ପାଣ୍ଡିଆନଙ୍କ ଖେଳ ବୁଝିପାରୁନାହାନ୍ତି ବିଜେଡ଼ି ଓ ବିଜେପି ନେତା

ପାଣ୍ଡିଆନଙ୍କ ଖେଳ ବୁଝିପାରୁନାହାନ୍ତି ବିଜେଡ଼ି ଓ ବିଜେପି ନେତା

 ଭୁବନେଶ୍ୱର: କ୍ଷମତାରେ ନଥିଲେବି ଆଜିକା ଦିନରେ ରାଜ୍ୟ ରାଜନୀତି ଭିକେ ପାଣ୍ଡିଆନଙ୍କ ଚାରିପାଖେ ଘୂରୁଛି କହିଲେ ଅତୁ୍ୟକ୍ତି ହେବନାହିଁ  । ବିଜେଡ଼ି ଅଳିନ୍ଦରେ ତାଙ୍କୁ ନେଇ ଯେତିକି ଚର୍ଚ୍ଚା ହେଉଛି, ବିଜେପି ଅଳିନ୍ଦରେ ବି ସେତିକି ଚର୍ଚ୍ଚା ହେଉଛି  । କର୍ମୀଙ୍କ କଥା ଛାଡ଼, ବଡ଼ ନେତାମାନେ ବି କିଛି ଟେର ପାଉନାହାନ୍ତି  । ବିଶେଷକରି ରାଜ୍ୟ ରାଜନୀତିର ଭବିଷ୍ୟତ ସମୀକରଣ ନେଇ କିଛିବି ଆକଳନ କରାଯାଇପାରୁନାହିଁ  । ସମସ୍ତେ ପ୍ଳାନ ଏ, ବି, ସି ହିସାବରେ ଚାଲୁଥିବା ଲକ୍ଷ୍ୟ କରାଯାଉଛି  ।
୨୦୨୪ ନିର୍ବାଚନ ପ୍ରଚାର ବେଳେ ଶୀର୍ଷ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ନେଇ ତୃଣମୂଳସ୍ତରର ନେତାମାନେ ପାଣ୍ଡିଆନଙ୍କୁ ହିଁ ନିଶାନା ସାଧୁଥିଲେ  । ଏମିତିକି ସରକାରକୁ ଆସିଲେ ବିଜେଡ଼ି ଓ ପାଣ୍ଡିଆନଙ୍କ ଦୁର୍ନୀତିର ପୋଲ୍ ଖୋଲାଯିବ  । ତଦନ୍ତ ହେବ, କାର୍ଯ୍ୟାନୁଷ୍ଠାନ ନିଆଯିବ  । ଡରରେ ରାଜ୍ୟ ଛାଡ଼ି ପାଣ୍ଡିଆନ୍ ଚାଲିଯିବେ, ଏମିତି କେତେକଥା ଲେଖୁଥିଲେ ଆଉ କହୁଥିଲେ  ।
ନିର୍ବାଚନ ଜିତିବା ପରେ ବିଜେପି କାର୍ଯ୍ୟକର୍ତ୍ତା ଓ ନେତାମାନେ ବି ସମାନ ଢଙ୍ଗରେ କହୁଥିଲେ  । ପୂର୍ତ୍ତ ମନ୍ତ୍ରୀ ୨୦୨୪ ଅଗଷ୍ଟରେ କହିଲେ, ପାଣ୍ଡିଆନ ଜନଶୁଣାଣୀ ପାଇଁ ହେଲିକପ୍ଟରରେ ଯାଉଥିଲେ  । ଏଥିପାଇଁ ଶହ ଶହ ହେଲିପ୍ୟାଡ଼ ନିର୍ମାଣ ହୋଇଥିଲା । ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବୁ  । ହେଲେ କିଛି ହେଲାନି ? ପୃଥ୍ୱୀରାଜ ହରିଚନ୍ଦନଙ୍କ ଘୋଷଣାର ବର୍ଷେ ପୂରିଗଲାଣି  । ତଦନ୍ତ ଫୁସ୍ ହୋଇଯାଇଛି କହିଲେ ଭୁଲ୍ ହେବନାହିଁ  ।
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ୨୦୨୪ ଜୁଲାଇରେ କହିଲେଯେ, ‘ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା’ରେ ବହୁ ଅନିୟମିତତା ହୋଇଛି  । ଏହାର ତଦନ୍ତ କରାଯିବ  । ଏନେଇ ବିଭାଗରେ କୌଣସି ତଥ୍ୟ ବି ନାହିଁ  । ତକôାଳୀନ ସରକାର ସିଏମଓରୁ ଏହି ଯୋଜନାର ପରିଚାଳନା କରୁଥିଲେ  । ହେଲେ ମନ୍ତ୍ରୀଙ୍କ ଘୋଷଣାକୁ ବି ବର୍ଷାଧିକ ସମୟ ହୋଇଗଲାଣି  । ତଦନ୍ତ କୁଆଡ଼େ ଗଲା ବୋଲି ବିଜେପି ନେତା ଓ କାର୍ଯ୍ୟକର୍ତ୍ତାମାନେ ବି ପ୍ରଶ୍ନ ପଚାରିବା ଆରମ୍ଭ କଲେଣି  ।
୨୦୨୪ ଅଗଷ୍ଟ  । ସେତେବେଳେ ୫ଟି ସ୍କୁଲ ପାଚେରୀ ଭୁଷୁଡ଼ିବା, ଏଲଇଡ଼ି ଅଚଳ ହେବା, ଶୌଚାଳୟ ବିପର୍ଯ୍ୟସ୍ତ ହେବା ଭଳି ଅନେକ ଖବର ନିତିଦିନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା  । ରାଜ୍ୟର ୬୮୭୨ ୫ଟି ସ୍କୁଲ୍ ପାଇଁ ପ୍ରାୟ ୩୪୧୧ କୋଟିବି ଖର୍ଚ୍ଚ ହୋଇଛି  । ସେ ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେଯେ, ୫ଟି ସ୍କୁଲରେ କୋଟି କୋଟି ଟଙ୍କାର ଅନିୟମିତତା ହୋଇଛି  । ରାଜ୍ୟ ସରକାର ସେଗୁଡ଼ିକର ତଦନ୍ତ କରିବେ  । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ହେଲେ ତଦନ୍ତ ହୋଇଛି ନା ହେଉଛି ସେ ସମ୍ପର୍କରେ କିଛି ବି ଜଣାପଡୁନାହିଁ  ।
ଗାଏମୋଟ୍ କହିଲେ ୫ଟି ଦୁର୍ନୀତି ତଦନ୍ତ ଗପ ବିଜେପିର ନେତାମାନେ ଶୁଣାଇ ଚାଲିଛନ୍ତି ବୋଲି ଲୋକେ କହୁଛନ୍ତି  । ରନôଭଣ୍ଡାର ଚାବିକାଠିରୁ ନେଇ ଅନେକ ବଡ଼ ବଡ଼ ଟେଣ୍ଡର ପର୍ଯ୍ୟନ୍ତ କିଛି ବି ସୋର ଶବ୍ଦ ନାହିଁ  । ବିରୋଧୀ ଦଳରେ ଥିବାବେଳେ ବିଜେଡ଼ି ଖାଇଗଲା, ନେଇଗଲା ବୋଲି ବିଜେପି ନେତାମାନେ ଗର୍ଜନ କରୁଥିଲେ  । ହେଲେ ସରକାରକୁ ଆସିବାର ୧୫ ମାସ ପରେ ବି ଗୋଟିଏ ଦୁର୍ନୀତିର ପ୍ରମାଣ ମିଳିପାରିନାହିଁ  । ତା’ମାନେ ପୂର୍ବ ସରକାର ଅମଳରେ ଦୁର୍ନୀତି ହୋଇଥିବାନେଇ ଯେଉଁସବୁ ଅଭିଯୋଗ ହେଉଥିଲା ତାହା ସବୁ ଅସତ୍ୟ ବୋଲି ପ୍ରମାଣିତ ହୋଇଥିବା କହିଲେ ଭୁଲ୍ ହେବକି ?
ସମ୍ପ୍ରତି ପାଣ୍ଡିଆନଙ୍କ ରାଜନୀତିକ କାର୍ଯ୍ୟକଳାପକୁ ନେଇ କେବଳ ବିଜେଡ଼ିରେ ହିଁ ଯାହା ଅସନ୍ତୋଷ ବା ଅଭିଯୋଗ ଆସୁଛି  । କିଏ କହୁଛନ୍ତି ସେ ଦଳ ଟଙ୍କା ଲୁଟ୍ କରିବେ ତ ଆଉ କିଏ କହୁଛନ୍ତି ସୁଜାତା କାର୍ତ୍ତିକେୟନଙ୍କ ଜରିଆରେ ପାଣ୍ଡିଆନ୍ ବିଜେଡ଼ିକୁ ଚଳାଇବେ  । ଅବଶ୍ୟ ପାଣ୍ଡିଆନଙ୍କୁ ନେଇ ବିଜେଡ଼ିରେ ଏବେ ଦୁଇ ଗୋଷ୍ଠୀ;  ପ୍ରୋ ପାଣ୍ଡିଆନ୍ ଓ ଆଣ୍ଟି ପାଣ୍ଡିଆନ୍  । ବାସ୍ ଏଇ ଭିତରେ ହିଁ ବିଜେଡ଼ି ରାଜନୀତି ସୀମିତ ରହିଛି  । ସେପଟେ ବିଜେପି ଏବେ ଗୋଷ୍ଠୀକନ୍ଦଳରେ ଆକ୍ରାନ୍ତ ଥିବା ଅନୁମାନ କରାଯାଉଛି  । ଦଳରେ କ୍ଷମତା ଲଢ଼େଇ ଚାଲିଥିବାରୁ ସରକାରଙ୍କୁ ୧୫ ମାସ ପୂରି ଯାଇଥିଲେବି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ନିଗମ ଅଧ୍ୟକ୍ଷ ଚୟନ ହୋଇପାରୁନାହିଁ ବୋଲି ଖୋଦ୍ ବିଜେପି ନେତାମାନେ ମତପୋଷଣ କରୁଛନ୍ତି  । ଏସବୁ ଭିତରେ ଆଉ ଏକ ଚର୍ଚ୍ଚା ୨୦୨୯କୁ ନେଇ ଆରମ୍ଭ ହୋଇଯାଇଛି  । ୨୦୨୪ରେ ମୋଦି ଓ ନବୀନ ମେଣ୍ଟ ଚାହୁଁଥିଲେ ବୋଲି ଖୋଦ୍ ପାଣ୍ଡିଆନ୍ ସୂଚନା ଦେଇଥିଲେ  । ଏହା ବି ସତ  । ମେଣ୍ଟ ହେବା ନହେବା ଅଲଗା କଥା  । କାହିଁକିନା ମୋଦି ଯଦି ମେଣ୍ଟ ପାଇଁ ଚାହୁଁନଥା’ନ୍ତେ ତେବେ ଦିଲ୍ଲୀରେ ବିଜେପି ନେତାଙ୍କୁ ଡାକି ଘନଘନ ବୈଠକ କରାଯାଉନଥା’ନ୍ତା  । ୨୦୨୪ ନିର୍ବାଚନରେ ମୋଦି ୪୦୦ ପାରର ନାରା ଦେଇଥିଲେବି ସଫଳ ହୋଇନଥିଲେ  । ୨୦୨୯ ବେଳକୁ ସରକାରଙ୍କୁ ୧୫ ବର୍ଷ ପୂରିବ  । ସ୍ୱାଭାବିକ ଭାବେ ସରକାର ବିରୋଧୀ ହାୱା ବହିବ  । ସେଭଳି ସମୟରେ ଏନଡ଼ିଏରେ ବିଜେଡ଼ିକୁ ଯଦି ମୋଦି ଯୋଡ଼ିପାରିବେ ତେବେ କେନ୍ଦ୍ରୀୟ ବିଜେପି ପାଇଁ ତାହା ଲାଭଦାୟକ ହେବ  । ଆଜିକା ଦିନରେ ରାଜ୍ୟ ରାଜନୀତିର ଭୋଟ ଅଙ୍କକୁ ଦେଖିଲେ ଦୁଇ ଦଳ ଏକାଠି ଲଢ଼ିଲେ ବୃହତ୍ ବିଜୟ ହାସଲ କରିପାରିବେ  । କାହିଁକିନା ଶହେରୁ ଅଧିକ ଆସନରେ କଂଗ୍ରେସର ଅମାନତ ନାହିଁ  । ଯଦି ବିଜେଡ଼ି ବିରୋଧରେ ବିଜେପି ଶାଣିତ ହେବ ତାହେଲେ ବିଜେଡ଼ି-କଂଗ୍ରେସ ଏକାଠି ହେବାର ବାଟ ଖୋଲିବ  । ଉଭୟ ଏକାଠି ହେଲେ ୨୦୨୯ରେ ବିଜେପିର ବିଜୟ ଆଶାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହେବା ସ୍ୱାଭାବିକ  । ଏବେବି ବିଜୁ ଜନତା ଦଳର ଷ୍ଟ୍ରଙ୍ଗ କ୍ୟାଡ଼ର ଅଛନ୍ତି  । ଏକଥା ବିଜେପି ନେତାମାନେ ବି ସ୍ୱୀକାର କରୁଛନ୍ତି  । ବୋଧହୁଏ ବିଜେଡ଼ିକୁ ବା ଆଗାମୀ ଦିନରେ ବିଜେଡ଼ିର ନେତୃତ୍ୱ ନେବାକୁ ଯାଉଥିବା ପାଣ୍ଡିଆନଙ୍କୁ ଟାର୍ଗେଟ୍ ନକରିବାକୁ ସରକାରଙ୍କୁ ଦିଲ୍ଲୀରୁ ପରାମର୍ଶ ଦିଆଯାଇନି ତ ? ଗାଏମୋଟ୍ କହିଲେ ୨୦୨୯ ପାଇଁ ନବୀନ ଓ ବିଜେଡ଼ିର ଆବଶ୍ୟକତା ରହିଛି ବୋଲି ବିଜେପିର ଶୀର୍ଷ ନେତୃବୃନ୍ଦମାନେ ଅନୁଭବ କରୁଛନ୍ତି  । ଯଦି ଏମିତି ସମ୍ଭାବନା ବଢ଼ି ବଢ଼ି ଚାଲେ ତେବେ ରାଜ୍ୟ ରାଜନୀତିକୁ ପାଣ୍ଡିଆନ୍ ହିଁ ନିୟନ୍ତ୍ରଣ କରିିବେ ବୋଲି କହିଲେ ଭୁଲ୍ ହେବନାହିଁ  ।