କଂଗ୍ରେସ ପକ୍ଷରୁ ବିଶ୍ୱ ମହିଳା ଦିବସ

ଭୁବନେଶ୍ୱର  : ଭୁବନେଶ୍ୱରରର ମାଷ୍ଟରକାଣ୍ଟିନ୍ ଛକରେ ପ୍ରଦେଶ କଂଗ୍ରେସ ଏବଂ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ମିଳିତ ଭାବେ ବିଶ୍ୱମହିଳା ଦିବସ ପାଳନ ହୋଇଛି । ପ୍ରଦେଶ ମହିଳା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ମିନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହିଳା କଂଗ୍ରେସର ନେତୃବୃନ୍ଦ, କର୍ମକର୍ତ୍ତା ଓ କର୍ମୀମାନେ ମୁହଁରେ କଳାପଟି ବାନ୍ଧି ଅଭିନବ ଉପାୟରେ ବିଶ୍ୱମହିଳା ଦିବସ ପାଳନ କରିଥିଲେ । ରାଜ୍ୟରେ ମହିଳାମାନଙ୍କ ଦୟନୀୟ ପରିସ୍ଥିତି ଓ ଅସନ୍ତୋଷକୁ ନେଇ ଏଭଳି ପ୍ରତିବାଦ କରାଯାଇଥିଲା । ମୁଖ୍ୟଅତିଥି ଭାବେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ମହିଳା ଉପେକ୍ଷିତ, ନିର୍ଯାତିତ ଓ ଲୁଣ୍ଠିତ ବୋଲି କହିଥିଲେ । ମହିଳାମାନଙ୍କୁ ସୁରକ୍ଷା ଦେବା ଓ ସ୍ୱାବଲମ୍ବୀ କରିବାର ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାସୀନ ହେଲା ପରେ ମହିଳାଙ୍କୁ ଏବେ ପ୍ରତାରିତ କରୁଛି ବୋଲି କହିଥିଲେ । ସ୍କୁଲ, କଲେଜ, ୟୁନିର୍ଭସିଟି ସବୁଠି ମହିଳା ଅସୁରକ୍ଷିତ । ସେଥିପାଇଁ ଛାତ୍ରୀ ଆତ୍ମହତ୍ୟା ବୃଦ୍ଧି ପାଉଛି ବୋଲି ମତବ୍ୟକ୍ତ କରିଥିଲେ ।
ପ୍ରଦେଶ ମହିଳା କଂଗ୍ରେସର ପୂର୍ବତନ ସଭାନେତ୍ରୀ ଶ୍ରୀମତୀ ବାହିନୀପତି କହିଥିଲେ ଯେ ପିସିସି ସଭାପତିଙ୍କ ନେତୃତ୍ୱରେ ଓଡିଶାର ପ୍ରତିଟି ଅତ୍ୟାଚାରିତ ମହିଳାମାନଙ୍କ ପଛରେ କଂଗ୍ରେସ ଦୃଢ଼ ଭାବେ ଠିଆ ହେବ ଏବଂ ସେମାନେ ନ୍ୟାୟ ପାଇବା ପର୍ଯ୍ୟନ୍ତ ସେମାନଙ୍କ ସଂଗ୍ରାମରେ ସାମିଲ ଦେବ । କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ତାରାପ୍ରସାଦ ବାହିନୀପତି, ରାମଚନ୍ଦ୍ର କାଡାମ, ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।