ଦଳ ସହ ବ୍ୟକ୍ତିତ୍ୱକୁ ପରଖୁଛନ୍ତି ଭୋଟର

ଢେଙ୍କାନାଳରୁ ଲକ୍ଷ୍ମୀନାରାୟଣ ତ୍ରିପାଠୀ :
ଢେଙ୍କାନାଳ ବିଧାନସଭାନିର୍ବାଚନମଣ୍ଡଳୀରେ ବିଧାୟକ ପଦବୀ ପାଇଁ ୮ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଏବଂ ବିଜେଡି ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ହେବ । ଅନ୍ୟ ପ୍ରାର୍ଥୀଙ୍କ ସହ ଏହି ୩ ପ୍ରମୁଖ ଦଳର ପ୍ରାର୍ଥୀମାନେ ନିର୍ବାଚନୀ ବୈତରଣୀ ପାର୍‌ ପାଇଁ ଜୋର୍‌ଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି । ଗାଁ ଗାଁ ଏବଂ ଘର ଘର ବୁଲି ଭୋଟ ଭିକ୍ଷା କରିବା ସହ ଅନ୍ୟ ପ୍ରାର୍ଥୀର ସମର୍ଥକଙ୍କୁ ନିଜ ପ୍ରତି ଆକୃଷ୍ଟ କରାଇବା ପାଇଁ ବିଭିନ୍ନ କୌଶଳ ମଧ୍ୟ ଜାରି ରଖିଛନ୍ତି । କେନ୍ଦ୍ର ସରକାର ନରେନ୍ଦ୍ର ମୋଦିଙ୍କର ବିକାଶମୂଳକ କାର୍ଯ୍ୟକୁ ଆଧାରକରି ବିଜେପି ଦଳର ପ୍ରାର୍ଥୀ ପ୍ରଚାର କରୁଥିବା ବେଳେ କଂଗ୍ରେସ ତାର ନୂଆ ନିର୍ବାଚନୀ ଇସ୍ତହାରକୁ ନେଇ ପ୍ରଚାର ଚଳାଇଛି । ସେହିପରି ନବୀନ ପଟ୍ଟନାୟକଙ୍କର ଲୋକାଭିମୁଖୀ ଯୋଜନା ତଥା ଚଳିତ ଇସ୍ତହାରରେ  ନୂତନ ଗ୍ୟାରେଣ୍ଟିକୁ ଆଧାରକରି ବିଜେଡି ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନାରେ ଅବତୀର୍ଣ୍ଣ ହୋଇଛନ୍ତି । ଏସବୁ ବାଦେ ମଧ୍ୟ ଭୋଟରମାନେ ସବୁପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଓ ସାମର୍ଥ୍ୟକୁ ପରଖୁଛନ୍ତି ।  
ଢେଙ୍କାନାଳ ସଦର ବ୍ଲକର ୨୧ଟି ପଞ୍ଚାୟତ, ଗଁଦିଆ ବ୍ଲକର ୨୯ଟି ପଞ୍ଚାୟତ, ମ୍ୟୁନିସପାଲଟିର ୨୩ଟି ୱାର୍ଡକୁ ନେଇ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ । ଏହି କ୍ଷେତ୍ରରୁ ଚଳିତ ଥର ୨ ଲକ୍ଷ ୭୧ ହଜାର ୧୬୪ ଜଣ ଭୋଟର ୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଢେଙ୍କାନାଳ ବିଧାନସଭା ଆସନରେ  ବିଜେଡି ପ୍ରାର୍ଥୀ ସୁଧୀର କୁମାର ସାମଲ, ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର, କଂଗ୍ରେସର ସୁସ୍ମିତା ସିଂଦେଓ, ଆପ ଦଳର ଭରତ କୁମାର ଦାସ,  ସମୃଦ୍ଧ ଓଡିଶାର ସ୍ୱତୀଦା ଶତପଥୀ, ସ୍ୱାଧୀନପ୍ରାର୍ଥୀ ବିକାଶ ନାଏକ, ମେଘନାଦ ନନ୍ଦ, ଉତମ ମହାନ୍ତି ପ୍ରମୁଖ ନିର୍ବାଚନ ଲଢୁଛନ୍ତି । ୩ ମୁଖ୍ୟ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ଜୋର୍‌ଦାର ହେବାକୁ ଥିବା ବେଳେ ବର୍ତ୍ତମାନ ସମୟରେ ଜନସାଧାରଣ ଦଳୀୟ ଚିହ୍ନ ଅପେକ୍ଷା ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱକୁ ଅଧିକ ପ୍ରାଧାନ୍ୟ ଦେବେ ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ଆଲୋଚନା ହେଉଛି ।
ଚଳିତ ଥର ବିଜେଡିରୁ ପ୍ରାର୍ଥୀ ହୋଇଥିବା ସୁଧୀର କୁମାର ସାମଲ ୨୦୦୦ ମସିହାରେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇ ନିଜର ରାଜନୈତିକ ଜୀବନ ଆରମ୍ଭକରିବା ସହ ସେହି ନିର୍ବାଚନରେ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ୨୦୦୪ ମସିହାରେ ସେ ବିଗ୍ରେଡିୟର ରାଜା କେପି ସିଂହଦେଓଙ୍କ ଆଶୀର୍ବାଦରୁ କଂଗ୍ରେସରୁ ପ୍ରାର୍ଥୀ ହୋଇ ପ୍ରଥମକରି ଢେଙ୍କାନାଳ ବିଧାୟକ ହୋଇଥିଲେ । ତା’ପରେ ସେ କଂଗ୍ରେସରୁ ଓହରିଆସି ବିଜେଡିରେ ଯୋଗଦେଇଥିଲେ । ଗତ ୨୦୧୯ ନିର୍ବାଚନରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ । ଚଳିତ ଥର ସେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି । ସେ  ଜଣେ ଭଲ ସଂଗଠକ ହୋଇଥିବା ବେଳେ ବିଭିନ୍ନ ଯୁବ ସଂଗଠନ ସହ ଜଡିତ ଥାଇ ଯୁବ ଭୋଟରମାନଙ୍କୁ   ହାତେଇଛନ୍ତି । ନବୀନ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନାଗୁଡିକ ଢେଙ୍କାନାଳ ନିର୍ବାଚନମଣ୍ଡଳୀରେ ଗତ ୫ ବର୍ଷ ଧରି କାର୍ଯ୍ୟକାରୀ କରାଇପାଇଥିବାରୁ ସେ ଅନ୍ୟ ପ୍ରାର୍ଥୀମାନଙ୍କ ଠାରୁ ଭିନ୍ନ ହେବା ସହ ହେଭିୱେଟ୍‌ ନେତା ଭାବେ ପରିଚିତ ହୋଇଛନ୍ତି । ସେ ମଧ୍ୟ ନିର୍ବାଚନର ଛବିକୁ ବଦଳାଇଦେଇପାରିବାର ସାମର୍ଥ୍ୟ ରଖିଥିବା ତାଙ୍କ ସମର୍ଥକ ମହଲରେ ଆଲୋଚନା ହେଉଛି ।
ଅନ୍ୟ ପକ୍ଷରେ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ଆରମ୍ଭରୁ ବିଜେପି ଦଳ ସହ ରହି ନିର୍ବାଚନ ଲଢିଆସୁଛନ୍ତି । ୨୦୦୦ ମସିହାରେ ବିଜେଡି ସହ ମେଣ୍ଟ ଥିଲାବେଳେ ସେ ବିଜେପିର ପ୍ରାର୍ଥୀ ହୋଇ ଢେଙ୍କାନାଳ ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ । ପରେ ୨୦୦୪, ୨୦୦୯ ଓ ୨୦୧୪,୨୦୧୯ ନିର୍ବାଚନରେ ସେ ବିଜେପିର ଦଳୀୟ ପ୍ରାର୍ଥୀ ହୋଇ ଢେଙ୍କାନାଳ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିଥିଲେ ମଧ୍ୟ ସେ ତାଙ୍କର ପ୍ରତିଦ୍ୱନ୍ଦୀ ପ୍ରାର୍ଥୀଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଆସୁଥିଲେ ମଧ୍ୟ ଜିତିପାରୁନଥିଲେ । ଶ୍ରୀ ପାତ୍ର ୧୯୯୫ ସାଧାରଣ ନିର୍ବାଚନରେ ଗଁଦିଆ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇ ହାରିଥିବା ବେଳେ ସେବେ ଠାରୁ ସେଠାରେ ତାଙ୍କର ସଂଗଠନ ରହିଆସିଛି ।  ଶ୍ରୀ ପାତ୍ର ବିଜେପିର ଅପରିବର୍ତ୍ତିତ ପ୍ରାର୍ଥୀ ଭାବେ ଭୋଟରମାନଙ୍କ ସମ୍ମୁଖୀନ ହେଉଛନ୍ତି । ଦଳ ବଦଳ ପାଇଁ ଅନେକ ଅସନ୍ତୁଷ୍ଟିଆ ବିଜେଡି ଓ କଂଗ୍ରେସରେ ସୃଷ୍ଟି ହୋଇଥିବା ବେଳେ ବିଜେପିରେ ଲଗାତାର ପ୍ରାର୍ଥୀ ହୋଇ ହାରିବା ସତ୍ୱେ ଅନ୍ୟ କେହି ପ୍ରାର୍ଥୀ ପାଇଁ ସୁଯୋଗ ନପାଇବାରୁ ବିଜେପିରେ ମଧ୍ୟ ଅସନ୍ତୁଷ୍ଟିଆଙ୍କ ସଂଖ୍ୟା ବଢିଛି  ।  ଯେଉଁଥିପାଇଁ ଭୋଟରମାନଙ୍କ ମତିଗତି ଭ୍ରମିତ ହୋଇଯାଇଥିବା ସାଧାରଣରେ ଆଲୋଚନା ହେଉଛି । ଏହି ଆସନରେ ବିଜେଡି ବିଜେପି ପୁରୁଣା ମୁହଁକୁ ଦୋହରାଇଥିବା ବେଳେ କଂଗ୍ରେସ ମହିଳା କାର୍ଡ ଖେଳି ସଂପୂର୍ଣ୍ଣ ନୂଆମୁହଁ ଭାବେ ଢେଙ୍କାନାଳ ରାଜପରିବାରର ବୋହୁ ଶ୍ରୀମତି ସୁସ୍ମିତା ସିଂହଦେଓଙ୍କୁ ପ୍ରାର୍ଥୀ କରିଛନ୍ତି । ଅତୀତରେ ରାଜା ବ୍ରିଗେଡିୟର କାମାକ୍ଷାପ୍ରସାଦ ସିଂହଦେଓ ବହୁଥର ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇପାରିଥିଲେ । ସେ ଦଳୀୟ ମଙ୍ଗଧରି ଢେଙ୍କାନାଳକୁ କଂଗ୍ରେସର ଗଡଭାବେ ପରିଣତ କରିଥିଲେ । ତାଙ୍କ ନିର୍ଦ୍ଦେଶରେ ଅତୀତରେ କଂଗ୍ରେସରୁ ଯିଏ ଢେଙ୍କାନାଳ ବିଧାନସଭା ଆସନରୁ ପ୍ରାର୍ଥୀ ହେଉଥିଲେ, ପ୍ରାୟତଃ ସର୍ବାଧିକ ଭୋଟ ତାଙ୍କ ସପକ୍ଷରେ ଯାଉଥିଲା । ସମ୍ପ୍ରର୍ତ୍ତିି ବୟସ ଦୃଷ୍ଟିରୁ ରାଜନୀତିରୁ ଦୂରେଇ ରହିଛନ୍ତି । କଂଗ୍ରେସର ସେ ଦିନ ଆଉ ନାହିଁ କର୍ପୁର ଉଡିଯାଇ କନା ପଡିଛି, ଏଠାରେ କଂଗ୍ରେସର ସଂଗଠନ ଅତ୍ୟନ୍ତ ଦୁର୍ବଳ । କିଛି ପକେଟ ଭୋଟକୁ ପୁଞ୍ଜିକରି ଏବଂ ଏଆଇସିସି ମୁଖ୍ୟ ରାହୁଲଗାନ୍ଧିଙ୍କ ନିର୍ବାଚନୀ ଇସ୍ତହାର ଆଧାରରେ ଭୋଟରମାନଙ୍କୁ ଜୁଟାଇବାକୁ ଲାଗିପଡିଛନ୍ତି ଶ୍ରୀମତି ସୁସ୍ମିତା ସିଂହଦେଓ । ୨୩ ତାରିଖରୁ ପ୍ରଚାର ବନ୍ଦ ହୋଇଯିବ । ଏଣୁ ୩ ପ୍ରମୁଖ ଦଳର ଏହି ପ୍ରାର୍ଥୀମାନେ ନିଜ  ନିଜର ପ୍ରଚାରକୁ ଜୋରଦାର କରିଛନ୍ତି । ହେଲେ ଚଳିତ ଥର ନିର୍ବାଚନରେ ଭୋଟର ଦଳକୁ ଦେଖିବା ସହ ପ୍ରାର୍ଥୀଙ୍କ  ବ୍ୟକ୍ତିତ୍ୱକୁ ମଧ୍ୟ ପରଖୁଛନ୍ତି । ଯାହା ସପକ୍ଷରେ ଉଭୟର ଫଳାଫଳ ଅଧିକ ପାଇବେ ସେହିପ୍ରାର୍ଥୀକୁ ଚୟନ କରିବାର ସମ୍ଭାବନା ଅଧିକ ରହିଛି ବୋଲି ରାଜନୈତିକ ସମୀକ୍ଷକ ମହଲରେ ମତପ୍ରକାଶ ପାଇଛି ।