । ଡ. ରିଜିକୁଦ୍ଦିନ ଅକିଲ ଏକ ସ୍ତମ୍ଭରେ କହିଛନ୍ତି ଇତିହାସ-ପୁରାଣ, ବଂଶାବଳୀ, ଚରିତ, ବୁରୁଞ୍ଜି, ବାଖର ସବୁ ଲେଖା କିମ୍ବଦନ୍ତୀ ଏବଂ ରହସ୍ୟ ଭର୍ତ୍ତି ହୋଇ ରହିଥିବାବେଳେ ଏଗୁଡିକ ଐତିହାସିକ ସତ୍ୟତା ନିକଟବର୍ତ୍ତୀ ନୁହେଁ ଏବଂ କାଳାନୁକ୍ରମିକ ନହୋଇପାରେ ମାତ୍ର ଏହା ଭାରତୀୟ ଇତିହାସ ଚେତନାକୁ ପ୍ରତିପାଦିତ କରେ  । ଏଗୁଡିକର ଲେଖା ଶୈଳୀ, ଭାଷା ଏବଂ ଆଧୁନିକ ପଶ୍ଚିମ ଇତିହାସ ପଦ୍ଧତି ଦୃଷ୍ଟରୁ ଭିନ୍ନ ହୋଇଥିବାରୁ ଏଗୁଡିକୁ ସମ୍ପୂର୍ଣ୍ଣ ରୂପେ ଇତିହାସ ନୁହେଁ କହି ପ୍ରତ୍ୟାଖ୍ୟାନ କରି ଦେଇ ହେବ ନାହିଁ  ।
କୁମକୁମ ଚାଟାର୍ଜୀ, ବଙ୍ଗଳା ଭାଷାରେ ଲିଖିତ ‘କୁଳଗ୍ରାମ’ ଇତିହାସ ଲେଖାର ଧାରାକୁ ବର୍ଣ୍ଣନା କରିଛନ୍ତି  । ଏହି ସାହିତ୍ୟିକ ଧାରାଟି ସମ୍ପ୍ରଦାୟ, ଭାଷା, ଜାତି ଏବଂ ଅନ୍ୟାନ୍ୟ ଦାବିକୁ ନେଇ ଲାଗିରହିଥିବା ସଂଘର୍ଷରେ ଐତିହାସିକ ପ୍ରମାଣ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି  । ସି.ଏ ବାଇଲି ଅଷ୍ଟାଦଶ ଶତାବ୍ଦୀରେ ଇଣ୍ଡୋ-ମୁସଲିମ ଇତିହାସ ଲେଖିବାର ପରମ୍ପରାକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି ଓ ସେ ଏହାକୁ ସ୍ୱଦେଶୀ ଜନସାଧାରଣଙ୍କ ‘ଏକ ଭାରତୀୟ ସୂକ୍ଷ୍ମବୁଦ୍ଧି’ ବୋଲି ବର୍ଣ୍ଣନା କରିଛନ୍ତି  । ସେ ଦର୍ଶାଇଛନ୍ତି ଯେ ଉପନିବେଶବାଦ ପୂର୍ବରୁ ଭାରତୀୟ ସମାଜ ଏକ ସାହିତ୍ୟିକ ସଚେତନ ସମାଜ ଥିଲା  । ତାଙ୍କ ମତରେ ୧୭୫୦ରୁ ୧୮୦୦ ମଧ୍ୟରେ ଭାରତରେ ଘଟିଥିବା ରାଜନୈତିକ ପରବର୍ତ୍ତନ ଉପରେ ଲେଖିଥିବା ଅଲି ଇବ୍ରାହିମ ଖାନ ହେଉଛନ୍ତି ଆଧୁନିକ ଭାରତୀୟ ଇତିହାସ ଲେଖାର ଜଣେ ଅସ୍ୱୀକୃତ ପ୍ରତିଷ୍ଠାତା  । ପ୍ରାଚୀ ଦେଶପାଣ୍ଡେଙ୍କ ‘କ୍ରିଏଟିଭ ପାଷ୍ଟ’ ଏବଂ ୟାସ୍ମିନ ସାଇକିଆଙ୍କ ‘ଆସାମ ଏବଂ ଇଣ୍ଡିଆ’ ମଧ୍ୟ ଦୁଇଟି ଶ୍ରେଷ୍ଠ କାର୍ଯ୍ୟ  । ଏହି ଦୁଇଟି ଲେଖା ଉପନିବେଶ ପୂର୍ବରୁ ଭାରତରେ ଉପଭାଷାରେ ଲିଖିତ ଇତିହାସକୁ ଜାଣିବାରେ ଆମକୁ ସାହାଯ୍ୟ କରେ  । ସେହିପରି ଓଡିଶାରେ ଲିଖିତ ସାରଳା ମହାଭାରତ, ମାଦଳା ପାଞ୍ଜି ମଧ୍ୟ ତକ୍ରାଳୀନ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ସ୍ଥିତି ସହ ଲୋକଙ୍କ ବିଚାରଧାରାକୁ ଦେଖାଇଥାଏ  । ମାଦଳା ପାଞ୍ଜି ପ୍ରଭୁ ଜଗନ୍ନାଥ ଏବଂ ଗଜପତି ରାଜତ୍ୱ  ଉପରେ ଏକ ଐତିହାସିକ ତଥ୍ୟ ପ୍ରଦାନ କରେ  । ଏହି ଲେଖାଗୁଡିକ ଆମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରେ  । ଏସସୁବକୁ ବିଚାର କରି ସାର୍ବଜନୀନ ଇତିହାସ ଲେଖାର ଅନୁକରଣରେ ସୃଷ୍ଟି ଲେଖାକୁ ଆମେ ‘ଇତିହାସ-୧’ ଏବଂ ଜନମାନସରେ ପ୍ରଭାବ ପକାଉଥିବା ଉପଭାଷାର ଲେଖାକୁ ‘ଇତିହାସ-୨’ ଭାବେ ଗ୍ରହଣ କରିବା ସହ ଏହା ଉପରେ ଅଧିକ ଗବେଷଣା ପାଇଁ ପ୍ରୋସôାହନ ଦେବା ଆବଶ୍ୟକ  ।
                                            ଅଧ୍ୟାପକ, ଇତିହାସ ବିଭାଗ
ବ୍ୟାସନଗର ସ୍ୱଂୟଶାସିତ ମହାବିଦ୍ୟାଳୟ,
ଯାଜପୁର ରୋଡ, ଯାଜପୁର