‘ଭାର୍ଗବାସ୍ତ୍ର’ର ସଫଳ ପରୀକ୍ଷଣ
ଭୁବନେଶ୍ୱର: ପହେଲଗାମ ଆକ୍ରମଣ ଏବଂ ଅପରେସନ୍ ‘ସିନ୍ଦୂର’ ପର ଠାରୁ ଦେଶର ସୁରକ୍ଷାକୁ ନେଇ ଅଧିକ ତତ୍ପର ହୋଇଉଠିଛି ପ୍ରତିରକ୍ଷା ବିଭାଗ । ଯେ କୌଣସି ପରିସ୍ଥିତିରେ ଶତ୍ରୁପକ୍ଷରୁ ମାତ ଦେବାକୁ ଭାରତ ନିଜର ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବାରେ ଲାଗିଛି । ଏଥିପାଇଁ ନୂଆ ନୂଆ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ବି କରାଯାଉଛି । ଏହି କ୍ରମରେ ଆଜି ବ୍ରହ୍ମପୁରର ଗୋପାଳପୁର ବେଳାଭୂମିରେ ‘ଭାର୍ଗବାସ୍ତ୍ର’ ନାମରେ ଏକ ଡ୍ରୋନ୍ ପ୍ରତିରୋଧୀ ଅସ୍ତ୍ରର ପରୀକ୍ଷଣ କରାଯାଇଛି । ଆଉ ପ୍ରଥମ ପରୀକ୍ଷଣରେ ହିଁ ଏହି ଅସ୍ତ୍ର ସଫଳତା ଦେଇଛି । ସୋଲାର୍ ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡ୍ (ଏସ୍ଡିଏଏଏଲ୍) ପକ୍ଷରୁ ବିକଶିତ କରାଯାଇଥିବା ଏହି ଅସ୍ତ୍ରକୁ ଆଜି ଆର୍ମି ଏୟାର୍ ଡିଫେନ୍ସର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପରୀକ୍ଷା କରାଯାଇଥିଲା । ଲଗାତାର ତିନୋଟି ପରୀକ୍ଷଣ କରାଯାଇଥିବା ବେଳେ ଖୁବ୍ କମ୍ ସମୟ ମଧ୍ୟରେ ଏହା ଟାର୍ଗେଟ୍କୁ ସଫଳତାର ସହ ହିଟ୍ କରିଥିବା ଦେଖିବାକୁ ମିଳିଥିଲା । ଏମିତିକି ଗୋଟିଏ ବି ଶତ୍ରୁପକ୍ଷ ଡ୍ରୋନ୍ ଭାରତ ଭୂଇଁରେ ପଡ଼ିବନି ତଥା ପଡ଼ିବା ଆଗରୁ ହିଁ ଆକାଶରେ ବିସ୍ଫୋରଣ ହୋଇଯିବ ବୋଲି ଦାବି କରାଯାଇଛି । ଏଣୁ ଆଗାମୀ ଦିନରେ ଏହାକୁ ପ୍ରତିରକ୍ଷା ବିଭାଗରେ ସାମିଲ କରାଯିବାକୁ ପ୍ରସ୍ତୁତି କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି । ଏହି ‘ଭାର୍ଗବାସ୍ତ୍ର’ର ବିଶେଷତା ହେଉଛି ଶତ୍ରୁ ପକ୍ଷରୁ ଆସୁଥିବା ଯେକୌଣସି ଡ୍ରୋନ୍ ଭାରତ ସୀମା ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ହିଁ ସଠିକ୍ ଟାର୍ଗେଟ୍ରେ ପହଞ୍ଚô ଶତ୍ରୁପକ୍ଷର ଡ୍ରୋନ୍କୁ ଆକାଶ ମାର୍ଗରେ ନଷ୍ଟ କରି ଦେଇଥାଏ । ତେବେ ଇସ୍ରାଏଲ ମଧ୍ୟ ଏହି ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ନିଜ ଦେଶ ପାଇଁ ଆଇରନ୍ ଡୋମ୍ ବିକଶିତ କରିଛି । ଇସ୍ରାଏଲ୍ର ଏହି ଆଇରନ୍ ଡୋମ୍ ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ପ୍ରତିରକ୍ଷା ଅସ୍ତ୍ର ବୋଲି କୁହାଯାଉଥିବା ବେଳେ ସେଇ କୌଶଳକୁ ଆଧାର କରି ଭାରତ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି । ଅପରପକ୍ଷେ ମହାଭାରତ ଯୁଦ୍ଧରେ ବ୍ୟବହୃତ ହୋଇଥିବା ଅନେକ ଅସ୍ତ୍ର ମଧ୍ୟରୁ ଭାର୍ଗବାସ୍ତ୍ର ଅନ୍ୟତମ । ଋଷି ଭାର୍ଗବ ଏବଂ ପର୍ଶୁରାମଙ୍କ ବୁଦ୍ଧିମତାରେ ନିର୍ମିତ ହୋଇଥିବା ଭାର୍ଗବାସ୍ତ୍ର ଠାରୁ ଅନୁପ୍ରାଣିତ ହୋଇ ଆଜି ପରୀକ୍ଷା ହୋଇଥିବା ଡ୍ରୋନ୍ ପ୍ରତିରୋଧି ଅସ୍ତ୍ରକୁ ‘ଭାର୍ଗବାସ୍ତ୍ର’ ନାମରେ ନାମିତ କରାଯାଇଛି ।..