ପ୍ରଜନନ କ୍ଷମତା କମାଉଛି ଜଳବାୟୁ ପରିବର୍ତ୍ତନ: ନବଜାତକଙ୍କ ଓଜନ କମୁଛି
ାା ଏଜେନ୍ସି ।ା ନୂଆଦିଲ୍ଲୀ: ମାନବ ସମାଜ ପାଇଁ ମାଡ଼ି ଆସୁଛି ବିପଦ । ଏବେ ଯେଉଁମାତ୍ରାରେ ବିଶ୍ୱ ତାପାୟନ ଓ ଜଳବାୟୁ ପରିବର୍ତ୍ତନ ଘଟୁଛି ସେଥିରେ ପ୍ରଭାବିତ ହେଉଛି ମଣିଷ ସମାଜ । ଖାସ କରି ମନୁଷ୍ୟଙ୍କ ପ୍ରଜନନ କ୍ଷମତା ଉପରେ ଏହା ଗୁରୁତର ପ୍ରଭାବ ପକାଉଛି । ଏଭଳି କିଛି ଆଶ୍ଚର୍ଯଜନକ ତଥ୍ୟ ଦେଇଛନ୍ତି ଆଇଭିଏଫ୍ ଫର୍ଟିଲିଟି କ୍ଲିନିକ୍ର ଡାକ୍ତର କ୍ଷତିଜ୍ ମୁର୍ଦ୍ଦିଆ ।
ଡାକ୍ତରଙ୍କ କହିବା କଥା ଜଳବାୟୁ ପରିବର୍ତ୍ତନ ଯୋଗୁ ଆମକୁ ଆବଶ୍ୟକ ପରିମାଣରେ ଅମ୍ଳଜାନ ମିଳିପାରୁନାହିଁ ଏବଂ ବାୟୁମଣ୍ଡଳରେ ଦରକାର ଠାରୁ ଅଧିକ ପରିମାଣରେ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ହେଉଛି । ଫଳସ୍ୱରୂପ ବହୁ ଲୋକେ ଶ୍ୱାସକ୍ରିୟା ଜନିତ ବିଭିନ୍ନ ରୋଗରେ ପୀଡ଼ିତ ହେବା ସହ ପ୍ରଜନନ କ୍ଷମତା ଉପରେ ଏହା ଗୁରୁତର ପ୍ରଭାବ ପକାଉଛି । ଏହା ଯେ, କେବଳ ପୁରୁଷଙ୍କ ଉପରେ ପ୍ରଭାବ ପକାଉଛି ତାହା ନୁହେଁ ନାରୀମାନଙ୍କ ପ୍ରଜନନ କ୍ଷମତାକୁ ମଧ୍ୟ କ୍ଷୀଣ କରୁଛି । ଯେମିତିକି ଅସମୟରେ ମାସିକ ଋତୁସ୍ରାବ ହେବା, ଗର୍ଭାଶୟର ଆକାର କମିବା ଭଳି ନାନା ସମସ୍ୟା ଉପୁଜୁଛି । ଆଉ ୩୦ରୁ ୪୫ ବର୍ଷ ବୟସର ପୁରୁଷମାନେ ସେମାନଙ୍କ ପ୍ରଜନନ କ୍ଷମତା ହରାଇ ବସୁଛନ୍ତି । ପରିବେଶରେ ଅଙ୍ଗାରକାମ୍ଳ ବୃଦ୍ଧି ଯୋଗୁ ପୁରୁଷମାନଙ୍କ ଶରୀରରେ ପ୍ରଜନନ ହର୍ମୋନ ମଧ୍ୟ କମୁଛି । ଯେଉଁ କାରଣ ପାଇଁ ଯଦି କୌଣସି ନାରୀ ଗର୍ଭବତୀ ହୁଏ, ତାହେଲେ ଭ୍ରୁଣ ଭଲଭାବେ ବିକଶିତ ହୋଇପାରେ ନାହିଁ । ଭ୍ରୁଣରେ ମସ୍ତିସ୍କ ଓ ଫୁସ୍ଫୁସ୍ ବିକାଶରେ ବାଧା ଉପୁଜିଥାଏ । ଆଉ ଆଜି ଯଦି ଶିଶୁମୃତୁ୍ୟହାର ବୃଦ୍ଧି ପାଇଥାଏ, ତେବେ ବିଭିନ୍ନ କାରଣ ମଧ୍ୟରୁ ଜଳବାୟୁ ପରିବର୍ତ୍ତନ ମଧ୍ୟ ଅନ୍ୟ ଏକ ମୁଖ୍ୟ କାରଣ ବୋଲି ଡାକ୍ତର କହିଛନ୍ତି ।
ଏଣୁ ଆସନ୍ତା ଦିନରେ ସମାଜର ହିତ ପାଇଁ ଲୋକେ କାମ କରିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି । ବିଶେଷ କରି ଗଛ ଲଗାଇବା ଠାରୁ ଆରମ୍ଭ କରି ପରିବେଶକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ କଳକାରଖାନା ଓ ଯାନବହାନରୁ ନିର୍ଗତ ଅଙ୍ଗାରକାମ୍ଳକୁ କମାଇବାକୁ ପରାମର୍ଶ ଦେଇଛନ୍ତି ।