ଅକ୍ଷୟ କୁମାର ରାଉତ : ସାରଳା ଦାସ ଅବିଭକ୍ତ କଟକ ଜିଲ୍ଲାର ଜଙ୍ଖେରପୁରସ୍ଥିତ କନକବତୀପାଟଣା ନିକଟସ୍ଥ ଚନ୍ଦ୍ରଭାଗା ନଦୀକୂଳରେ ଥିବା ସାରୋଳ ବା କାଳିନାଗ ଗ୍ରାମରେ ପଂଚଦଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜଣେ ପ୍ରଧାନ କୃଷିଜୀବୀ ଗ୍ରାମୀଣ ବ୍ୟକ୍ତି ଥିଲେ । ବାଲ୍ୟକାଳରେ ସାରଳା ଦାସଙ୍କର ନାମ ଥିଲା ସିଦେ୍ଧଶ୍ୱର ପରିଡା (ସ୍ୱାଇଁ) ପିତା, ମାତା ଓ ଚାରିଭାଇଙ୍କ ସହିତ ନିଜର ବାଲ୍ୟ, ଶୈଶବ ଓ ଯୌବନ ଜୀବନ ଅତିବାହିତ କରିଥିଲେ । ତାଙ୍କର ବଡ଼ଭାଇ ପର୍ଶୁରାମ ପରିଡା ଜଙ୍ଖେରପୁର ନିକଟରେ ପ୍ରବାହିତ ହେଉଥିବା ଚନ୍ଦ୍ରଭାଗା ନଦୀର ଘାଟ ନେଇଥିଲେ । ପରଅବସ୍ଥାରେ ପର୍ଶୁରାମ ପରିଡା କନକପୁରକୁ ଉଠିଆସି ଘରଟିଏ କରି ରହିଲେ । କିନ୍ତୁ ସିଦେ୍ଧଶ୍ୱର ସାରଳା ମା’ଙ୍କ ଚରଣାବିନ୍ଦରେ ଗଭୀର ଭକ୍ତି ଢ଼ାଳିଦେଇ ସେବାରତ ଥିଲେ । ସେ ସମୟରେ ଚାଟଶାଳୀର ସୁବିଧାନଥିବାରୁ ନିଜ ଚେଷ୍ଟାରେ ଅଧ୍ୟୟନ କରିଥିଲେ । ଓଡିଆରେ ମିଳୁଥିବା କୋଇଲି ଚଉତିଶା ଅନ୍ୟ କେତେ ଖଣ୍ଡ କ୍ଷୁଦ୍ର କବିତା ପଢ଼ିଥିଲେ । ଏତିକିରେ ତାଙ୍କର ଶିକ୍ଷାଜୀବନର ପରିସମାପ୍ତି ଘଟିଥିଲା । ସିଦେ୍ଧଶ୍ୱର ଯୌବନରେ ପଦାର୍ପଣ କଲାପରେ, ଗୀତ ରଚନା କରି ନିଜେ ଗୀତ ବୋଲୁଥିଲେ ।
ପରଅବସ୍ଥାରେ ପୌରାଣିକ କାହାଣୀଗୁଡିକ ଶୁଣି, ପୁରାଣ ପଢ଼ିବାକୁ ଆଗ୍ରହ ପ୍ରକାଶ କରିଥିଲେ । ସଂସ୍କୃତ ଶିଖି ନଥିବା ଅପଣ୍ଡିତ ସିଦେ୍ଧଶ୍ୱର ସଂସ୍କୃତ ପଢ଼ିବା ଓ ଲେଖିବା ଏକ ଆଶ୍ଚର୍ଯ୍ୟ ଘଟଣା ଥିଲା । ବିଲରେ ଚାଷ ପାଇଁ ହଳ ବୁଲାଉଥିବା ସମୟରେ ସିଦେ୍ଧଶ୍ୱର ସୁନ୍ଦର ଗୀତ ନିଜ ମନରୁ ରଚନାକରି ବୋଲନ୍ତି । ଏହି ସମୟରେ ସେ ଆତ୍ମହରା ହୋଇପଡନ୍ତି । ସେ ‘ମନାଇ ଚଉତିଶା’ ନାମକ ଏକ ଗୀତ ରଚନା କରିଥିଲେ । ଦିନକର ଘଟଣା ସିଦେ୍ଧଶ୍ୱର ହଳ ବୁଲାଉଥାନ୍ତି ଓ ଗୀତ ବୋଲୁଥାନ୍ତି, କିନ୍ତୁ ପଦ ମନେପଡିଲା ନାହିଁ । ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କର ସେହି ଗୀତର ପଦ ମନେପଡିଲା ନାହିଁ । ଅତି ବିଚଳିତ ଅବସ୍ଥାରେ ତାଙ୍କର ଇଷ୍ଟଦେବୀ ସାରଳାଙ୍କୁ ମନେପକାଇଲେ । ମା ସାରଳା ଭକ୍ତ ଅନ୍ତରର ଭକ୍ତି ମାଧ୍ୟମରେ ଏକ ନାରୀ ମୂର୍ତ୍ତିଟି ହୋଇ ସିଦେ୍ଧଶ୍ୱରଙ୍କ ସମ୍ମୁଖରେ ଆବିର୍ଭୂତ ହୋଇ କହିଲେ “ତୁ ଗୀତ ବନ୍ଦକଲୁ କାହିଁକି ? ମୁଁ ତୋ ଗୀତ ଶୁଣୁଥିଲି, ତୁ ଗୀତ ବୋଲି ଚାଲେ ସବୁ ମନେପଡିଯିବ । ତୋ ଗୀତ ମୋତେ ବହୁତ ଭଲଲାଗେ, ତୁ ମହାଭାରତ ରଚନା କରିପାରିବୁ, ଏହା କହି ନାରୀ ମୂର୍ତ୍ତିଟି ଅନ୍ତର୍ଦ୍ଧାନ ହୋଇଗଲେ । ସେ ସମୟରେ ଓଡିଶାର ଗଜପତି ଥିଲେ ସୂର୍ଯ୍ୟବଂଶର ପ୍ରଥମ ସମ୍ରାଟ କପିଳେନ୍ଦ୍ର ଦେବ । ତାଙ୍କର ସାମ୍ରାଜ୍ୟ ଗଙ୍ଗାଠାରୁ କାବେରୀ ପର୍ଯ୍ୟନ୍ତ ଲମ୍ବିଥିଲା । ସିଦେ୍ଧଶ୍ୱର ମା ସାରଳାଙ୍କ ପୂଜା ଅର୍ଚ୍ଚନାରେ ନିଜକୁ ନିୟୋଜିତ କରିଥିଲେ । ଅନୁମାନ କରାଯାଏ ସିଦେ୍ଧଶ୍ୱର କପିଳେନ୍ଦ୍ର ଦେବଙ୍କ ସୈନ୍ୟ ବିଭାଗରେ ଯୋଗଦେଇ ବିଭିନ୍ନ ଯୁଦ୍ଧର ଅନୁଭୂତିକୁ ପରଅବସ୍ଥାରେ ମହାଭାରତରେ ବର୍ଣ୍ଣନା କରିଥିଲେ । ସୈନ୍ୟଦଳରୁ ଆସି ପୁରୀର ଯମେଶ୍ୱର ଲିଙ୍ଗଙ୍କ ମନ୍ଦିରରେ କିଛିକାଳ ଅବସ୍ଥାନ କରିଥିଲେ । ସେ ସମୟରେ ସଂସ୍କୃତ ପଣ୍ଡିତମାନଙ୍କର ପ୍ରଭାବ ଯଥେଷ୍ଟ ଥିଲା । ପୁରୀରେ ସଂସ୍କୃତ କାବ୍ୟ ଓ ନାଟକ ଚର୍ଚ୍ଚାରେ ସିଦେ୍ଧଶ୍ୱରଙ୍କୁ କେହି ଅଂଶ ଗ୍ରହଣ କରାଇଦେଉନଥିଲେ । ଏହିପରି ଅସହାୟ ମୂହୂର୍ତ୍ତରେ ଇଷ୍ଟଦେବୀ ସାରଳା ସିଦେ୍ଧଶ୍ୱରଙ୍କୁ ଅଭୟ ପ୍ରଦାନକରି ଆଦେଶ ଦେଲେ “ତୁ ଯାଇ ନୀଳ କଳ୍ପବଟ ମୂଳେ ବସିବୁ,ଯାହା ଉପରୁ ଶୁଭିବ ତୁ ଲେଖିବୁ” । ସେତେବେଳକୁ ସିଦେ୍ଧଶ୍ୱର, ସାରଳା ଦାସ ନାମରେ ପରିଚିତ ହେଲେ । ମହାଭାରତ ରଚନାରେ ମନୋନିବେଶ କଲେ । କଳ୍ପବଟମୂଳରେ ମହାଭରତର ଆଠଗୋଟି ପର୍ବ ଶେଷ କରି ସାରିଥିଲେ । ପୁରୀ ଛାଡି ସେ କୋଣାର୍କରେ ଏକ ବଟବୃକ୍ଷ ମୂଳରେ ଯୋଗସାଧନ କଲେ ଓ ମହାଭାରତ ରଚନା କଲେ । ତାଙ୍କର ଲିଖିତ ମହାଭାରତରେ ଅନ୍ୟ ପଣ୍ଡିତ ମାନେ “ହାତୀ ବାର ଯୁଣ ତାର ଘଂଟି ବାର ଯୁଣ” ବର୍ଣ୍ଣନାକୁ ତ୍ରୁଟି ରୂପେ ଦର୍ଶାଇଥିଲେ । ହସ୍ତୀ ହେଲା ଦେବତା ଯୁଣରେ ଓ ଘଂଟି ହେଲ ମାନବ ଯୁଣରେ । ଏହାପରେ ପଣ୍ଡିତମାନେ ନିଜଭୁଲ୍ ବୁଝିପାରି କବିଙ୍କ ରଚିତ ମହାଭାରତକୁ ଗ୍ରନ୍ଥରୂପେ ସ୍ଥାନଦେଲେ ଓ ଶୂଦ୍ର ମୁନି ବୋଲି ସମ୍ମାନିତ କଲେ । ଏହି ସମ୍ବାଦ କପିଳେନ୍ଦ୍ର ଦେବଙ୍କ ନିକଟରେ ପହଂଚିଲା । ଗଜପତି ରାଜା ସିଦେ୍ଧଶ୍ୱରଙ୍କୁ ସ୍ୱାଇଁ ପରିବର୍ତ୍ତେ ପରିଡା ଉପାଧିରେ ଭୂଷିତ କରାଇ ଝଙ୍କଡ ଆଦି କେତେ ଗ୍ରାମ ନିଷ୍କର ବୃତ୍ତିରୂପେ ପ୍ରଦାନ କରିଥିଲେ ।
ପୁରୀରେ କିଛି ଦିନ ଅତିବାହିତ ହେବାପରେ କବି ସାରଳା ଦାସ ନିଜର ଜନ୍ମଭୂମିକୁ ଫେରିଆସିବା ବାଟରେ କଟକ ତୁଳସୀପୁରରେ କିଛି ଦିନ ରହିଲେ । ଦୈନିକ ମା କଟକ ଚଣ୍ଡୀଙ୍କୁ ଦର୍ଶନ କରନ୍ତି ଓ ନିଜ ରଚିତ ମହାଭାରତ ଦେବୀଙ୍କ ନିକଟରେ ପଢ଼ନ୍ତି । ଏହି ଗ୍ରନ୍ଥ ପାଠ ଶୁଣିବାପାଇଁ ବହୁ ଶ୍ରୋତା ମା ଚଣ୍ଡୀଙ୍କ ଠାରେ ରୁଣ୍ଡ ହୁଅନ୍ତି । ତାଙ୍କର ସାରସ୍ୱତ ସାଧନା ହିଁ ପ୍ରତ୍ୟେକ ଓଡିଆ ଜାତି ପାଇଁ ଅମଳିନ ପ୍ରେରଣା ହୋଇ ରହିଗଲା । ସେ ଆମ ଜାତିର ଗୌରବ, ସ୍ରଷ୍ଟା ଆଉ ଦ୍ରଷ୍ଟା । ସେ କେବଳ ଜଣେ ସିଦ୍ଧ ସାଧକ ନୁହଁନ୍ତି, ଭକ୍ତ ନୁହଁନ୍ତି, କବି ରୂପେ ତାଙ୍କୁ ଚିରଦିନ ଜାତି ପୂଜା କରିବ । ଆଜୀବନ ସେ ଯେଉଁ ଅଖଣ୍ଡସାଧନ କରିଛନ୍ତି ତାହା ହିଁ ତାଙ୍କୁ ଅମର କରିବ । ତାଙ୍କ ଜୀବନର ଏକ ବିସ୍ମୟକର ଓ ରହସ୍ୟମୟ କାହାଣୀ କୁହେ - ଏହି ନିରହଙ୍କାରୀ ସିଦ୍ଧ କବିଙ୍କ ଶେଷ ଜୀବନ ଇଷ୍ଟଦେବୀ ସାରଳା ଦେବୀଙ୍କ ନିକଟରେ କଟାଇଥିଲେ । ସେ ନିଜର ସ୍ତ୍ରୀ, ପୁତ୍ର ଓ କନ୍ୟାଙ୍କ ଠାରୁ ସମସ୍ତ ସାଂସାରିକ ବନ୍ଧନ ତ୍ୟାଗକରି ‘ମା’ଙ୍କ ପାଦପଦ୍ମରେ ନିଜକୁ ଉତ୍ସର୍ଗ କରିଦେଇଥିଲେ । ସାରଳାଦାସ ଜ୍ୟୋତିଷ ଶାସ୍ତ୍ରରେ ନିପୁଣ ଥିଲେ । ଶାସ୍ତ୍ର ବିଚାରକରି ଜାଣି ପାରିଥିଲେ ଯେ ମାଘସପ୍ତମୀ ଦିନ ଦେହ ଛାଡିବାକୁ ହେବ । ତେଣୁ ଅକ୍ଷତ, ଗୋଟାଗୁଆ, ନଡିଆ, ପାନ, ତିଳ, ଗଙ୍ଗାଜଳ, ଗଙ୍ଗାମାଟି ସହ ଘିଅ ଦୀପ ସାରଳାଦାସ ନିଜ ସମ୍ମୁଖରେ ରଖି ତେନ୍ତୁଳିପଦା ବନ୍ଧମୁଣ୍ଡାର ବୃଦ୍ଧାନଦୀ କୂଳରେ ମାଘ ଶୁକ୍ଳ ପ୍ରତିପଦଠାରୁ ସମାଧିସ୍ତ ହେଲେ । ମାଘ ସପ୍ତମୀ ସକାଳକୁ ଗୋଟିଏ ଘଡଘଡି ଶବ୍ଦ ହେଲା ଓ ଦୀପଟି ମଧ୍ୟ ଲିଭିଗଲା । ଏହା ହିଁ ଥିଲା ଆଦିକବି ଶୂଦ୍ରମୁନି ସାରଳା ଦାସଙ୍କର ଅନ୍ତିମ ଯାତ୍ରା । ଆଜି ତାଙ୍କ ନାମାନୁସାରେ ମୁନି ଗୋସାଇଁ ମଠ କୁହାଯାଉଛି । ଏହି ସମାଧିର ଭଗ୍ନାବଶେଷ ନିକଟରେ ଏକ ବରଗଛ ଅଛି । ତାଙ୍କର ଲୌକିକତା, ଜନଜୀବନର ସଂସ୍କାର ଓ ପ୍ରତିଭାର ମୋହିନୀ ଶକ୍ତି ବଳରେ ଯୁଗଯୁଗ ପାଇଁ ଅମର ସୃଷ୍ଟି ମହାଭାରତରେ ଜୀବନ୍ତ କରି ଦେଇଗଲେ । ତେଣୁ ଆଜି ଓଡିଶାର ଜନତା ସେହି ଶୂଦ୍ରକବିଙ୍କୁ ଆଦିକବି ରୂପେ ପୂଜାଅର୍ଘ୍ୟ ଦେଇଥାନ୍ତି ।
ପାରାଦ୍ୱୀପଗଡ଼, କୁଜଙ୍ଗ, ଜଗତ୍ସିଂହପୁର
ମୋ : ୯୯୩୭୬୯୧୪୭୫