ସ୍ତ୍ରୀକୁ ମାରି ଫେରାର୍ ହୋଇଥିବା ସ୍ୱାମୀ ଗିରଫ

ସ୍ତ୍ରୀକୁ ମାରି ଫେରାର୍ ହୋଇଥିବା ସ୍ୱାମୀ ଗିରଫ

 ନବରଙ୍ଗପୁର/ଚନ୍ଦାହାଣ୍ଡି : ସ୍ତ୍ରୀକୁ ମାରି ଖଟବାକ୍ସରେ ଶବ ରଖି ଫେରାର୍ ହୋଇଥିବା ସ୍ୱାମୀକୁ ଗିରଫ କରିଛି ଚନ୍ଦାହାଣ୍ଡି ପୁଲିସ । ଅଭିଯୁକ୍ତ ହେଲେ ଚନ୍ଦାହାଣ୍ଡି ଥାନା ହଳଦୀ ଗାଁର ଦୁଦରସିଂ ମାଝୀ ଓରଫ୍ ଦୁଷ୍ମନ୍ତ ମାଝୀ । ଧୁରିଆପଡ଼ା ଜଙ୍ଗଲରୁ ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।  
ଉମରକୋଟ ଏସଡିପିଓ ଶୁଭେନ୍ଦୁ କୁମାର ଶବର କହିଛନ୍ତି, ଗତ ୨୧ତାରିଖରେ ଦୁଦରସିଂଙ୍କ ଘରୁ ଦୁର୍ଗନ୍ଧ ବାହାରୁଥିବାରୁ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ଘରର ତାଲାଭାଙ୍ଗି ମୃତା ଅନିତାଙ୍କ ଶବକୁ ଖଟବାକ୍ସରୁ ବାହାର କରାଯାଇଥିଲା । ସେତେବେଳକୁ ଶବ ପଚି ଯାଇ ଦୁର୍ଗନ୍ଧ ହେଉଥିଲା । ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ସ୍ତ୍ରୀକୁ ହତ୍ୟା କରି ଫେରାର୍ ଦୁଦରସିଂଙ୍କ ନାଁରେ ଥାନାରେ ହତ୍ୟା ମାମଲା ରୁଜୁ କରାଯାଇଥିଲା । ଏହି ଘଟଣାକୁ ପୁଲିସ ଗୁରୁତର ସହିତ ନେଇ ଫେରାର୍ ଅଭିଯୁକ୍ତଙ୍କୁ ଖୋଜାଖୋଜି ଚଳାଇଥିଲା । ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ୨ଦିନ ତଳେ ହଳଦୀ ଗାଁ ନିକଟ ଧୁରିଆପଡା ଜଙ୍ଗଲରୁ ତାଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିଲା । ଗିରଫ ପରେ ପଚରାଉଚରା ବେଳେ ସ୍ତ୍ରୀକୁ ତଣ୍ଟିଚିପି ହତ୍ୟା କରିଥିବା ଦୁଦରସିଂ ପୁଲିସ୍ ନିକଟରେ ସ୍ୱୀକାର କରିଥିବା ଏସଡିପିଓ ଶ୍ରୀ ଶବର କହିଛନ୍ତି । ପ୍ରଚୁର ମଦ୍ୟପାନ କରି ଅଭିଯୁକ୍ତ ହିତାହିତଜ୍ଞାନ ହରାଇ ସ୍ତ୍ରୀ ସହ ଝଗଡ଼ା ପରେ ଏଭଳି କାଣ୍ଡ ଘଟାଇଥିବା ତଦନ୍ତକାରୀ ଅଧିକାରୀ ବିଜୁରାମ ବାଘ କହିଛନ୍ତି । ସୂଚନାଯୋଗ୍ୟଯେ, ଗତ ୧୯ତାରିଖରେ ଛତିଶଗଡ ଦେଓବନ୍ଦ ଜିଲ୍ଲା ଭତରାବାହାଲି ଗାଁରେ ରହୁଥିବା ଅନିତାଙ୍କ ବାପା ଝିଅ ଜ୍ୱାଇଙ୍କୁ ଦେଖିବାକୁ ଗାଁକୁ ଆସି ଫେରିଯାଇଥିଲେ । ହେଲେ ଝିଅଜ୍ୱାଇଙ୍କୁ ଭେଟିପାରି ନଥିଲେ । ଏହାର ଦୁଇଦିନ ପରେ ଅର୍ଥାତ୍ ୨୧ ତାରିଖରେ ଦୁଦରସିଂଙ୍କ ଘରୁ ପଚାଗନ୍ଧ ବାହାରୁଥିବାରୁ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ ।