୧.୭୫ ଲକ୍ଷ ଏକର ଚାଷଜମି କ୍ଷତିଗ୍ରସ୍ତ
cyclone update

ସାତ ଦିନ ଭିତରେ ପୂର୍ଣ୍ଣାଙ୍ଗ କ୍ଷୟକ୍ଷତି ରିପୋର୍ଟ
ଆଶ୍ରୟସ୍ଥଳୀରେ ମିଳିବ ୭ ଦିନ ଯାଏଁ ରନ୍ଧାଖାଦ୍ୟ
ଭୁବନେଶ୍ୱର : ରିଲିଫ ଓ ପୁନରୁଦ୍ଧାର ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି । ସେ କହିଛନ୍ତିଯେ, ବାତ୍ୟା ଯୋଗୁଁ ୨୨.୪୩ ଲକ୍ଷ ଉପଭୋକ୍ତାଙ୍କର ବିଜୁଳି ସଂଯୋଗ ପ୍ରଭାବିତ ହୋଇଥିଲା । ଏବେ ସୁଦ୍ଧା ୧୪ ଲକ୍ଷ ୮୦ ହଜାର ଉପଭୋକ୍ତାଙ୍କୁ ବିଜୁଳି ଯୋଗାଇ ଦିଆସରିଲାଣି । ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଏହି ସମସ୍ୟାର ସମାଧାନ ହୋଇଯିବ । ବର୍ଷା ଯୋଗୁଁ ଏହି କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଯେଭଳି ଖୁବଶୀଘ୍ର ବିଜୁଳି ସଂଯୋଗ ହେବ ସେଥିପାଇଁ ଶକ୍ତି ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ପଠାଯାଇଛି । ଆଖି ଦେଖା ଆକଳନ ଅନୁଯାୟୀ, ୧ ଲକ୍ଷ ୭୫ ହଜାର ଏକର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ଆଶ୍ରୟସ୍ଥଳୀକୁ ୮ ଲକ୍ଷ ଲୋକ ଯାଇଛନ୍ତି । କେତେକ ସ୍ଥାନରେ କିଛି ଆଶଙ୍କା ଥିବାରୁ ବାତ୍ୟା ଆଶ୍ରୟସ୍ଥଳୀରୁ ଲୋକଙ୍କୁ ଘରକୁ ପଠାଯାଉନାହିଁ । ଆସନ୍ତା ସପ୍ତାହେ ଯାଏଁ ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା କରାଯାଇଛି । ଡାକ୍ତରଖାନାରେ ୨୨ ଶହ ଶିଶୁ ଜନ୍ମ ହୋଇଛନ୍ତି । ମା’ ଓ ପିଲା ସମସ୍ତେ ସୁସ୍ଥ ଅଛନ୍ତି । ୧୫୮ ପ୍ଳାଟୁନ୍ ପୁଲିସ୍ ଫୋର୍ସ ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।