ମା’ ତାରିଣୀଙ୍କ ବାର୍ଷିକ ଉତ୍ସବ 

ଭାପୁର: ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ମହୁଲିଆ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ବାର୍ଷିକ ଉତ୍ସବ ଦୁଇଦିନ ଧରି ମହାଆଡମ୍ବରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ମା’ ତାରିଣୀଙ୍କୁ ବିଶାଳ ପଟୁଆର କରି ମହୁଲିଆ ଗ୍ରାମରେ ପରିକ୍ରମା କରାଯାଇଥିଲା । ସେହିଦିନ ବିଭିନ୍ନ ନାମ କୀର୍ତ୍ତନ, ମହିଳା ସଂକୀର୍ତ୍ତନ ଓ ଭଜନ ସମାରୋହ ମା’ଙ୍କ ନିକଟରେ ପରିବେଷଣ କରାଯାଇଥିଲା । ଦ୍ୱିତୀୟ ଦିନ ମହୁଲିଆ ଗ୍ରାମର ରାଜାରାମ ଯୁବକ ସଂଘ କଳାକାରମାନଙ୍କ ଦ୍ୱାରା "କେତେ ଦୁଃଖ ଦେବୁ ଦେ ରେ ଦଇବ’ ନାଟକ ମଞ୍ଚସ୍ଥ କରାଇଥିଲା । ନାଟକ ମଞ୍ଚସ୍ଥ ପୂର୍ବରୁ ସ୍ଥାନୀୟ  ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ । ଖଣ୍ଡପଡ଼ା ଅଂଚଳର ରାଜନୀତିର ଚାଣକ୍ୟ, କିଙ୍ଗ ମେକର କୁହାଯାଉଥିବା ବରିଷ୍ଠ ସଂଗଠକ ତଥା କଟକ ସାଂସଦଙ୍କ ନୟାଗଡ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା ମୁଖ୍ୟବକ୍ତା, ୧୯ନମ୍ବର ଜୋନର ସ୍ଥାନୀୟ ଜିଲ୍ଲା ପରିଷଦ ମେମ୍ବର ସୁଶାନ୍ତ କୁମାର ସାହୁ, ଶିକ୍ଷକ ନେତା ପଞ୍ଚାନନ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଧାୟକ ସେହି ତାରିଣୀ ପୀଠର ଉନ୍ନତି ସହ ଅଂଚଳର ପୂର୍ଣ୍ଣ ବିକାଶ ପାଇଁ ଦୃଢ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଦୁଇଦିନ ଧରି ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାକୁ ପ୍ରବଳ ଜନସମାଗମ ହୋଇଥିଲା ।