ପପୁଆ ନ୍ୟୁ ଗିନି ଭୂସ୍ଖଳନ: ମୃତ୍ୟୁସଂଖ୍ୟା ୬୭୦କୁ ଅଧିକ

ପପୁଆ ନ୍ୟୁ ଗିନି ଭୂସ୍ଖଳନ: ମୃତ୍ୟୁସଂଖ୍ୟା ୬୭୦କୁ ଅଧିକ

ପାପୁଆ ନ୍ୟୁ ଗିନିରେ ଏକ ବଡ଼ ଧରଣର ଭୂସ୍ଖଳନ ପରେ ୬୭୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଜାତିସଂଘର ଏଜେନ୍ସିର ଅଧିକାରୀ ସେରହାନ ଆପ୍ଟୋପ୍ରାକ୍ କହିଛନ୍ତି ଯେ ବର୍ତ୍ତମାନ ପ୍ରାୟ ୧୫୦ରୁ ଉର୍ଦ୍ଧ ଘର ପୋତି ହୋଇ ରହିଛି। ଏଥିରେ ୬୭୦ ରୁ ଉର୍ଦ୍ଧ ଲୋକେ ମୃତ ବୋଲି ଅନୁମାନ କରାଯାଉଛି।

ପୋର୍ଟ ମୋରେସବିରେ ଅବସ୍ଥାପିତ ଆପ୍ଟୋପ୍ରାକ୍ କହିଛନ୍ତି ଯେ “ଭୂସ୍ଖଳନ ଅତ୍ୟନ୍ତ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଏହାପରେ ଏହି ସ୍ଥାନରେ ପାଣି ଚାଲୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।

ଶୁକ୍ରବାର ପୂର୍ବାହ୍ନରେ ଭୂସ୍ଖଳନ ଘଟିବା ପରେ ଏଙ୍ଗା ପ୍ରଦେଶର ଏକଦା ପାହାଡ଼ିଆ ପାର୍ଶ୍ଵବର୍ତ୍ତୀ ଗାଁ ପ୍ରାୟ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ମାଟି ତଳେ ପୋତି ହୋଇଥିବା ଶବକୁ ବାହାର କରିବା ପାଇଁ ଲୋକମାନେ ବାଡ଼ି, କୋଦାଳ ବ୍ୟବହାର କରୁଛନ୍ତି ବୋଲି ଆପ୍ଟୋପ୍ରାକ୍ କହିଛନ୍ତି।

ଏହି ପ୍ରାକୃତିକ ବିପର୍ୟ୍ୟୟ ଦ୍ୱାରା ୧୦୦୦ ରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲା ବେଳେ ଅଞ୍ଚଳରେ ଖାଦ୍ୟ ଏବଂ ପାନୀୟ ଜଳ ଯୋଗାଣ ପ୍ରାୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ସେ କହିଛନ୍ତି। ସହାୟତା ଏଜେନ୍ସି ଏବଂ ସ୍ଥାନୀୟ ନେତାମାନେ ପ୍ରଥମେ ଭୟ କରୁଥିଲେ ୧୦୦ ରୁ ୩୦୦ ଲୋକ ଏହି ବିପର୍ୟ୍ୟୟରେ ପ୍ରାଣ ହରାଇଥିବେ। କିନ୍ତୁ ଏହି ସଂଖ୍ୟା ୬୭୦ ପାର କରିଛି। ସେହିପରି ଉଦ୍ଧାର ସମୟରେ ଉଦ୍ଧାରକାରୀମାନେ ଅନୁଭବ କରିଥିଲେ ଯେ ଗାଁରେ ଅଧିକ ଲୋକ ବାସ କରୁଛନ୍ତି।