ଚେନ୍ନାଇରେ ପ୍ରବଳ ଝଡବର୍ଷା, ସ୍କୁଲ ଓ କଲେଜ ବନ୍ଦ
ାା ଏଜେନ୍ସି ।ା ନୂଆଦିଲ୍ଲୀ: ଦେଶରେ ଗୋଟିଏ ପଟେ ଶୀତର ଆଗମନ ହେଉଥିବା ବେଳେ ଅନ୍ୟ ପଟେ ଦାଉ ସାଜୁଛି ବର୍ଷା । ଚେନ୍ନାଇରେ ଜାରି ରହିଛି ପ୍ରବଳ ଝଡ ବର୍ଷା । ଫଳରେ ଅନେକ ଜିଲ୍ଲାରେ ଜଳସ୍ତର ବୃଦ୍ଧି ପାଇଛି । ପ୍ରବଳରୁ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ-କଲେଜ ଛୁଟି ଘୋଷଣା ହୋଇଛି । ଚେନ୍ନାଇ, ତିରୁଭାଲୁର, କାଞ୍ଚିପୁରମ ଏବଂ ଚେଙ୍ଗଲପଟ୍ଟୁ ଜିଲ୍ଲାରେ ଆଜି ସ୍କୁଲ-କଲେଜ ଛୁଟି ରହିବ । ଏଥିସହ ଆଇଟି କମ୍ପାନୀ ଗୁଡିକୁ ସେମାନଙ୍କ କର୍ମଚାରୀଙ୍କୁ ଆସନ୍ତା ୧୮ ତାରିଖ ଯାଏ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ୍ । ତାମିଲନାଡୁର ଅନେକ ଜିଲ୍ଲାରେ ଗତ ୨୪ ଘଣ୍ଟା ହେବ ଦିନସାରା ବର୍ଷା ହେଉଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇଛି । ବିଶେଷ କରି ଉତ୍ତର ତାମିଲନାଡୁରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରେ ୩୦୦ ବିଶେଷ ରୂପେ ପ୍ରଶିକ୍ଷିତ ପୁଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି । ମୁ୍ୟନିସିପାଲଟି ଓ ଜରୁରୀକାଳୀନ ସେବାକୁ ମଧ୍ୟ ଆଲର୍ଟ କରାଯାଇଛି ।