କଂଗ୍ରେସକୁ ଭକ୍ତ ଭରସା

ଭୁବନେଶ୍ୱର : ସାତ ମାସ ପରେ ନୂଆ ପିସିସି ସଭାପତି ନିଯୁକ୍ତ କରିଛି କଂଗ୍ରେସ । ପିସିସି ସଭାପତି ରେସରେ ଅନେକ ହେଭିୱେଟ୍ ଥିଲେବି, ହାଇକମାଣ୍ଡ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ଉପରେ ଭରସା କରିଛନ୍ତି । ଯାହାକୁ ନେଇ ମହମ୍ମଦ ମୋକିମ୍, ତାରା ପ୍ରସାଦ ବାହିନୀପତି, ସପ୍ତଗିରି ଉଲାକା ଓ ଶ୍ରୀକାନ୍ତ ଜେନାଙ୍କ ସମର୍ଥକଙ୍କ ମନରେ ନିରାଶ ଖେଳି ଯାଇଛି ।
୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ଟିକେଟ ଆବଣ୍ଟନରେ ଗଫଲତିକୁ ନେଇ ଶରତ ପଟ୍ଟନାୟକ ଓ ତାଙ୍କର ଟିମ୍ ବଦନାମ ହୋଇ ଯାଇଥିଲେ । ଯାହାକୁ ନେଇ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଥିଲା । ଶେଷରେ ପିସିସିକୁ ପୂରାପୂରି ଭାଙ୍ଗି ଦେଇଥିଲେ କଂଗ୍ରେସ ହାଇକମାଣ୍ଡ । ଗତବର୍ଷ ଜୁଲାଇରୁ ପିସିସି ଭାଙ୍ଗି ଯାଇଥିଲେବି ସଭାପତି କିନ୍ତୁ ନିଯୁକ୍ତି କରାଯାଇପାରୁନଥିଲା । କିନ୍ତୁ ବହୁ ଅଙ୍କକଷା ପରେ ଏବେ ଭକ୍ତଙ୍କ ହାତରେ ହିଁ ପିସିସି ମଙ୍ଗ ଧରାଇ ଦିଆଯାଇଛି । ଭକ୍ତଙ୍କୁ ସଭାପତି କରି କଂଗ୍ରେସ ଦଳିତ କାଡର଼୍ ଖେଳିଛି ।
୧୯୮୦ ଦଶକରେ ଜଣେ ଚର୍ଚ୍ଚିତ ଯୁବ ଦଳିତ ଚେହେରା ଭାବେ ସୁନାମ ଅର୍ଜନ କରିଥିଲେ । ଜଙ୍ଗଲ ବଞ୍ଚାଅ ଆନ୍ଦୋଳନରୁ ନେଇ କୃଷକ ଆନ୍ଦୋଳନ ପର୍ଯ୍ୟନ୍ତ ସବୁଥିରେ ଭକ୍ତଙ୍କ ସାଂଗଠନିକ ଦକ୍ଷତା ପ୍ରତିପାଦିତ ହୋଇଥିଲା । ମାତ୍ର ୩୦ ବର୍ଷ ବୟସରେ ଅର୍ଥାତ୍ ୧୯୮୫ରେ ଜନତା ପାର୍ଟିର ପ୍ରାର୍ଥୀ ଭାବେ ଭବାନୀପାଟଣାରୁ ବିଧାୟକ ହୋଇଥିଲେ । ପରେ ସେ ୧୯୮୯ରୁ ଜନତା ଦଳ ଟିକେଟରେ କଳାହାଣ୍ଡିରୁ ସାଂସଦ ହୋଇଥିଲେ । ୧୯୯୬ରେ ସେ କଳାହାଣ୍ଡିରୁ ସାଂସଦ ହେବା ସହ ଚନ୍ଦ୍ରଶେଖରଙ୍କ ସରକାରରେ ରେଳ ରାଷ୍ଟ୍ରମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ । ୨୦୦୯ରେ ମଧ୍ୟ ପୁନଶ୍ଚ କଂଗ୍ରେସ ଟିକେଟରେ ସେ କଳାହାଣ୍ଡିର ସାଂସଦ ହୋଇଥିଲେ । ଗତ ୨୦୨୪ ନିର୍ବାଚନରେ ସେ ଓ ତାଙ୍କ ପୁଅ ବିଧାନସଭା ନିର୍ବାଚନ ଲଢ଼ିଥିଲେ । ଭକ୍ତ ହାରିଥିଲେ ବି ତାଙ୍କ ପୁଅ ଭବାନୀପାଟଣାରୁ ବିଧାୟକ ହୋଇପାରିଛନ୍ତି । ପୁଅ ସାଗର ଚରଣ ଦାସ ମଧ୍ୟ ଯୁବ କଂଗ୍ରେସର ଆଗଧାଡ଼ିର ନେତା ଥିବାବେଳେ ଯୁବ କଂଗ୍ରେସ ସଭାପତି ରେସରେ ରହିଥିଲେ ।
କଂଗ୍ରେସ ମଧ୍ୟ ଦଳିତ କାଡର଼୍ ଖେଳିଛି । ବିଜେପି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିଛି । ଅପରପକ୍ଷରେ କଂଗ୍ରେସ ପିସିିସି ସଭାପତି ଭାବେ ଭକ୍ତ ଦାସଙ୍କୁ ନିଯୁକ୍ତି ଦେଇଥିବାବେଳେ କଂଗ୍ରେସ ବିଧାୟକ ଦଳ ନେତା ଭାବେ ଆଦିବାସୀ ନେତା ରାମଚନ୍ଦ୍ର କାଡ଼ାମଙ୍କୁ ଦାୟିତ୍ୱ ଦେଇଛି । ପୂର୍ବରୁ ଆଦିବାସୀ ଓ ଦଳିତ ଅଧ୍ୟୁଷିତ ଅଞ୍ଚଳରେ କଂଗ୍ରେସ ବେଶ୍ ଶକ୍ତିଶାଳୀ ଥିଲା । କିନ୍ତୁ ଗତ କିଛି ବର୍ଷ ଧରି କଂଗ୍ରେସର ସଂଗଠନ ଦୋହଲି ଯାଇଛି । ତେଣୁ ଭକ୍ତଙ୍କ ଭଳି ଜଣେ ଅଭିଜ୍ଞ ନେତାଙ୍କୁ ଦାୟିତ୍ୱ ଦେଇ ଦଳ ଆଦିବାସୀ ଓ ଦଳିତ ଭୋଟରଙ୍କୁ ଆକର୍ଷିତ କରିବାକୁ ଯୋଜନା କରିଛି ।