ଯୁବକଙ୍କୁ ଭୁଜାଲି ଆକ୍ରମଣ ଘଟଣାରେ ଜଣେ ଗିରଫ

attack

ଯୁବକଙ୍କୁ ଭୁଜାଲି ଆକ୍ରମଣ ଘଟଣାରେ ଜଣେ ଗିରଫ

ସୋର ଥାନା ଫଟା ଅର୍ଜୁନ ଛକରେ ଶନିବାର ରାତିରେ ଜଣେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ ଘଟଣାରେ ସୋର ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗ ଅନୁସାରେ ଶନିବାର ରାତିରେ ଏହି ଛକରେ ତରତୁଆ ଗ୍ରାମର ରାଜେନ୍ଦ୍ର ମଲିକ ଉକ୍ତ ଛକକୁ ସଉଦା କିଣିବାକୁ ଆସିଥିବା ବେଳେ ତାଙ୍କୁ ନିମ୍ନ ଗଡିଆ ଏବଂ ତରତୁଆ ଗ୍ରାମର ପାଞ୍ଚ ଜଣ ଯୁବକ କୌଣସି କଥାକୁ କେନ୍ଦ୍ର କରି ତାଙ୍କ ଜାତି ଉଠାଇ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ରାଜେନ୍ଦ୍ର ଏହାକୁ ବିରୋଧ କରିବାରୁ ଉକ୍ତ ଯୁବକ ମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହିତ ବନ୍ଧୁକ ଦେଖାଇ ଭୟଭୀତ କରୁଥିଲେ । ଏହି ସମୟରେ ତରତୁଆ ଗ୍ରାମର ଭାଗବତ ନାୟକ ଉଭୟ ପକ୍ଷଙ୍କୁ ବୁଝାଶୁଝା କରୁଥିବା ବେଳେ ଜଣେ ଯୁବକ ହଠାତ ଭାଗବତଙ୍କ ପେଟକୁ ଭୁଜାଲିରେ ଆକ୍ରମଣ କରିଥିଲା । ଫଳରେ ଭାଗବତ ଗୁରୁତ୍ତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିବା ପରେ ଅବସ୍ଥା ଗୁରୁତ୍ତର ଥିବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ  । ଖବର ପାଇ ସୋର ପୁଲିସ ତତପରତା ଦେଖାଇ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲା  । ତେବେ ରବିବାର ପୂର୍ବାହ୍ନରେ ଏ ବାବଦରେ ସୋର ଥାନାରେ ଅଭିଯୋଗ ହେବା ପରେ ପୁଲିସ ୧୦୪/୨୫ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିଲା । ତେବେ ତଦନ୍ତ ପରେ ପୁଲିସ ଆଜି ମଧ୍ୟାହ୍ନରେ ଥାନାରେ ଅଟକ ଥିବା ତରତୁଆ ଗ୍ରାମର ବସନ୍ତ କୁମାର ଧଳ(୪୦)କୁ ଗିରଫ କରିଥିଲେ  । ଅପରାହ୍ନରେ ସୋର ମେଡିକାଲରେ ତାର ଡାକ୍ତରୀ ମାଇନା ପରେ ପୁଲିସ ତାକୁ କୋର୍ଟ ଚାଲାଣ କରିଛି ।