ବାଲି ବୋଝେଇ ଟ୍ରାକ୍ଟର ଜବତ, ୧ ଗିରଫ
ବୈଶିଙ୍ଗା: ବୈଶିଙ୍ଗା ଥାନା ଅନ୍ତର୍ଗତ ବାଲକା ଓ ରଙ୍ଗାମାଟିଆ ଠାରେ ଚଢ଼ାଉ କରି ଦୁଇଟି ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯିବା ସହିତ ଏହି ଟ୍ରାକ୍ଟର ଗୁଡ଼ିକୁ ସୁରକ୍ଷା ଯୋଗାଇଦେବା ଉଦେ୍ଦଶ୍ୟରେ ବ୍ୟବହାର କରାଯାଉଥିବା ଦୁଇଟି କାର ଓ ଗୋଟିଏ ବାଇକ ମଧ୍ୟ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ଉପରକୁ ଗାଡ଼ି ଚଢାଇବାକୁ ଉଦ୍ୟମ କରିଥିବା ଅଭିଯୋଗରେ ଟ୍ରାକ୍ଟର ଚାଳକ ବାଲେଶ୍ୱର ଜିଲ୍ଲାର ଆମ୍ବୁଲକୁଡା ଗ୍ରାମର ସଞ୍ଜିତ ମହାଳିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବୁଢ଼ାବଳଙ୍ଗ ନଦୀର ଗଣ୍ଡର୍ଦ୍ଦା ଘାଟରେ ଚୋରା ବାଲି ଚାଲାଣ କରାଯାଉଥିବା ଖବର ପାଇ ଏସଡିପିଓ ମିନତି ବିଶ୍ୱାଳ ଏବଂ ବୈଶିଙ୍ଗା ପୁଲିସ ବୁଧବାର ଭୋର ସମୟରେ ବାଲକା ଓ ରଙ୍ଗାମାଟିଆ ଛକ ନିକଟରେ ଜଗି ବସିଥିଲା ପୋଲିସ ଟିମ । ଟ୍ରାକ୍ଟର ଗୁଡ଼ିକୁ ଅଟକାଇବାକୁ ଚେଷ୍ଟା କରିବାରୁ ଗୋଟିଏ ଟ୍ରାକ୍ଟର ଡ୍ରାଇଭର ସଞ୍ଜିତ ପୋଲିସ ଉପରକୁ ଗାଡ଼ି ଚଢାଇ ଦେବାକୁ ଉଦ୍ୟମ କରୁଥିବା ବେଳେ ଏହାକୁ ଜବତ କରାଯାଇଥିଲା । ଉଭୟ ଟ୍ରାକ୍ଟର କୁ ସୁରକ୍ଷା ଯୋଗାଇଦେବା ଉଦେ୍ଦଶ୍ୟରେ ବ୍ୟବହାର କରାଯାଇଥିବା ଦୁଇଟି ମାରୁତି କାର ଓ ଏକ ମୋଟରସାଇକେଲ ଜବତ କରି ଥାନାକୁ ଅଣାଯାଇଛି । ଏ ସଂକ୍ରାନ୍ତରେ ବୈଶିଙ୍ଗା ଥାନାରେ ୧୨୫ ଓ ୧୨୬ ନଂ ରେ ଦୁଇଟି ମୋକଦ୍ଦମା ରୁଜୁ କରାଯାଇଛି । ବୈଶିଙ୍ଗା ପୁଲିସ ସଞ୍ଜିତକୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୭ ଜଣଙ୍କୁ ନୋଟିସ୍ ଜାରି କରାଯାଇଥିବା ସୂଚନା ମିଳିଛି ।