ବିଜେପିକୁ ଅମରଙ୍କ ପ୍ରଶାଂସା

ଭୁବନେଶ୍ୱର:   ଆଜି ଖୋଲିବ ରତ୍ନଭଣ୍ଡାର। ସେଥିପାଇଁ ଶୁଭ ମୁହୂର୍ତ୍ତ ଧାର୍ୟ୍ୟ ହୋଇସାରିଛି। ରତ୍ନଭଣ୍ଡାର ଖୋଲିବା ପାଇଁ ଦିନ ୧ଟା ୨୮ ମିନିଟ ହେଉଛି ଶୁଭ ମୁହୂର୍ତ୍ତ। ଗୋଟିଏ ପଟେ ରତ୍ନଭଣ୍ଡାର ଖୋଲିବାକୁ ନେଇ ସବୁଠି ଉତ୍ସାହ ଲାଗିରହିଛି । ଆଉ ଏହାରି ଭିତରେ ବିଜେପି ସରକାରର ଏହି ପଦକ୍ଷେପକୁ ପ୍ରଂଶସା କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଅମର ଶତପଥୀ ।  ସେ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ପାଇଁ ସାରା ବିଶ୍ୱର ଜଗନ୍ନାଥ ପ୍ରେମୀ ଚାହିଁ ରହିଥିଲେ । ରତ୍ନଭଣ୍ଡାର ଉପରେ ଯେଉଁ ପ୍ରହେଳିକା ଥିଲା, ତାହା ମଧ୍ୟ ଦୂର ହେବ । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ଅମର ଶତପଥୀ । ଖାଲି ସେତିକି ନୁହେଁ, ବିଜେପି ସରକାରକୁ ପ୍ରଂଶସା କରି ସେ କହିଛନ୍ତି, ବିଜେପିର ଏହା ନିର୍ବାଚନ ପ୍ରତିଶ୍ରୁତି ଥିଲା । ତାହା ସେମାନେ ପାଳନ କରିଛନ୍ତି । ତେବେ ଚାବି କେଉଁଠି ଥିଲା ତାର ରିପୋର୍ଟ ସାର୍ବଜନୀନ ହେବା ଦରକାର ବୋଲି ସେ କହିଛନ୍ତି । ଏଥିସହ ଯିଏ ଦୋଷ କରିଥିବ ତା ଉପରେ କାର୍ୟ୍ୟାନୁଷ୍ଠାନ ହେବା ଉଚିତ୍ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ।