ପ୍ରକାଶଙ୍କୁ ବଡ଼ ଦାୟିତ୍ୱ: ନବୀନ ଫିଙ୍ଗିଥିଲେ, ମୋହନ କୋଳେଇଲେ 

ପ୍ରକାଶଙ୍କୁ ବଡ଼ ଦାୟିତ୍ୱ:  ନବୀନ ଫିଙ୍ଗିଥିଲେ, ମୋହନ କୋଳେଇଲେ 

ଭୁବନେଶ୍ୱର : ପୂର୍ବତନ ପୁଲିସ୍‌ ଡିଜି ପ୍ରକାଶ ମିଶ୍ରଙ୍କୁ ମୋହନ ସରକାର ବଡ଼ ଦାୟିତ୍ୱ ଦେଇଛନ୍ତି  । ପ୍ରକାଶଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛି  । ଫଳରେ ସେ ଏବେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ଭଳି ସୁବିଧା ସୁଯୋଗ ପାଇବେ  । ନବୀନ ସରକାରଙ୍କ ଅମଳରେ ପ୍ରକାଶଙ୍କୁ ନାନାଦି ନିର୍ଯ୍ୟାତନା ଦିଆଯାଇଥିଲା  । ଯେତେପ୍ରକାର ସମ୍ଭବ ସରକାର ତାଙ୍କୁ ଅକଳରେ ପକାଇଥିଲେ  । ଏମିତିକି କେନ୍ଦ୍ରରେ ବଡ଼ ପଦବୀ ମିଳିବାର ଥିଲେବି ନବୀନ ସରକାର ତାହା କରାଇ ଦେଇନଥିଲେ  । ଶେଷରେ ବାଧ୍ୟ ହୋଇ ରାଜନୀତିକୁ ଓହ୍ଲାଇଥିଲେ ପ୍ରକାଶ  । ୨୦୧୯ ନିର୍ବାଚନରେ ସେ କଟକରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ  । ବିଜେପି ବି ତାଙ୍କୁ ବହୁ ଗୁରୁଦାୟିତ୍ୱ ଦେଇଥିଲା  । ୨୦୨୪ରେ ବିଜେପି ତାଙ୍କୁ କଟକ ଟିକେଟ ନଦେବା ପରେ ପ୍ରକାଶ ଆଉ ରାଜନୀତି କରିବେ ନାହିଁ ବୋଲି ଅନୁମାନ କରାଯାଉଥିଲା  । କିନ୍ତୁ ଏବେ ମୋହନ ସରକାର ପ୍ରକାଶଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି  । ଏଣିକି ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପରାମର୍ଶ ଦେବେ  । ତାଙ୍କୁ କ୍ୟାବିନେଟ୍‌ ର‍୍ୟାଙ୍କ ବି ଦିଆଯାଇଛି  । ଯାହାଫଳରେ ପ୍ରକାଶ ଏବେ ବିଜେପିର ପାୱାରଫୁଲ ମ୍ୟାନ୍‌ ଭାବେ ଉଭା ହୋଇଛନ୍ତି  । ନିକଟରେ ପ୍ରକାଶଙ୍କ କମେଡ଼ି ଇନ୍‌ ଖାକି ବହିଟି ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି  । ଏମିତିକି ବିଜେଡ଼ି ପ୍ରକାଶଙ୍କ ବିରୋଧରେ ଆନ୍ଦୋଳନ ବି କରିବାକୁ ପଛାଇନାହିଁ  । ଏଭଳି ସମୟରେ ପ୍ରକାଶଙ୍କୁ ମୋହନଙ୍କ ଗୁରୁଦାୟିତ୍ୱ ବିଜେଡ଼ିକୁ ଥାପଡ଼ ବୋଲି ଚର୍ଚ୍ଚା ହେଉଛି  ।
୧୯୭୭ ବ୍ୟାଚ୍‌ ଆଇପିଏସ ପ୍ରକାଶ ମିଶ୍ର ଜଣେ ଭଲ ଅଫିସର ଭାବେ ଦେଶରେ ଖ୍ୟାତି ଅର୍ଜନ କରିଛନ୍ତି  । ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ସେ ରାଜ୍ୟର ଡିଜିପି ଥିଲେ  । ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ସିଆରପିଏଫ ଡିଜି ଭାବେ ବି ସେ କାମ କରିଛନ୍ତି  । ଏନଡ଼ିଆରଏଫ ଓ ଏନଆଇଏ ଭଳି ସଂସ୍ଥାର ବି ସେ ନେତୃତ୍ୱ ନେଇଥିଲେ  । କିନ୍ତୁ ଜଣେ ସଚ୍ଚୋଟ ଅଫିସର ହୋଇଥିବାରୁ ନବୀନ ସରକାର ତାଙ୍କୁ କୋଣଠେସା କରିଦେଇଥିଲା  । ବିଜେଡ଼ିର ଟଙ୍କା ଗାଡ଼ିକୁ ଚେକିଂ କରିବାରୁ ତାଙ୍କ ଉପରେ ନବୀନ ବାବୁ ରାଗି ଯାଇଥିଲେ ବୋଲି ପ୍ରକାଶ ଗଣମାଧ୍ୟମକୁ ବି କହିସାରିଛନ୍ତି  ।