ଆଉ ୯ ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ନବୀନ
naveen patnaik, Biju Janata Dal
ବାଲେଶ୍ୱର ଲୋକସଭାରୁ ଲଢ଼ିବେ ଲେଖାଶ୍ରୀ
ସମ୍ବଲପୁରରୁ ଲଢ଼ିବେ ପ୍ରସନ୍ନ ଆଚାର୍ଯ୍ୟ
୫ ସ୍ଥାନରେ ପ୍ରାର୍ଥୀ ରିପିଟ୍
ସମ୍ବିତଙ୍କ ଟିକେଟ କଟିଲା, ପତ୍ନୀ ପାଇଲେ
ଭୁବନେଶ୍ୱର : ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଆଜି ୯ଟି ବିଧାନସଭା ଓ ବାଲେଶ୍ୱର ଲୋକସଭା ଆସନ ପାଇଁ ନବୀନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ବାଲେଶ୍ୱର ଲୋକସଭା ଆସନ ପାଇଁ ଲେଖାଶ୍ରୀ ସାମନ୍ତସିଂହରାୟଙ୍କୁ ଟିକେଟ ମିଳିଛି । ୫ ବିଧାୟକଙ୍କୁ ଟିକେଟ ମିଳିଥିବାବେଳେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀଙ୍କୁ ଟିକେଟ ମିଳିଛି ।
ଲକ୍ଷ୍ମୀପୁରରୁ ପୁଣିଥରେ ପ୍ରଭୁ ଜାନିଙ୍କୁ ବିଜେଡ଼ି ପ୍ରାର୍ଥୀ କରିଛି । ସେହିପରି ଗତଥର ବରଗଡ଼ରୁ ଲୋକସଭା ନିର୍ବାଚନ ଲଢ଼ିଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ସମ୍ବଲପୁର ବିଧାନସଭା ପାଇଁ ପ୍ରାର୍ଥୀ କରିଛି । ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଟିକେଟ କଟିଯାଇଥିଲେବି ତାଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିବ । ରେଢ଼ାଖୋଲରେ ପୁଣିଥରେ ରୋହିତ ପୂଜାରୀଙ୍କ ଉପରେ ଭରସା କରିଛନ୍ତି ନବୀନ । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ଉପରେ ବି ବିଜେଡ଼ି ଆସ୍ଥା ରଖି ଟିକେଟ ଦେଇଛି ।
ସବୁଠାରୁ ବଡ଼ କଥାହେଉଛି, ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ପାଇଁ ପୁଣିଥରେ ଅନନ୍ତ ନାରାୟଣ ଜେନାଙ୍କୁ ସୁଯୋଗ ମିଳିଛି । ଅନନ୍ତଙ୍କ ବିରୋଧରେ ଗତ ମାସେ ଧରି ଅନ୍ୟ ଆଶାୟୀମାନେ ଆନ୍ଦୋଳନ କରି ଆସୁଥିଲେ । ଏନେଇ ନବୀନ ନିବାସ ଓ ଶଙ୍ଖ ଭବନରେ ବି ଘନଘନ ବୈଠକ ବସୁଥିଲା । ଯେଉଁଥିପାଇଁ ଭୁବନେଶ୍ୱର ମଧ୍ୟ ଅଙ୍କ ତୁଟି ପାରୁନଥିଲା । ଅନନ୍ତଙ୍କ ଟିକେଟ କଟିବ ବୋଲି ଚର୍ଚ୍ଚା ହେଉଥିଲେବି ଶେଷରେ ସେ ନିଜ ରଣନୀତିରେ ସଫଳ ହୋଇଛନ୍ତି ।