ବିଇଓଙ୍କ ଦାୟିତ୍ୱହୀନତା : ବର୍ଷେ ପରେବି ମିଳିଲାନି ବକେୟା
ଯାଜପୁର: ବର୍ଷେ ହେବ କେହି ଶୁଣୁନାହାନ୍ତି । ପାଉଣା ବୃଦ୍ଧି ବାବଦ ଥିବା ବକେୟା ପାଇଁ ଦାନଗଦୀ ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଏବଂ ଓସେପା ନିକଟରେ ବାରମ୍ବାର ଅଭିଯୋଗ ପରେ ବି ବକେୟା ମିଳିଲା ନାହିଁ । ବିଇଓଙ୍କ ଦାୟିତ୍ୱହୀନତାରୁ ୩ ଜଣ ପ୍ରାକ୍ତନ କନିଷ୍ଠ ଶିକ୍ଷକ ସେମାନଙ୍କ ବକେୟା ପାଇବାରୁ ବଂଚିତ ରହିଥିବା ଅଭିଯୋଗ ହୋଇଛି । ୨୦୨୪ ମାର୍ଚ୍ଚ ୧୩ ତାରିଖରେ ରାଜ୍ୟ ସରକାର ସମଗ୍ର ଶିକ୍ଷା ଯୋଜନା ଅଧିନରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକଙ୍କ ମାସିକିଆ ପାଉଣାକୁ ୧୩,୮୦୦ରୁ ୨୦,୦୦୦ ଟଙ୍କାକୁ ବୃଦ୍ଧି କରିବା ସହ ଏହାକୁ ପିଛିଲା ଭାବେ ୧ ଜାନୁଆରୀ ୨୦୨୩ରୁ ଲାଗୁ କରିଥିଲେ । ଏହାଦ୍ୱାରା ରାଜ୍ୟରେ ୧୨,୭୮୪ ଜଣ ଶିକ୍ଷକ ଲାଭବାନ ହେବେ ଓ ଏଥିପାଇଁ ସରକାରଙ୍କୁ ବର୍ଷକୁ ଅତିରିକ୍ତ ୯୫କୋଟି ଟଙ୍କା ବହନ କରିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ତେବେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ଜାନୁଆରୀ ଠାରୁ ବର୍ଦ୍ଧିତ ଦରମାର ବକେୟା ରାଶି ସେହି ବର୍ଷ ଅପ୍ରେଲ ଏବଂ ମଇ ମାସରେ ପାଇଥିଲେ । ସେହି କ୍ରମରେ ଦାନଗଦୀ ବ୍ଲକ୍ ଅଧିନ ବିଭିନ୍ନ ସ୍କୁଲରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ଏହି ଟଙ୍କା ୨୦୨୪ ମଇ ମାସ୧୯ ତାରିଖ ମଧ୍ୟରେ ସେମାନଙ୍କ ବକେୟା ରାଶି ପାଇଥିଲେ । ତେବେ ଅନ୍ୟତ୍ର ଚାକିରି ପାଇବା ପରେ ୨୦୨୩ ଡିସେମ୍ବରରୁ ୨୦୨୪ ଫେବୃଆରୀ ମାସ ମଧ୍ୟରେ କନିଷ୍ଠ ଶିକ୍ଷକ ପଦରୁ ଇସ୍ତଫା ଦେଇଥିବା ଦାନଗଦୀ ବ୍ଲକ୍ ଅଧୀନସ୍ଥ ମାଣତିରା ସରକାରୀ ସ୍କୁଲର ସ୍ୱାଗତିକା ପ୍ରିୟଦର୍ଶନୀ ଦାଶ, ରଙ୍ଗାହୁଡି ସରକାରୀ ସ୍କୁଲର ଅଜିତ ମାଝି ଓ ଅରାସାହି ପ୍ରାଥମିକ ସ୍କୁଲର ରତିକାନ୍ତ ଜେନାଙ୍କୁ ଏରିଅର ବାବଦ ଟଙ୍କା ମିଳି ନଥିଲା । ଏନେଇ ସେମାନେ ଦାନଗଦୀ ବିଇଓ ସୁଭ୍ରାଂଶୁ ପୁହାଣ ଓ ତକ୍ରାଳୀନ ଡିଇଓ ନିବେଦିତା ପାଣିଙ୍କୁ ଜଣାଇଥିଲେ । ମାତ୍ର ଦାନଗଦୀ ବିଇଓଙ୍କ କହିବା ଅନୁଯାୟୀ ୩ ପ୍ରାକ୍ତନ ଜେଟି ଚାକିରିରୁ ଇସ୍ତଫା ଦେବା ପରେ ଦରମା ବୃଦ୍ଧି ନେଇ ଚିଠି ପ୍ରକାଶ ପାଇଥିଲା । ବର୍ଦ୍ଧିତ ହାରରେ ଦରମା ୨୦୨୩ ଜାନୁଆରୀ ୧ରୁ ଲାଗୁ ହେଉଥିବାରୁ ଏହି ୩ ପ୍ରାକ୍ତନ ଜେଟି ବର୍ଦ୍ଧିତ ହାରରେ ଦରମା ଅନୁଯାୟୀ ବକେୟା ଟଙ୍କା ପାଇବେ କି ନାହିଁ, ତାହା ଆମେ କହିପାରିବୁ ନାହିଁ । ଏନେଇ ଓସେପା ନିକଟରୁ ସ୍ପଷ୍ଟୀକରଣ ଲୋଡା ଯାଇଛି । ବର୍ଷେରୁ ଊଦ୍ଧ୍ୱର୍ ଦିନ ବିତିଯିବା ସତ୍ୱେ ଚିଠିର ଉତର ନଆସିବା ବିଇଓଙ୍କ ଅପରାଗତାକୁ ପ୍ରଦର୍ଶିର୍ତ କରୁଛି । ଅପରପକ୍ଷରେ ବାରମ୍ବାର ଅଭିଯୋଗ ପରେ ବି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ, ଓସେପା ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି । ୩ ପ୍ରାକ୍ତନ ଜେଟିଙ୍କ ଅଭିଯୋଗ ଅନୁଯାୟୀ ବର୍ଦ୍ଧିତ ହାରରେ ଦରମା ଲାଗୁ ତାରିଖଠାରୁ ବର୍ଷେରୁ ଅଧିକ ସମୟ ସେମାନେ କାର୍ଯ୍ୟ କରିଛନ୍ତି । ତେଣୁ ବକେୟା ଟଙ୍କା ପାଇବାର ସେମାନେ ହକଦାର । ଏପରିକି ଅନ୍ୟ ଜିଲାମାନଙ୍କରେ ଚାକିରିରୁ ଇସ୍ତଫା ଦେଇଥିବା କନିଷ୍ଠ ଶିକ୍ଷକମାନେ ସେମାନଙ୍କ ବକେୟା ଟଙ୍କା ପାଇଛନ୍ତି । ହେଲେ ଦାନଗଦୀ ବିଇଓ ସରକାରୀ ଚିଠିକୁ ବୁଝିନପାରି ସ୍ପଷ୍ଟୀକରଣ ଲୋଡିବା ନାମରେ ଅଯଥା ବିଳମ୍ବ କରୁଛନ୍ତି । ଦାନଗଦୀ ବିଇଓ କହିଛନ୍ତି ଯେ ଚିଠି ନଂ ୯୦୬ ତା ୩୦ା୫ା୨୦୨୪ରେ ଓସେପାର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକଙ୍କ ନିକଟରୁ ସ୍ପଷ୍ଟୀକରଣ ମାଗିଛନ୍ତି । ସ୍ପଷ୍ଟିକରଣ ମିଳିନଥିବାରୁ ୩ ପ୍ରାକ୍ତନ ଜେଟିଙ୍କୁ ସେମାନଙ୍କ ବକେୟା ଟଙ୍କା ମିଳିନାହିଁ । ତେବେ ଓସେପାଠାରୁ କାହିଁକି ସ୍ପଷ୍ଟୀକରଣ ମିଳୁନାହିଁ ସେ ନେଇ କୌଣସି ତଥ୍ୟ ମିଳିନାହିଁ । ଏହାର ତୁରନ୍ତ ସମାଧାନ କରିବାକୁ ଯାଜପୁର ଜିଲା କନିଷ୍ଠ ଶିକ୍ଷକ ସମୂହ ବିଭାଗୀୟ ମନ୍ତ୍ରୀ ଏବଂ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।