ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାଭିସ୍

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ର ହେବେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ । ଏନେଇ ବିଶେଷ ସୂତ୍ରରୁ ଖବର ମିଳିଛି । ତେବେ ବିଜେପି କୋର୍ କମିଟି ବୈଠକରେ ଦେବେନ୍ଦ୍ର ଫଡନାଭିସଙ୍କ ନାଁରେ ମୋହର ବାଜିଛି । ଆଉ କୁହାଯାଉଛି ଆସନ୍ତା ୫ ତାରିଖରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ବର୍ତ୍ତମାନ ମହାରାଷ୍ଟ୍ରରେ ବିଜେପି ବିଧାୟକ ଦଳର ବୈଠକ ଜାରି ରହିଛି । 

ଆସନ୍ତାକାଲି ଅର୍ଥାତ ଗୁରୁବାର ଅପରାହ୍ନ ୫ ଟା ୩୦ ମିନିଟ୍ ସମୟରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏଥିପାଇଁ ଆଜାଦ୍ ମୈଦାନକୁ ପ୍ରସ୍ତୁତ କରାଯାଉଛି । ତେବେ ବର୍ତ୍ତମାନ ମହାୟୁତି ମେଣ୍ଟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଥାବାର୍ତ୍ତା ଶେଷ ହେଇଥିବା କୁହାଯାଉଛି । 

ତେବେ ମହାରାଷ୍ଟ୍ରରେ ମହାୟୁତି ମେଣ୍ଟକୁ ସଫଳତା ମିଳିବା ପରେ କିଏ ମୁଖ୍ୟମନ୍ତ୍ରୀ ଆସନରେ ବସିବ, ତାକୁ ନେଇ ଗୋଟିଏ ଚର୍ଚ୍ଚା ଲାଗି ରହିଥିଲା । ଖାସ୍ କରି ଶିବସେନା ନେତା ଏକନାଥ ସିନ୍ଧେ ନା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଆସନରେ ବସିବେ, ତାକୁ ନେଇ ଚର୍ଚ୍ଚା ହେଉଥିଲା । ହେଲେ ଶେଷରେ ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ରେସରୁ ଓହରିବା ସହ, ଏବେ ଉପ-ମୁଖ୍ୟମନ୍ତ୍ରୀ ହେବାକୁ ମଧ୍ୟ ରାଜି ହେଇଥିବା ଜଣାପଡିଛି । ସେହିପରି ଅଜିତ୍ ପାଓ୍ୱାର ମଧ୍ୟ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଆସନ୍ତାକାଲି ଅପରାହ୍ନରେ ଦେବେନ୍ଦ୍ର ଫଡନାଭିସଙ୍କ ସହ ଏହି ଦୁଇ ନେତା ପଦ ଓ ଗୋପନୀୟତାର ଶପଥ ପାଠ କରିପାରନ୍ତି । 

ଏମିତି ରହିବ ମନ୍ତ୍ରୀ ମଣ୍ଡଳ ଫର୍ମୁଲା

  • ବିଜେପି – ୨୧ରୁ ୨୨ ମନ୍ତ୍ରୀ ସହ ନିଜ ପାଖରେ ଗୃହ ଓ ରାଜସ୍ୱ ବିଭାଗ ରଖିବ ବିଜେପି । ଏଥିସହ ଦଳକୁ ବିଧାନସଭା ଅଧ୍ୟକ୍ଷ ଏବଂ ବିଧାନ ପରିଷଦର ଅଧ୍ୟକ୍ଷ ପଦ ମଧ୍ୟ ମିଳିପାରେ ।
  • ଶିବସେନା – ୧୬ ମନ୍ତ୍ରୀ ପଦ ନେଇ ଦାବି କରିଥିଲା ଶିବସେନା, ହେଲେ ଦଳକୁ ୧୨ଟି ମନ୍ତ୍ରୀ ପଦ ମିଳିପାରେ । ଖାସ୍ କରି ସହରୀ ବିକାଶ ବିଭାଗର ନିଜ ପାଖରେ ରଖିପାରେ ଦଳ ।
  • ଏନସିପି – ୯ରୁ ୧୦ ମନ୍ତ୍ରୀମଣ୍ଡଳ ସହ ଅର୍ଥ ଓ ଉପାଧ୍ୟକ୍ଷ ପଦ ନିଜ ପାଖରେ ରଖିପାରେ ଏନସିପି