ବୈକୁଣ୍ଠ ଧାମର ଗୁମର ଫିଟୁଛି

ଭୁବନେଶ୍ୱର: ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରି ବାରି ଅଞ୍ଚଳରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମରେ ଜଣେ ନାବାଳକଙ୍କୁ କଳ୍‌କୀ ଅବତାର କହି ତାଙ୍କ ପାଦ ଉପରେ ତୁଳସୀ ଥୋଇ ପୂଜା କରିବା ପ୍ରସଙ୍ଗ ଭିନ୍ନ ମୋଡ଼ ନେବାରେ ଲାଗିଛି। ଦିନ ଗଡ଼ୁଥିବାବେଳେ ବାବା ଓ ଆଶ୍ରମର କାର୍ଯ୍ୟକଳାପକୁ ନେଇ ଭିନ୍ନ ଭିନ୍ନ ଅଭିଯୋଗ ଆସୁଛି। ଏପରି କି ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ମଧ୍ୟ ଦେଖିବାକୁ ମିଳୁଛି। ଅପରପକ୍ଷରେ ଆଶ୍ରମ ଗଢ଼ିଉଠିଥିବା ସ୍ଥାନ ସରକାରୀ ଜମି ବୋଲି ଅଭିଯୋଗ ଆସିବା ପରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଭୁବନେଶ୍ୱର ତହସିଲ ପକ୍ଷରୁ ମିଳିତ ଭାବେ ଆଶ୍ରମର ଜମିକୁ ମାପଚୁପ କରାଯାଇଛି। ୮ଜଣିଆ ଟିମ୍‌ ପୂର୍ବାହ୍ନରୁ ଆଶ୍ରମରେ ପହଞ୍ଚତ୍ ତଦାରଖ କରିବା ସହ ଫିତା ପକାଇ ମାପଚୁପ କରିଥିଲେ।

ଜିଏ ବିଭାଗ ସର୍ଭେ ଏନ୍‌ଫୋର୍ସମେଣ୍ଟ ସହ ନିର୍ଦ୍ଦେଶକ ଅମିୟ କୁମାର ଦାସ ଗଣମାଧ୍ୟମରେ କହିଛନ୍ତି, ଆଶ୍ରମରେ ସରଜମିନ୍‌ ତଦନ୍ତ କରାଯାଇଛି। ଆଶ୍ରମ ଥିବା ସ୍ଥାନଟି ସରକାରୀ ଜମି କିମ୍ବା ସ୍ଥିତିବାନ୍‌ ସେନେଇ ତଦାରଖ କରିଛୁ। ଏଥିସହ ପ୍ଲଟଟି ଚିହ୍ନଟ ମଧ୍ୟ କରାଯାଇଛି। ପ୍ରାଥମିକ ତଦନ୍ତରୁ ତାହା ସରକାରୀ ଜମି ମଧ୍ୟରେ ଥିବା ଜଣାପଡ଼ିଛି। ମାପଚୁପ ସରିଛି। ସରକାରଙ୍କୁ ଏହି ରିପୋର୍ଟ ଦେବୁ। ଏହାପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀ ବୈକୁଣ୍ଠଧାମ ଆଶ୍ରମର ୩ ମହଲା କୋଠା ହୋଇଥିବାବେଳେ ଏଥିରେ ବହୁ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଦିନକୁ ଦିନ ଏହି ଅଭିଯୋଗର ଲମ୍ବା ଫର୍ଦ୍ଦ ବଢ଼ିବାରେ ଲାଗିଛି। କଳ୍‌କି କୁହାଯାଉଥିବା ନାବାଳକ ଜଣଙ୍କ ପଟିଆ ଅଞ୍ଚଳରେ ଥିବା ଏକ କାଫେରେ ଟଙ୍କା ଉଡ଼ାଉଥିବା ଜଣେ ଯୁବତୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି। ଏଭଳିସ୍ଥଳେ କିଛି ମହିଳା ଆଶ୍ରମ ନିକଟରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆଶ୍ରମର ମୁଖ୍ୟ ଗେଟ୍‌ରେ ଶ୍ରୀ ବୈକୁଣ୍ଠଧାମ ଲେଖାଥିବାବେଳେ ଏହାକୁ ନେଇ ସମାଲୋଚନା କରିଥିଲେ। ଏଥିସହ ‘ଶ୍ରୀ’ ଲେଖା ଉପରେ ମାଟି ବୋଳି ପ୍ରତିବାଦ ମଧ୍ୟ କରିଥିଲେ। ଏପରି କି ଆଶ୍ରମ ଉପରେ ଲାଗିଥିବା ଏକ ଭିନ୍ନ ଧରଣର ପତାକାକୁ ବିଦେଶୀ ପତାକା କହି ମଧ୍ୟ ଜଣେ ମହିଳା ପ୍ରଶ୍ନ ଉଠାଇଛନ୍ତି। ଏନେଇ ପୋଲିସ ଆପରାଧିକ ଦିଗକୁ ନେଇ ତଦନ୍ତ ଜାରି ରଖିଛି।