ସୂଚନା ପ୍ରଯୁକ୍ତିରେ ଲୋକସେବାର କ୍ରାନ୍ତି

୧୯୪୭ ଆଜିର ଦିନ ଜାତି ପିତା ମହାତ୍ମା ଗାନ୍ଧି ନୂଆଦିଲ୍ଲୀସ୍ଥିତ ଆକାଶବାଣୀ ଷ୍ଟୁଡିଓ ଆସିଥିଲେ । ଏହି ସ୍ମୃତିକୁ ମନେରଖିବା ଉଦେ୍ଦଶ୍ୟରେ ପ୍ରତିବର୍ଷ ନଭେମ୍ବର ୧୨ ତାରିଖ ଜାତୀୟ ସ୍ତରରେ ଲୋକ ସେବା ପ୍ରସାରଣ ଦିବସ ପାଳନ କରାଯାଏ । ଏହି ଦିନ ମହାତ୍ମା ଗାନ୍ଧି ପାକିସ୍ତାନରୁ ଆସି କୁରୁକ୍ଷେତ୍ରର ଶିବିରରେ ରହୁଥିବା ଶରଣାର୍ଥୀଙ୍କୁ ରେଡ଼ିଓରେ ସମ୍ବୋଧିତ କରିଥିଲେ । ନିଜର ଲେଖିବା ଓ କହିବାର ଦୁଇଟି ସଶକ୍ତ ମାଧ୍ୟମ ବ୍ୟତୀତ ସେ ପ୍ରଥମଥର ତୃତୀୟ ମାଧ୍ୟମ ଉପଯୋଗ କରିଥିଲେ । ସେଇଟି ଥିଲା ଆକାଶବାଣୀରୁ ପ୍ରସାରଣ । ଏହା ପୂର୍ବରୁ ସେ  କେବେ ବି ଏହି ମାଧ୍ୟମ ପ୍ରୟୋଗ କରିନଥିଲେ । ଏହାପରେ ମଧ୍ୟ ଜୀବନରେ ପୁଣି କେବେ ଏହି ମାଧ୍ୟମ ଉପଯୋଗ କଲେନାହିଁ । ସେ ଦିନ ଥିଲା ଦୀପାବଳି । ଗୋଟିଏ ପଟେ ଖୁସିର ପର୍ବ, ଅନ୍ୟପକ୍ଷେ ବିଭାଜନର ଦୁଃଖ । ଏହି ସ୍ମୃତିରେ ପ୍ରତିବର୍ଷ ୧୨ ନଭେମ୍ବରକୁ ଲୋକ ସେବା ପ୍ରସାରଣ ଦିବସ ପାଳନ କରାଯାଏ । ଏ ଅବସରରେ ଆକାଶବାଣୀ ଦିଲ୍ଲୀ ପକ୍ଷରୁ ଏ ସମ୍ପର୍କିତ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ଆଉ ଏକ ଘଟଣା ପାଇଁ ମଧ୍ୟ ୧୨ ନଭେମ୍ବର ଗୁରୁତ୍ୱପୂର୍ଣ୍ଣ । ଦେଶର ପ୍ରଥମ ରେଡ଼ିଓ ଉଦ୍ଘୋଷକ ସ୍ୱାଧୀନତା ସଂଗ୍ରାମୀ ଉଷା ମେହତାଙ୍କୁ ୧୯୪୨ ଆଜିର ଦିନରେ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ରେଡ଼ିଓ ପ୍ରସାରଣ ପାଇଁ ଗିରଫ କରାଯାଇଥିଲା ।
ଆଜିର ସମୟରେ ଲୋକସଭାର ପ୍ରଚାର, ବ୍ୟବସ୍ଥା ଓ କର୍ମ ସଂସ୍କୃତି ଅନେକ ବଦଳିଗଲାଣି । ପୃଥିବୀରେ ସୂଚନା ପ୍ରଯୁକ୍ତିର ସଶକ୍ତ ଅଭିବୃଦ୍ଧି ଦିଗରେ ଭାରତ ମଧ୍ୟ ଅନ୍ୟତମ ଅଗ୍ରଣୀ ଦେଶ ଭାବେ ତାର ସୂଚନା ସେବା ବ୍ୟବସ୍ଥା ଓ ଲୋକସେବା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ସହ ଲୋକମାନଙ୍କ ପାଖରେ ପହଞ୍ଚାଇବାର ସାମର୍ଥ୍ୟ ରଖିଛି । ଭାରତ ବର୍ଷର ସମସ୍ତ ଏପରିକି ଅଗମ୍ୟ ଅଞ୍ଚଳ ବା ସୀମାନ୍ତ ମୂଲକ, ଯେ କୌଣସି ପ୍ରାକୃତି ବିପର୍ଯ୍ୟୟ ସମୟରେ ଲୋକ ସେବାର ଅନନ୍ୟ ବରଦାନ ରେଡ଼ିଓ ସମସ୍ତଙ୍କ ପାଇଁ ଆଶା ଓ ଭରଷାର ସଞ୍ଜିବନୀ ପରି କାର୍ଯ୍ୟ କରୁଛି । ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସହଯୋଗ ଯୁଗାନ୍ତକାରୀ ଓ ପ୍ରଶଂସନୀୟ । ବର୍ତ୍ତମାନର ସମୟରେ ଆକାଶବାଣୀ ସମସ୍ତ ସୂଚନା ପ୍ରଯୁକ୍ତିର କ୍ରାନ୍ତିକାରୀ ଅଭୁ୍ୟଦୟ ଭିତରେ ନିଜ ସ୍ୱତନ୍ତ୍ରତା ବଜାୟ ରଖିବାରେ ଓ ପ୍ରଚୁର ଶ୍ରୋତାମଣ୍ଡଳୀ ପାଇବାରେ ଶ୍ରେଷ୍ଠତା ବଜାୟ ରଖିଛି । ଭାରତ ସରକାର ସୂଚନା ପ୍ରଯୁକ୍ତିର କ୍ରାନ୍ତିକୁ ସମସ୍ତଙ୍କ ପାଖରେ ସୁବିଧା ଓ ସୁଲଭତା ସହ ପହଞ୍ଚାଇବାର ଯେଉଁ ମହତ୍ ଉଦ୍ୟମ ରଖିଛନ୍ତି ଏ କ୍ଷେତ୍ରରେ ପ୍ରତିଟି ଭାରତୀୟଙ୍କ ଯୋଗଦାନ, ସମର୍ଥନ ଓ ବିଶ୍ୱାସର ଆବଶ୍ୟକତା ରହିଛି । ଏହାଦ୍ୱାରା ଆମେ ଲୋକସେବା ପ୍ରସାରଣ ଦିବସର ଅନ୍ତର୍ନିହିତ ତାତ୍ପର୍ଯ୍ୟକୁ ଗ୍ରହଣ କରିବାର ସାମର୍ଥ୍ୟ ରଖିପାରିବା । 
ବିପିନ ବିହାରୀ ରାଉତ,ମୋ : ୯୪୩୭୬୬୬୪୫୩