ରାସ୍ତା ପାର୍ଶ୍ୱରୁ ଅବାଧ ଗଛ କଟା; ପ୍ରଶାସନ ନୀରବ
ଦାନଗଦୀ : କଳିଙ୍ଗନଗର ଶିଳ୍ପାଂଚଳରେ ଯେତିକି ମାତ୍ରାରେ ଶିଳ୍ପ ଗଠି ଉଠିଲାଣି ସେତିକି ପରିମାଣରେ ପରିବେଶକୁ ସୁସ୍ଥ ଓ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ବୃକ୍ଷ ରୋପଣ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଶିଳ୍ପ କର୍ତୃପକ୍ଷ କାଗଜ କଲମରେ ଯେତିକି ବୃକ୍ଷ ରୋପଣ କଲେ ବୋଲି ଦର୍ଶାଉଛନ୍ତି ବାସ୍ତବରେ ତାର ଅଧା ଗଛ ଥିବା ଦେଖିବାକୁ ମିଳୁନାହିଁ । ଯେତିକି କି ଗଛ ଲଗାଉଛନ୍ତି ସେଗୁଡିକ ବଂଚିଲା ପରେ ତାର ରକ୍ଷଣବେକ୍ଷଣା ଦାୟିତ୍ୱ କିଏ ନେବ ବୁଝା ପଡୁନାହିଁ ।
କଳିଙ୍ଗନଗର ଶିଳ୍ପାଂଚଳର ଡ଼ୁବୁରୀ ଛକରୁ ମାନପୁର ଓଭର ବ୍ରିଜ ପର୍ଯ୍ୟନ୍ତ ଟାଟା ଓ ଜିନ୍ଦଲ କାରଖାନା ପାଚେରୀ ପାର୍ଶ୍ୱରେ ରାସ୍ତା କଡେ କଡେ ବିଗତ ବର୍ଷ ବର୍ଷା ଦିନରେ ଯେଉଁ ସବୁ ବୃକ୍ଷ ରୋପଣ କରାଯାଇ ଥିଲା କାଳ କ୍ରମେ ତାହା ବଡ଼ ହୋଇ ଯାଇଥିଲା । ସେଥିପାଇଁ ଗ୍ରୀଷ୍ମ ଦିନେ ବାଟୋଇ ରାସ୍ତା କଡ଼ରେ ଛାଇରେ ବିଶ୍ରାମ ନେଉଥିଲେ । ଧୂଳି, ଧୂଆଁ ସବୁ ବୃକ୍ଷ ଅଟକାଉ ଥିଲା । କିନ୍ତୁ ଗତ କିଛି ମାସ ହେବ ଜିନ୍ଦଲ ତା ପାଚେରୀ ପାର୍ଶ୍ୱରୁ ବାଇକ ଷ୍ଟାଣ୍ଡ ପାଇଁ ବଡ଼ ବଡ଼ ବୃକ୍ଷ ଗୁଡିକ ଉଭାନ ହୋଇଗଲା । ଯାହା ବାକିଥିଲା ଟାଟା କାରଖାନା ଆରମ୍ଭ ଡିଇଟି ଫାଟକ ପାଖରୁ ଖୁରୁଂଟି ଛକ ପର୍ଯ୍ୟନ୍ତ, ସେ ଗଛ ଗୁଡିକୁ ସାରଙ୍ଗପୁର ହଟିଙ୍ଗ ଓ ସେ ଆଖ ପଖରେ ଥିବା ଲୋକ ମାନେ ଦିନ ଦ୍ୱି ପ୍ରହରରେ କାଟି ନେଇ ଧୀରେ ଧୀରେ ସଫା କଲେଣି । ଲୋକ ମାନେ ଏତେ ଚାଲାକ ଖରାବେଳେ ଆସି ନିଆଁ ଲଗାଇ ଦେଉଛନ୍ତି ଗଛ ମୂଳରେ ଥିବା ଘାସ, ଲଟା, ଡାଳ ପତ୍ର ପୋଡି ଗଲା ପରେ କିଛି ଦିନ ପରେ ଗଛ ଗୁଡିକ ଶୁଖି ଯାଉଛି । ଶୁଖିଲା ଗଛ ଜାଳ କାଠ ପାଇଁ ନେଉଛୁ କହି କାଟି ନେଉଛନ୍ତି । କଳିଙ୍ଗନଗର ଶିଳ୍ପାଂଚଳ ଚାରିପାଖରେ ରାସ୍ତା କଡ଼ରେ ଥିବା ଗଛ ଗୁଡିକୁ କାଟି ନେଉଥିବାର ସମସ୍ତଙ୍କ ଦୃଷ୍ଟିରେ ପଡୁଥିବା ବେଳେ କମ୍ପାନୀ ସୁରକ୍ଷାକର୍ମୀ, ପୁଲିସ ପ୍ରଶାସନ, ବନ ବିଭାଗ, ସମସ୍ତେ ନୀରବ । ଅନୁରୂପ ଭାବେ ଧୂଳିଗଡ଼ ପୁରୁଣା ଜଙ୍ଗଲ ଲୁଟ ହୋଇଗଲାଣି । ନୁଆଁ ଶାଗୁଆନ ଜଙ୍ଗଲ ଟିରେ ଲୋକମାନେ ପଶି ଗଛ କାଟିବା ଆରମ୍ଭ କଲେଣି । ବୃକ୍ଷ ରୋପଣ ନାଁରେ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଗୋଟେ ଗଛ ପାଣି ଦେଇ, ତାର ବାଡ଼ ଦେଇ ବଂଚାଇ ବଡ଼ କରିବା ପାଇଁ କେତେ ଟଙ୍କା ଆଉ କେତେ ବର୍ଷ ସମୟ ଲାଗୁଛି କିନ୍ତୁ ତାର ସୁରକ୍ଷା କଥା କେହି ଚିନ୍ତା କରୁନାହାନ୍ତି କି ଦୃଷ୍ଟି ଦେଉନାହାନ୍ତି । ଯାହା ଫଳରେ ବର୍ଷ ବର୍ଷ ଧରି ହୋଇଥିବା ଗଛ ଗୋଟେ ଗୋଟେ ଘଂଟାରେ ସଫା ହୋଇ ପଦା ହୋଇ ଯାଉଛି । ବର୍ତମାନ ପରିସ୍ଥିତିରେ ଜଳବାୟୁର ପରିବର୍ତନ ଯାହା ହେଲାଣି, ଜଙ୍ଗଲ ଓ ବୃକ୍ଷ ରୋପଣ, ଗଛର ମାନବ ସମାଜ ପାଇଁ କେତେ ଆବଶ୍ୟକତା ତାହା ଜନସାଧାରଣକୁ ସଚେତନତା କରିବା ସହ ଏହି ଗଛ ଗୁଡିକ କିପରି ସୁରକ୍ଷିତ ରହି ପାରିବ ତାହା ବନ ବିଭାଗ, କାରଖାନା କର୍ତୃପକ୍ଷ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବା ନିତ୍ୟାନ୍ତ ଆବଶ୍ୟକ । ଯେଉଁ ମାନେ ଗଛ କାଟୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ନେବା ଦରକାର ବୋଲି ମତ ପ୍ରକାଶ ପାଇଛି ।