ଚାଷୀଙ୍କୁ ଭେଟିବେ ସରକାର : ସାକ୍ଷୀଗୋପାଳରୁ ବିକଶିତ କୃଷି ସଂକଳ୍ପ ଅଭିଯାନ
ଭୁବନେଶ୍ୱର: ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ପୁରୀର ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଯୋଗଦେଇ ଏହି ଜାତୀୟ କାର୍ଯ୍ୟକ୍ରମକୁ "ଏକ ପେଡ ମା କେ ନାମ’ ଅଭିଯାନ ଆଧାରରେ ଗଛ ଲଗାଇ ଉଦ୍ଘାଟନ କରିଥିଲେ ।
ସୂଚନାଯୋଗ୍ୟଯେ, ଆଗାମୀ ୧୫ ଦିନ ଧରି ଚାଲୁ ରହିବାକୁ ଥିବା ଏହି ଅଭିଯାନରେ ପ୍ରାୟ ୧.୫ କୋଟି ଚାଷୀଙ୍କ ସହିତ ସରକାର ସିଧାସଳଖ ସାକ୍ଷାତକାର କରି ସେମାନଙ୍କୁ ନୂତନ କୃଷି ଜ୍ଞାନ କୌଶଳ ଓ ପ୍ରଯୁକ୍ତିବିଦ୍ୟା ବିଷୟରେ ଅବଗତ କରାଇବେ ।
ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେଯେ, କୃଷକମାନଙ୍କ ମଧ୍ୟରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ନୂତନ ବିହନ କିସମ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ, ଆଜିଠାରୁ ୧୨ ଜୁନ ପର୍ଯ୍ୟନ୍ତ ଦେଶବ୍ୟାପୀ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଭାରତ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଅଭିଯାନ ମାଧ୍ୟମରେ ଦେଶର ୭ ଶହ ଜିଲ୍ଲାର ପ୍ରାୟ ଦେଢ଼ କୋଟି ଚାଷୀଙ୍କ ନିକଟରେ ସରକାର ପହଞ୍ଚିବ ଏବଂ ନୂତନ କୃଷି ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ବିଷୟରେ ସେମାନଙ୍କୁ ଅବଗତ କରାଇବ ।
ପ୍ରତ୍ୟେକ ଜିଲ୍ଲା ସ୍ତରରେ ତିନୋଟି ଦଳ ଗଠନ କରାଯାଇ କୃଷି, ଉଦ୍ୟାନ କୃଷି ଓ ମୃତ୍ତିକା ସଂରକ୍ଷଣ ସମ୍ବନ୍ଧୀୟ ବିଷୟ ବସ୍ତୁଗୁଡ଼ିକୁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ବିଭାଗୀୟ ଅଧିକାରୀମାନେ ମିଳିତ ଭାବରେ ଗ୍ରାମୀଣ କୃଷକମାନଙ୍କୁ ଏ ବିଷୟରେ ବୁଝାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେଯେ, ଓଡ଼ିଶା ରାଜ୍ୟ, ଆଜି ସାରା ଭାରତ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ସରକାର ଚାଷୀଙ୍କଠାରୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ କ୍ରୟ କରୁଛନ୍ତି । ଚାଷୀର ଆୟ ବଢିଲେ ଦେଶର ଆୟ ବଢେ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେଯେ, ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଏକ ସ୍ୱତନ୍ତ୍ର ମାଧ୍ୟମ, କୃଷକ ମାନଙ୍କୁ ଯାନ୍ତ୍ରିକ ସଶକ୍ତ କରାଇବା ପାଇଁ । ଏହି ଅଭିଯାନ, ଓଡିଶାରୁ ଆରମ୍ଭ ହେଉଛି ଏବଂ ଏହାର ଉପଲବ୍ଧତା ଓଡ଼ିଶାର କୃଷକଙ୍କ ନିକଟରେ ପହଁଚିବ ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଏବଂ ଓୟୁଏଟିର କୁଳପତି ପ୍ରଫେସର୍ ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ତଥା ଭାରତୀୟ କୃଷି ଗବେଷଣା ପରିଷଦର ମହାନିଦେ୍ର୍ଦଶକ ଡକ୍ଟର ମଙ୍ଗିଲାଲ୍ ଜାଟ୍ ସ୍ୱାଗତ ଭାଷଣ ଦେଇଥିବା ବେଳେ କୃଷି ବିଭାଗ ନିଦେ୍ର୍ଦଶକ ଶୁଭମ ସକ୍ସେନା ଧନ୍ୟବାଦ ଦେଇଥିଲେ ।