ଭିନ୍ନ ସ୍ଥାନରେ ଦୁର୍ଘଟଣା: ଚାଲିଗଲା ୪ ଜୀବନ
ଦୁର୍ଘଟଣାର ଦିନ । ଭିନ୍ନ ଭିନ୍ନ ସ୍ଥାନରେ ୪ଟି ଦୁର୍ଘଟଣା ଘଟିଥିବା ବେଳେ ୪ ଜଣଙ୍କ ଜୀବନ ଯାଇଛି । ୧୬ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଛି । ବୋଲଗଡ଼ ଓଭରବ୍ରିଜ ନିକଟରେ ଧାନ ବୋଝେଇ ଟ୍ରକକୁ ପଛରୁ ପିଟିଲା ପିକଅପ ଭ୍ୟାନ । ଦୁର୍ଘଟଣାରେ ପିକଅପ ଭ୍ୟାନ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି ।
ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସେହିପରି ଭୁବନେଶ୍ବର ଉପକଣ୍ଠ ଗଙ୍ଗପଡା ଛକ ନିକଟରେ ଦୁର୍ଘଟଣା ଯୋଗୁଁ ୨ ଜଣଙ୍କ ଜୀବନ ଯାଇଛି । ପୁରୁଣା ଟୋଲ ଗେଟ୍ ନିକଟରେ ଟ୍ରକକୁ ପଛରୁ ଧକ୍କା ଦେଲା କାର। କାରରେ ୩ ଜଣ ଯାତ୍ରୀ ଥିବା ବେଳେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତର ଆହତ ହୋଇ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ମୃତକଙ୍କ ପରିଚୟ ଜଣାପଡ଼ି ନାହିଁ । ଇନ୍ଫୋଭ୍ୟାଲି ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି। ସୁନ୍ଦରଗଡ଼ ବଣାଇରୁ ମଧ୍ୟ ସଡ଼କ ଦୁର୍ଘଟଣାର ଚିତ୍ର ସାମ୍ନାକୁ ଆସିଛି। ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ଓଏସ୍ଆରଟିସି ବସ୍। ଓଏସ୍ଆରଟିସି ଜଗନ୍ନାଥ ବସ୍ ରାସ୍ତା ତଳକୁ ଓଲଟି ପଡ଼ିବାରୁ ୧୨ ଜଣ ଆହତ ହୋଇଛନ୍ତି । ଲହୁଣୀପଡା ରାଜ୍ୟ ରାଜପଥ ମୁଚୁରନାଳୀ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍ଟି ସୁନ୍ଦରଗଡରୁ ପୁରୀକୁ ଯାଉଥିବା ବେଳେ ୩୩ କେଭି ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବାକୁ ଦୁର୍ଘଟଣା ଘଟିଛି ।
ସେପଟେ ଆନନ୍ଦପୁର-ଭଦ୍ରକ ରାସ୍ତାର ଛେନାପଦି ଛକ ନିକଟରେ ଏକ ଟ୍ୟାଙ୍କର ଓ କ୍ଷୀର ବୋଝେଇ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । କ୍ଷୀର ବୋଝେଇ ଗାଡ଼ି ଭିତରେ ଡ୍ରାଇଭର ଓ ହେଲ୍ପର ଚାପି ହୋଇ ରହିଥିବା ବେଳେ ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରାଯାଇଛି । ସକାଳୁ ସକାଳୁ ଘନ କୁହୁଡ଼ି ପାଇଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ନନ୍ଦିପଦା ପୁଲିସ ଗାଡ଼ି ଜବତ କରିବା ସହ ତଦନ୍ତ କରୁଛି ।