ଅନନ୍ୟ ଶୈବପୀଠ ଧବଳେଶ୍ୱର

ଅନନ୍ୟ ଶୈବପୀଠ ଧବଳେଶ୍ୱର


ଭୁବନେଶ୍ୱରରୁ  ଶୈବପୀଠ ଧବଳେଶ୍ୱରର ଦୂରତା ୫୨ କିମି  । ମନ୍ଦିରକୁ ମହାନଦୀ ଘେରି ରହିଥିବାରୁ ଏହାକୁ ଧବଳେଶ୍ୱର ଦ୍ୱୀପ ବୋଲି ମଧ୍ୟ କୁହାଯାଏ । ୫ବର୍ଷ ପୂର୍ବେ ଲୋକେ ଏଠାକୁ ଡଙ୍ଗା ଦ୍ୱାରା ଯାଉଥିଲେ । କିନ୍ତୁ ବହୁ ସମୟରେ ଦୁର୍ଘଟଣା ଘଟିବାରୁ ପର୍ଯଟକଙ୍କ ସୁରକ୍ଷା ଦୃଷ୍ଟିକୁ ଆଠଗଡ଼ପଟୁ ପାଦଚଲା ଝୁଲନ୍ତା ପୋଲ ନିର୍ମାଣ କରାଯାଇଛି । ମନ୍ଦିରରେ ପହଞ୍ଚôବାକୁ ହେଲେ ଗମନାଗମନର ସାଧନ ଭାବେ ମୁଖ୍ୟତ୍ୟ ଡଙ୍ଗା କିମ୍ବା ଝୁଲାପୋଲକୁ ବ୍ୟବହାର କରାଯାଏ । ଏହା ଓଡ଼ିଶାରେ ଦୀର୍ଘତମ ଓ ପ୍ରଥମ ଝୁଲାପୋଲ ଭାବେ ପରିଚିତ । ଏହି ଶୈବପୀଠକୁ ଯିବାର ପ୍ରକୃଷ୍ଟ ସମୟ ହେଉଛି ମେଘୁଆ ପାଗ କିମ୍ବା ଶୀତଋତୁ । ଅନୁକୂଳ ପାଗରେ ଗଲେ ସେଠାକାର ପରିବେଶକୁ ମନ ଭରି ଉପଭୋଗ କରାଯାଇପାରିବ । ସେଠାରେ ନୌକା ବିହାରର ମଧ୍ୟ ସୁଯୋଗ ରହିଛି । ମହାନଦୀରେ ଛିଡ଼ା ହୋଇ ମନ୍ଦିରକୁ ଦେଖିବାର ଦୃଶ୍ୟ ଅତ୍ୟନ୍ତ ମନଲୋଭା । ରହଣି ଲାଗି ଏଠାରେ ପାନ୍ଥିକା ରହିଛି । ଦେବଦେବ ମହାଦେବଙ୍କ ପୀଠ ହୋଇଥିବାରୁ ଏଠାରେ ମହାଶିବରାତ୍ରୀ, ଶୀତଳଷଷ୍ଠୀ, ବଡ଼ଓଷା ଓ ଅଶୋକାଷ୍ଟମୀ ଆଦି ପର୍ବପର୍ବାଣି ବେଶ୍ ଧୁମ୍ଧାମରେ ପାଳନ କରାଯାଏ । ବିଶେଷକରି ବୋଲବମ୍ ଓ କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ । ପୁରୀ ଶ୍ରୀମନ୍ଦିରପରି ଏଠାରେ ମଧ୍ୟ ପୂର୍ବପୁରୁଷଙ୍କୁ ପିଣ୍ଡ ଦିଆଯାଏ । ଏଥିସହ ପବିତ୍ର କାର୍ତ୍ତିକ ମାସ ସାରା ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀରେ ଏଠାରେ ମହାପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ପ୍ରସିଦ୍ଧ ବଡ଼ଓଷା ପଡ଼ୁଥିବାରୁ ପୀଠଟି ଚଳଚଞ୍ଚଳ ହୋଇଉଠେ । ଏହିଦିନ ବିଳମ୍ବିତ ରାତ୍ରରେ ପ୍ରଭୁଙ୍କ ବଡ଼ସିଂହାର ବେଶ ଦେଖିବା ପାଇଁ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥାଏ । ବିଡ଼ାନାସୀପଟୁ ଡଙ୍ଗା ଏବଂ ଆଠଗଡ଼ପଟୁ ଝୁଲାପୋଲ ଦେଇ ହଜାର ହଜାର ଭକ୍ତ ଏଠାକୁ ଆସି ବେଶ ଦର୍ଶନ କରିଥାନ୍ତି । ଏଥିସହ ପ୍ରଭୁଙ୍କ ପ୍ରିୟ ଗଜଭୋଗ ପାଇବା ପାଇଁ ରାତି ତମାମ ଉଜାଗର ରୁହନ୍ତି । 
ଧଳା ଓ ଈଶ୍ୱର ଶବ୍ଦର ଏକୀକରଣରୁ ଧବଳେଶ୍ୱର ଶବ୍ଦ ଉତ୍ପତ୍ତି । ଏପରି ନାମକରଣ ପଛରେ ଏକ କିମ୍ବଦନ୍ତୀ ରହିଛି । ଏକଦା ଜଣେ ଚୋର ନିକଟ ଗ୍ରାମରୁ କଳା ବାଛୁରୀକୁ ଚୋରି କରି ଏହି ପୀଠରେ ଲୁଚିଥିଲା । ଏହା ଜଣାପଡ଼ିବା ପରେ ଗ୍ରାମବାସୀ ତାକୁ ଧରିବା ପାଇଁ ମନ୍ଦିର ବାହାରେ ଅପେକ୍ଷା କରିଥିଲେ । ହେଲେ ଚୋର ଗ୍ରାମବାସୀଙ୍କ କୋପରୁ ରକ୍ଷା କରିବା ନିମନ୍ତେ ମନ୍ଦିରରେ ଶିବଙ୍କୁ ଆରାଧନା କରିଥିଲା । ଏଥିରେ ପ୍ରସନ୍ନ ହୋଇ ସ୍ୱୟଂ ମହାଦେବ ଅପେକ୍ଷାରତ ଗ୍ରାମବାସୀଙ୍କ ସମ୍ମୁଖରେ ସନ୍ନ୍ୟାସୀ ବେଶରେ ପ୍ରକଟ ହୋଇଥିଲେ । ଗ୍ରାମବାସୀଙ୍କୁକ୍ରୋଧର କାରଣ ପଚାରିବାରୁ ସେମାନେ  କଳା ବାଛୁରୀ ଚୋର ବିଷୟରେ କହିଥିଲେ । ଏହା ଶୁଣି ସନ୍ନ୍ୟାସୀ ମନ୍ଦିର ଭିତରକୁ ଯାଇ ଧଳା ବାଛୁରୀକୁ ଆଣିଥିଲେ । ଯଦ୍ୱାରା ଗ୍ରାମବାସୀ ମିଛୁଆ ସାବ୍ୟସ୍ତ ହୋଇ ଚୋରକୁ ଯିବା ପାଇଁ ବାଟ ଛାଡ଼ିଥିଲେ । ମହାଦେବ କଳା ବାଛୁରୀକୁ ଧଳା ବାଛୁରୀରେ ପରିଣତ କରିଥିଲେ । ସେଥିପାଇଁ ଧବଳେଶ୍ୱର ନାମକରଣ ହୋଇଥିବା କୁହାଯାଉଛି ।
ଗୋପୀନାଥ ଦାଶ,ମୋ : ୮୮୯୫୨୯୬୧୬୭