ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ: ବିଜେଡି

ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ: ବିଜେଡି

ଭୁବନେଶ୍ୱର : କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ହଠାତ୍‌ ଫ୍ଲଡ ଲାଇଟ ବନ୍ଦ ହୋଇଯାଇଥିଲା। ଫଳରେ ମ୍ୟାଚ୍‌ କିଛି ସମୟ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ସୋମବାର ରାଜନୀତି ତେଜିବାରେ ଲାଗିଛି। କ୍ରୀଡ଼ା ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେଡି । ମନ୍ତ୍ରୀ ଚାରି ଚାରି ଥର ବାରବାଟୀ ଯାଇ ସମୀକ୍ଷା କରିଥିଲେ। ହେଲେ କେଉଁ ପରିସ୍ଥିତିରେ ଫ୍ଲଡ ଲାଇଟ୍‌ ହଠାତ୍‌ ବନ୍ଦ ହୋଇଗଲା ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି।

ମ୍ୟାଚ୍‌ ଆରମ୍ଭରୁ ଶେଷ ଯାଏ ଡିଜି ସେଟ୍‌ ଅନ୍‌ ରହିବା କଥା ହେଲେ ଲାଇଟ୍‌ ବନ୍ଦ ହେଲା କେମିତି ବୋଲି ବିଜେଡି ନେତା ଲେନିନ ମହାନ୍ତି ଅଭିଯୋଗ କରିଛନ୍ତି। ଫ୍ଲଡ ଲାଇଟ୍‌ ବନ୍ଦ ହେବା ପ୍ରଶଙ୍ଗକୁ ନେଇ ଓଡ଼ିଶା ବିଶ୍ବରେ ନିନ୍ଦିତ ହୋଇଛି ବୋଲି ଲେନିନ କହିଛନ୍ତି। ଅନ୍ୟପକ୍ଷେ ବାରବାଟୀରେ ଫ୍ଲଡ ଲାଇଟ ଲିଭିଯିବା ପ୍ରସଙ୍ଗକୁ ନେଇ କ୍ରୀଡ଼ା ଓ ଯୁବ ବିଭାଗ ପକ୍ଷରୁ ଓସିଏକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। କାହିଁକି ମ୍ୟାଚ୍‌ ବେଳେ ଲାଇଟ୍‌ ବନ୍ଦ ହେଲା ତାହାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣା ପାଇଁ କିଏ ଦାୟୀ ତାକୁ ନେଇ ୧୦ ଦିନରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ହୋଇଛି। ଅନ୍ୟପକ୍ଷେ ଖେଳ ବାଧାପ୍ରାପ୍ତକୁ ନେଇ ଦର୍ଶକଙ୍କୁ ନିରାଶ ହେବାକୁ ପଡିଥିଲା। ଏପରିକି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏଭଳି ତ୍ରୁଟିକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।