ବୋମା ବିସ୍ଫୋରଣ, ଜଣେ ମୃତ

 ନିଶ୍ଚିନ୍ତକୋଇଲି : ନେମାଳ ଥାନା ଝାଡେଶ୍ୱରପୁର ପଞ୍ଚାୟତ ମନାନଗଡା ନିକଟ ଏକ ଭଡ଼ା ଘରେ ରହୁଥିବା ଜଣେ ବ୍ୟକ୍ତି ବୋମା ଭିଡ଼ୁଥିବା ବେଳେ ଅସାବଧାନତାରୁ ବିସ୍ଫୋରଣ ଘଟି ଏଥିରେ ଜଣକର ମୃତୁ୍ୟ ହୋଇଛି । ମୃତ ବ୍ୟକ୍ତି ଜଣକ ମିର୍ଜା ଆକବର ବେଗ ବୋଲି ଜଣାପଡ଼ିଛି । ଗତକାଲି ବିଳମ୍ବିତ ରାତିରେ ଏ ଘଟଣା ଘଟିଥିବା ବେଳେ ପୁଲିସ୍ ପହଞ୍ଚô ମିର୍ଜାଙ୍କୁ ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ମେଡିକାଲ୍ରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ମୃତୁ୍ୟ ହୋଇଥିଲା । ତେବେ ବିସ୍ଫୋରଣର ଶବ୍ଦ ଏବେ ପ୍ରଚଣ୍ଡ ଥିଲା ଯେ, ସ୍ଥାନୀୟ ଲୋକେ ଶବ୍ଦ ଶୁଣି ଉଠିପଡ଼ିବା ସହ ସେହି ଭଡ଼ାଘରର ଅଧେ କାନ୍ଥ ଭାଙ୍ଗିରୁଜି ଘରେ ଲାଗିଥିବା ଏକ ସଟର ଖଣ୍ଡେ ଦୂରରେ ଛିଟିକି ପଡ଼ିଥିଲା । ପୁଲିସ୍ ଘଟଣାସ୍ଥଳରୁ ୧୦ଟି ଅଫୁଟା ବୋମା ଜବତ କରିବା ସହ ସମ୍ପୃକ୍ତ ଭଡ଼ାଘର ମାଲିକଙ୍କ ପୁଅ ସମେତ ୫ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି । ତେବେ ଜବତ ବୋମାଗୁଡ଼ିକ ଟିଫିନ୍ ବୋମା ବୋଲି ଅଞ୍ଚଳରେ ଆଲୋଚନା ହେଉଥିବା ବେଳେ ଏହାକୁ ନଷ୍ଟ କରିବା ପାଇଁ ପୁଲିସ୍ ପ୍ରୟାସ ଜାରି ରଖିଛି । ଆସନ୍ତା ୧୧ରେ ନିକଟ ଦୂରରେ ଥିବା ନେମାଳ ଅଚୁ୍ୟତାନନ୍ଦଙ୍କ ପୀଠରେ ମହାପୁରୁଷଙ୍କ ସ୍ୱନକ୍ଷତ୍ର ଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ଏଭଳି ଘଟଣାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ପୁଲିସ୍ କେସ୍ ନଂ ୧୩୧/୨୫ ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।