ବିଜେଡ଼ିରେ ବଢୁଛି ମେଳି : ଅସହାୟ ନବୀନ

ଭୁବନେଶ୍ୱର : ରାଜନୀତିରେ ଭଲ ପାଇବା ଓ ସମ୍ମାନ କେବଳ କ୍ଷମତା ପାଇଁ । ବିଜେଡ଼ି ନେତାମାନେ ଏହା ପ୍ରମାଣିତ କରି ଦେଇଛନ୍ତି । ଯେଉଁ ନବୀନଙ୍କ ନାଲି ଆଖି ଦେଖିଲେ ବିଜେଡ଼ି ନେତାଙ୍କ ପିଳେହି ପାଣି ହୋଇ ଯାଉଥିଲା ଏବେ ତାଙ୍କୁ ବି ଖାତିର କରୁନାହାନ୍ତି । ସତେଯେମିତି କ୍ଷମତାରୁ ଯିବା ପରେ ନବୀନ ଅସହାୟ ହୋଇପଡ଼ିଛନ୍ତି । ଯାହାର ସୁଯୋଗ ନେଇ ଯୁବ ଓ ବରିଷ୍ଠ ନେତାମାନେ ମେଳି ବାନ୍ଧି ରୁଦ୍ଧଦ୍ୱାର ବୈଠକ କରୁଥିବା ଦେଖିବାକୁ ମିଳୁଛି ।
ବିଜୁ ଜନତା ଦଳ ଦୀର୍ଘଦିନ ଧରି କ୍ଷମତାକୁ ଆସିବା ପଛରେ ଗୋଟିଏ ରହସ୍ୟ ରହିଛି । ତାହା ହେଉଛି ଗୋଷ୍ଠୀକନ୍ଦଳକୁ ନାଁ । ବିଧାୟକ ହୁଅନ୍ତୁକି ସାଂସଦ ଅବା ମନ୍ତ୍ରୀ, ସମସ୍ତଙ୍କ ପାଇଁ ନବୀନ ଲକ୍ଷ୍ମଣରେଖା ଟାଣିଥିଲେ । କିନ୍ତୁ କ୍ଷମତାରୁ ଯିବା ପରେ ବିଜେଡ଼ି ନେତାମାନେ ଏହି ଲକ୍ଷ୍ମଣରେଖାକୁ ଲିଭାଇ ଦେଇଛନ୍ତି । ଯେଉଁଥିପାଇଁ ଏବେ ଦଳରେ ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି । ଯୁବ ଓ ବରିଷ୍ଠ ନେତାମାନେ ଭିନ୍ନ ଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ଯାଇଛନ୍ତି । ଏକାଠି ହୋଇ ପରୋକ୍ଷରେ ଶକ୍ତି ପ୍ରଦର୍ଶନ କରିବାକୁ ବି ପଛାଉନାହାନ୍ତି । ଗତ ସୁବାସ ବୋଷ ଜୟନ୍ତୀରେ କଟକରେ ଏମିତି କିଛି ଯୁବ ନେତା ଏକାଠି ହୋଇଥିଲେ । ଦେବୀ ରଞ୍ଜନ ତ୍ରିପାଠୀ, ସୁନୀଲ ମହାନ୍ତି, ଚନ୍ଦ୍ରସାରଥି ବେହେରା, ରୁଦ୍ର ପ୍ରତାପ ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ସମ୍ବିତ ରାଉତରାୟ, ପ୍ରଣବ ବଳବନ୍ତରାୟ, ଅଂଶୁମାନ ମହାନ୍ତି, ରାଜା ସ୍ୱାଇଁଙ୍କ ପୁତୁରା ଆଦିତ୍ୟ ପ୍ରତାପ ସ୍ୱାଇଁ ପ୍ରମୁଖ ଏକାଠି ହୋଇଥିଲେ । ଏମାନଙ୍କ ମଧ୍ୟରୁ କେବଳ ଦେବୀ ବାଜିମାତ୍ କରିଥିଲେ । ଆଦିତ୍ୟଙ୍କୁ ଛାଡ଼ି ବାକି ସବୁ ନେତା ନିର୍ବାଚନରେ ମାଟି କାମୁଡ଼ିଛନ୍ତି । ଖାଲି ସେତିକିନୁହେଁ ପୂର୍ବରୁ ରେଷ୍ଟୁରାଣ୍ଟରେ ଯୁବ ନେତାଙ୍କ ମେଳି ଦେଖିବାକୁ ମିଳିଥିବାବେଳେ ଆସାମରେ ବି ମେଳି ବାନ୍ଧିଥିଲେ । ବିଜୟ ମହାପାତ୍ରଙ୍କ ସହ ବିଜେଡ଼ି ନେତାଙ୍କ ଭେଟଘାଟ ରାଜନୀତିକ ମାହୋଲକୁ ସରଗରମ କରିଦେଇଛି । କେଉଁଠି ନା କେଉଁଠି ଦଳ ଉପରେ ବିଜେଡ଼ି ନେତାଙ୍କ ଆସ୍ଥା କମି କମି ଚାଲୁଛି । କାହିଁକିନା ଗତ ନିର୍ବାଚନରେ ହାରିବା ପରେ ବିଜେଡ଼ିରେ ସବୁ କିଛି ଠିକ୍ ଚାଲିନାହିଁ । ନେତାମାନେ ଦ୍ୱନ୍ଦ୍ୱ ଓ ଆଶଙ୍କା ଭିତରେ ରହିଥିବା ଦେଖିବାକୁ ମିଳୁଛି । ଏଭଳି କ୍ଷେତ୍ରରେ ଯୁବନେତାମାନେ ଏକାଠି ହୋଇ ଭବିଷ୍ୟତ ପାଇଁ ବାଟ ବାହାରିବାକୁ ବାଧ୍ୟ ହେଉଛନ୍ତି । ଏକାଠି ହୋଇ ରାଜନୀତି ଓ ବ୍ୟବସାୟକୁ ଆଗକୁ ନେବାକୁ ଯୋଜନା କରିଛନ୍ତି । ଏବେ ଅଳ୍ପ ନେତା ଏକାଠି ହେଉଛନ୍ତି, ଯଦି ନବୀନ ନୀରବ ରୁହନ୍ତି ଆଗାମୀ ଦିନରେ ପ୍ରତି ଜିଲ୍ଳାରେ ବିଜେଡ଼ି ନେତାଙ୍କ ମେଳି ଦେଖିବାକୁ ମିଳିବ । ଯାହାକି ଦଳକୁ ଅଡ଼ୁଆରେ ପକାଇଦେବ ବୋଲି ଆକଳନ କରାଯାଉଛି ।