୧୩ ଯାଏଁ ବର୍ଷା : ନରାଜରେ ମହାନଦୀ, ଇନ୍ଦୁପୁରରେ ବ୍ରାହ୍ମଣୀ ବିପଦସଂକେତ ନିକଟବର୍ତ୍ତୀ
ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ତତ୍ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ଉପର ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଅପରପକ୍ଷରେ ଆସନ୍ତା ୧୩ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ହେବାର ଥିବାବେଳେ ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି ।
ଆସନ୍ତାକାଲି ମାଲକାନାଗିରି, କୋରାପୁଟ, ରାୟଗଡ଼ା ଓ ଗଜପତିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ା ଓ ଗଞ୍ଜାମରେ ଝଡ଼ବର୍ଷାର ସମ୍ଭାବନା ଅଛି । ଏହିସବୁ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷରେ ଆସନ୍ତା ୧୧ରେ ମୟୂରଭଞ୍ଜ ଓ କେନ୍ଦୁଝରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୧୨ରେ ରାୟଗଡ଼ା ଓ କୋରାପୁଟକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ଗତ କିଛିଦିନ ଧରି ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଥିବାବେଳେ ସ୍ଥାନେସ୍ଥାନେ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଜଳସମ୍ପଦ ବିଭାଗର ତଥ୍ୟ ଅନୁଯାୟୀ ମହାନଦୀ ଜଳସ୍ତର ନରାଜ ଠାରେ ବିପଦସଂକଟ ନିକଟବର୍ତ୍ତୀ ହୋଇଛି । ତେବେ ହୀରାକୁଦର ୪ ଗେଟ୍ ବନ୍ଦ କରାଯାଇଥିବାରୁ ବନ୍ୟା ବିପଦ ଟଳିଯିବ ବୋଲି ଆଶା ପ୍ରକାଶ କରାଯାଉଛି । ସେହିପରି ଦେବୀ ନଦୀ ଆଳିପିଙ୍ଗଳ ଠାରେ ବଢୁଥିବାବେଳେ ବ୍ରାହ୍ମଣୀ ନଦୀ ଇନ୍ଦୁପୁର ଠାରେ ବଢୁଛି । ଏହା ଏବେ ବିପଦସଂକେତ ପାଖାପାଖି ହୋଇଛି । ବାକି ଅନ୍ୟ ସବୁ ନଦୀର ଜଳସ୍ତର କମୁଛି ବା ସ୍ଥିର ରହିଥିବା ଲକ୍ଷ୍ୟ କରାଯାଉଛି । ତେବେ ଆସନ୍ତା ୧୩ ପର୍ଯ୍ୟନ୍ତ ବର୍ଷା ଥିବାରୁ ଜଳସ୍ତର ବୃଦ୍ଧିର ଆଶଙ୍କା ରହିଛି ।