ଓଡ଼ିଶାରେ ପ୍ରଥମ ଥର ଆରମ୍ଭ ହେଲା ଏଆଇ ଆଂଥ୍ରୋପୋମେଟିକ ଟୁଲ୍
ଭୁବନେଶ୍ୱର : ଆଜି ଭୁବନେଶ୍ୱରର ଆଇସିଏମ୍ଆର୍ ଅଡିଟୋରିୟମ ହଲ୍ରେ ଭାରତ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ, ୱାଧୱାନୀ ଏଆଇ, ଆଇସିଏମ୍ଆର୍-ଆର୍ଏମ୍ଆର୍ସି ଭୁବନେଶ୍ୱର ଓ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗଙ୍କ ମିଳିତ ସହଭାଗୀତାରେ "ଶିଶୁମାନଙ୍କ ଅଭିବୃଦ୍ଧି ନିରୀକ୍ଷଣ ନିମନ୍ତେ ଏଆଇ ଉପକରଣ' ଶୀର୍ଷକ ଏକ ପାଞ୍ଚ ଦିନିଆ ତାଲିମ ତଥା କର୍ମଶାଳା ଉଦ୍ଘାଟନ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମକୁ ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇସିଏମ୍ଆର୍-ଆର୍ଏମ୍ଆର୍ସି, ଭୁବନେଶ୍ୱର ନିଦେ୍ର୍ଦଶିକା ଡକ୍ଟର ସଂଘମିତ୍ରା ପତି, ଜାତୀୟ କାର୍ଯ୍ୟକ୍ରମର ମୁଖ୍ୟ ଡକ୍ଟର ସ୍ନେହା ନିକମ, ଆଇସିଏମ୍ଆର୍-ଆର୍ଏମ୍ଆର୍ସି, ଭୁବନେଶ୍ୱରର ବୈଜ୍ଞାନିକ ଡକ୍ଟର ଶୁଭେନ୍ଦୁ କୁମାର ଆଚାର୍ଯ୍ୟ, ୱାଧୱାନୀ ଏଆଇର ମୁଖ୍ୟ ଡକ୍ଟର ମକରନ୍ଦ ତପସ୍ୱୀ, ରାଜ୍ୟ ମହିଳା ଓ ଶିଶୁ ବିକାଶର ଅତିରିକ୍ତ ସଚିବ ଏନ୍ସି ଜ୍ୟୋତିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ କୃତ୍ରିମ ବୁଦ୍ଧିମତା ଆଧାରିତ ଟେକ୍ନୋଲୋଜିକୁ ବ୍ୟବହାର କରି ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନଙ୍କ ଆନ୍ଥ୍ରୋପୋମୋଟିକ ତଥା ଓଜନ ଓ ଉଚ୍ଚତା ମାପ କରାଯିବା ସହ ଶିଶୁମାନଙ୍କର କୁପୋଷଣକୁ ପ୍ରାରମ୍ଭିକ ଅବସ୍ଥାରେ ହିଁ ଚିହ୍ନଟ କରାଯାଇପାରିବ । ଏହି ଅଭିନବ ପଦକ୍ଷେପକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ସମଗ୍ର ଦେଶରେ ପ୍ରଥମ ।
ଏହି ପାଞ୍ଚଦିନିଆ ତାଲିମ ତଥା କର୍ମଶାଳାରେ କ୍ଷେତ୍ର ଅନୁସନ୍ଧାନକାରୀମାନେ ନିର୍ଦ୍ଧାରିତ ପ୍ରୋଟୋକୋଲ ବ୍ୟବହାର କରି ଶିଶୁମାନଙ୍କ ଓଜନ ଓ ଉଚ୍ଚତା ସୂଚକ ମାପ କରିବା ଉପରେ ବ୍ୟାପକ ତାଲିମ ପାଇବେ । ଆଇସିଏମ୍ଆର୍-ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ ନୁ୍ୟଟ୍ରିସନ୍, ଆଇସିଏମ୍ଆର୍-ଆର୍ଏମ୍ଆର୍ସି ଭୁବନେଶ୍ୱର ଏବଂ ୱାଧୱାନୀ ଏଆଇର ବିଶେଷଜ୍ଞ ପ୍ରଶିକ୍ଷକମାନେ ସେମାନଙ୍କୁ ତାଲିମ ପ୍ରଦାନ କରିବେ । ତାଲିମ ପରେ କ୍ଷେତ୍ର ଅନୁସନ୍ଧାନକାରୀମାନେ ପାଇଲଟ୍ କାର୍ଯ୍ୟକ୍ରମର ମୂଲ୍ୟାଙ୍କନ ଏବଂ କାର୍ଯ୍ୟକାରିତା ପାଇଁ ବାଲେଶ୍ୱର, କଟକ, ଗଞ୍ଜାମ, ଯାଜପୁର, କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାଗୁଡିକରେ ୩-୪ ମାସ ଧରି ତଥ୍ୟ ସଂଗ୍ରହ ଓ ଆକଳନ କରିବେ ।