ଅଜଣା ଜଗତର ଡାକ
ଅଶୋକ ବିଶ୍ୱାଳ : ଏପଟକୁ ସମୁଦ୍ର ବେଶ ଗଭୀର ଆଉ ଯୋଗକୁ ସେଦିନ ବଡ ଲହଡି ନଥିଲା । ଆକାଶରୁ ସୂର୍ଯ୍ୟ କିରଣ ଝରି ପଡୁଥିଲା । ସମୁଦ୍ରପାଣି ଗାଢ ନୀଳ ଥିଲା । ଆଉ କେଉଁଠି ଦିଗବଳୟରେ ଧଳା ତରଙ୍ଗ ଦେଖାଯାଉନଥିଲା ଅର୍ଥାତ ବଡ ଢେଉ ହେଉନି । ତେଣୁ ବୋଟରେ ଯାତ୍ରା ବେଶ ଆମୋଦଦାୟକ ହେଉଥିଲା । ସେମାନଙ୍କର ବୋଟ ଛଡା ଆଉ କେଉଁଠି ମାଛଧରା ଡଙ୍ଗାଟିଏ ମଧ୍ୟ ଦେଖାଯାଉ ନଥିଲା । ଶାନ୍ତ ସମୁଦ୍ରରେ ଖୋଲା ଇଞ୍ଜିନ ବୋଟରେ ବେଶ ବେଗରେ ଯାଇହୁଏ । ପାଣି କାଟି ଜୋରରେ ଗଲାବେଳେ ପାଣି ଧଳା ଫେଣ କରି ଛିଟିକି ଉପରେ ପଡେ । ସେଇଟା ଏକ ଥ୍ରୀଲ । ସେମାନଙ୍କ ସହ ଉଡନ୍ତା ମାଛମାନେ କମ୍ପିଟିସନ କରୁଥିଲେ ।
ସମୁଦ୍ରରେ କିଛି ଡଲଫିନ ଦେଖାଦେଲେ । ଏପଟର ଗଭୀର ସମୁଦ୍ରରେ ଡଲଫିନମାନେ ଦଳ ହୋଇ ପହଁରନ୍ତି । ସେମାନେ ଜୋରରେ ପହଁରିଯାଇ ନିଜର ନାକକୁ ଟେକିଦିଅନ୍ତି । ପୁଣି ବୁଡିଯାଇ ଉଠି ଜୋରରେ ପହଁରନ୍ତି । ପହଁରିଲାବେଳେ ସେମାନଙ୍କ ପିଠି ଦେଖାଯାଏ । ଡଲଫିନବୁଦ୍ଧିମାନ ସାମୁଦ୍ରକ ପ୍ରାଣୀ । ଡଲଫିନ ଦଳକୁ ପାଖରେ ଦେଖି ବୋଟ ଧୀରେ ହୋଇଗଲା । ସମସ୍ତେ ଟିକେ ଡଲଫିନ ଦଳର କଳା କୌତୁକ ଦେଖିବାକୁ ଚାହିଁଲେ । ତେଣୁ ବୋଟର ଗତିକୁ ଡଲଫିନମାନଙ୍କର ପହଁରିବା ଗତି ସହ ସମାନ କରାଇ ବୋଟ ଚାଲିଲା । ସେମାନଙ୍କ ବୋଟରୁ ଶହେହାତ ଦୂରରେ ଡଲଫିନମାନଙ୍କ ଦଳ ଥିଲା । ତେଣୁ ସେମାନଙ୍କୁ ସ୍ପଷ୍ଟ ଦେଖିହେଉଥିଲା ।
ସମସ୍ତେ ମନ ଖୁସିରେ ଡଲଫିନମାନଙ୍କୁ ଦେଖୁଛନ୍ତି ପଦ୍ମଶିବ ବୋଟରୁ ପାଣିରେ ପଡିଗଲେ । ସେ ସତରେ ପଡିଗଲେ ନା ନିଜେ ଡେଇଁ ପଡିଲେ ଜାଣି ହେଲାନାହିଁ । ବେଶି ନିଜେ ଡେଇଁ ପଡିଥିବା ଭଳି ଲାଗୁଥିଲା । ବୋ ଚଲାଉଥିବା ଡ୍ରାଇଭର ବିଚଳିତ ହୋଇଗଲା । ସେତେବେଳକୁ ବୋଟର ଗତି ଧିମା ହୋଇଗଲାଣି । ପ୍ରାୟ ସ୍ଥିର କହିଲେ ଚଳେ । ଡଲଫିନମାନଙ୍କୁ ଦେଖିବା ପାଇଁ ସେମାନେ ବୋଟର ଇଞ୍ଜିନକୁ ବନ୍ଦ କରିଦେଉଥିଲେ । ପଦ୍ମଶିବ ପାଣିରେ ଖସି ପଡିବା ଦେଖି ସମସ୍ତଙ୍କ ଛାତିରେ ଛନକା ପଶିଗଲା ।
ପାଣି ସେ ଜାଗାରେ ଅତଳ ତଳ, ଅତିକମରେ ଚାରି ପାଞ୍ଚଶହ ଫୁଟରୁ କମ ହେବନି । ଏପଟ ସମୁଦ୍ର ହଠାତ୍ ଗଭୀର ହୋଇଯାଏ । ପାଣି ତଳେ ସୁଅ ବି ପ୍ରବଳ । ଅଳ୍ପ ଗଭୀର ହୋଇଥିଲେ ପାଣି ତଳ ବାଲି ବା କୋରାଲ ଦିଶୁଥାନ୍ତା । ପରିଷ୍କାର ନୀଳ ପାଣି ତଥାପି ଏତେ ଗଭୀରରେ ତଳ କଳା ଦିଶୁଛି । ପାଣିରେ ସୂର୍ଯ୍ୟ ଝଲମଲ କରୁଛି । ଏମିତିଆ ପାଣିରେ ପଦ୍ମଶିବ ଖସିପଡିଥିବାର ଦେଖି ବୋଟମ୍ୟାନ ପାଟିକରି ଉଠିଲା । କିନ୍ତୁ ପଦ୍ମଶିବ ବୋଟକୁ ଉଠିବାର ସାମାନ୍ୟ ଚେଷ୍ଟା ନକରି ଆରାମରେ ପାଣିରେ ଭାସୁଥିଲେ । ସମୁଦ୍ରପାଣିରେ ନଦୀପାଣି ଅପେକ୍ଷା ଭାସିବା ସହଜ । ଲୁଣିପାଣିର ଘନତ୍ୱ ଅଧିକ । ତାଙ୍କ ମୁହଁ ଖୁସିରେ ଭରିଯାଇଥିଲା । ନୀଳ ସମୁଦ୍ର ପାଣିରେ ପହଁରିବା ତାଙ୍କୁ ମଜା ଲାଗୁଥିବ । କିନ୍ତୁ ସମୁଦ୍ରରେ ଅସଂଖ୍ୟ ଶାର୍କ ଅଛନ୍ତି । ଏଠି ମାଛୁଆଙ୍କ ଜାଲରେ ଶାର୍କ ପ୍ରାୟ ଲାଗିଯାଏ । ଆଉ ପାଣିରେ ଶାର୍କ ଜଙ୍ଗଲର ମଣିଷଖିଆ ବାଘଠାରୁ ଭୟଙ୍କର । “ପଦ୍ମଶିବ ସାବ୍, ଜଲଦି ବୋଟକୁ ଚଢିଆସ ।”- ବୋଟମ୍ୟାନ ଜୋରରେ ପାଟିକଲା ।
ପଦ୍ମଶିବ ମୁଣ୍ଡ ହଲାଇଲେ, ହାତ ଉଠାଇ ଠାରିଲେ । ସେ ଟିକେ ପହଁରିବାକୁ ଚାହାଁନ୍ତି । ତା’ପରେ ହାତ ବାଡେଇ ଟିକିଏ ଦୂରକୁ ଚାଲିଗଲେ । ଲୋକଟା ପାଗଳ ନା କ’ଣ? ଆରାମରେ ଏତେ ଗଭୀର ସୁଦ୍ରରେ ପହଁରୁଛି । ପାଗଳକୁ ମଝି ରାସ୍ତାରେ ଗଲେ ମଧ୍ୟ ତା’କୁ କିଛି ଡର ନଥାଏ । କିନ୍ତୁ ବାକି ଲୋକଙ୍କୁ ଡରଥାଏ କେତେବେଳେ ପାଗଳ ଗାଡି ଧକ୍କାରେ ମରିଯିବ । ସେମିତି ସମସ୍ତଙ୍କୁ ଡର ଲାଗୁଥିଲା “ପଦ୍ମଶିବ । ଶୀଘ୍ର ବୋଟକୁ ଆସ ।”- ଶେଷରେ ଅସୀମ ସମ୍ଭାଳି ନପାରି କହିଲେ । ପଦ୍ମଶିବର ଛୋଟ ଛୋଟ ଛୁଆ । କେଉଁ ଦୂର ଭାରତର ପୂର୍ବ ସୀମାନ୍ତରୁ ଆସି ଏଠି ଚାକିରି କରୁଛନ୍ତି । ପିଲାମାନେ ବେଶ ସୁସ୍ଥ ସବଳ, ହସଖୁସିଆ । ଯଦି ପଦ୍ମଶିବର କିଛି ହୋଇଯାଏ? ଅସୀମଙ୍କ ଛାତିରେ ଛନକା ପଶିଯାଉଥିଲା ।
“ଟିକେ ରୁହନ୍ତୁ । ପାଣିରେ ଭାସିବାକୁ ମଜା ଲାଗୁଛି ।”- ପଦ୍ମଶିବ ଅନୁରୋଧ କରୁଥିଲେ । ସେ ପାଣିରେ ଏକ ଫୁଲଭଳି ଭାସୁଥିଲେ । ଛୋଟ ଲହଡିରେ ଉଠୁଥିଲେ, ପଡୁଥିଲେ । ଅସୀମ କ’ଣ ହେଉଛି କିଛି ବୁଝିପାରୁନଥିଲେ । ସେପଟେ ଡଲଫିନଗୁଡାକ ଏ ବୋଟଠୁ ମୋଟେ ପଚାଶ ହାତ ଦୂରରେ । ସେମାନେ ବୋଟ ପାଖକୁ ଆସିବେ ବୋଲି ଅସୀମ ଭାବୁନଥିଲେ । ଡଲଫିନ ମଣିଷକୁ ଆକ୍ରମଣ କରିଛି ବୋଲି କାହିଁ ଶୁଣାନାହିଁ । ଏମିତି ପ୍ରାୟ ଦଶ ପନ୍ଦର ମିନିଟ ପାଣିରେ ପହଁରିଲାପରେ ପାଣି ସଡସଡ ହୋଇ ବୋଟମ୍ୟାନର ହାତ ଧରି ପଦ୍ମଶିବ ବୋଟ ଉପରକୁ ଚଢି ଆସିଲେ । ସମସ୍ତଙ୍କ ଦେହରେ ଯେମିତି ଜୀବନ ଆସିଲା ।
“ପଦ୍ମଶିବ, ଆପଣ ପାଗଳ ହୋଇଗଲେ ନା କ’ଣ? ଏକ ମହାସମୁଦ୍ରରେ କେହି ବୋଟରୁ ଡେଇଁବା ଭାବିପାରନ୍ତା ନାହିଁ ।”-ଅସୀମ କହିଲେ ।“କିଛି ନୁହେଁ । ଏତେ ନୀଳ ପାଣିରେ ପହଁରିବାକୁ ଇଚ୍ଛା ହେଲା ।”- ସେ କହିଲେ । “ଆପଣ ସମୁଦ୍ରକୂଳରେ ଗାଧୋଇପାରିଥାନ୍ତେ । ଆମର କିଛି କହିବାର ନଥିଲା । ସେଠି ପାଣି କମ ।”
“ବାଲି ପରା ଦେହରେ ଲାଗିଥାନ୍ତା । ମଜା ଲାଗିନଥାନ୍ତା । କିନ୍ତୁ ଏଠି ପାଣିରେ ଗାଧୋଇବାକୁ ଶାନ୍ତି ଲାଗିଲା ।”
“ଆପଣଙ୍କର ଲଜିକ ମାନିବାକୁ ପଡିବ । କିନ୍ତୁ ଶାର୍କ କଥା କ’ଣ ଭୁଲିଗଲେ ।” “ଶାର୍କ ମୋଟେ ଆସିନଥାନ୍ତା । ଏ ଅଞ୍ଚଳରେ ଶାର୍କ ନାହିଁ ।” “ଏତେ ଗଭୀର ପାଣିରୁ କେମିତି ଜାଣିନେଲେ ଶାର୍କ ନାହିଁ? ଆପଣ କେଉଁ ଥିଓରି ଦେବାକୁ ଯାଉଛନ୍ତି?” “ଡଲଫିନ ଯେଉଁଠି ରହେ, ସେଇଠି ଶାର୍କ ଆସେନି ।”- ପଦ୍ମଶିବ କହିଲେ ବଡ ସୁନିଶ୍ଚିତ ହୋଇ । ମହାସମୁଦ୍ରର ଏକ ବଡ ନିୟମ ବିଷୟରେ ପଦ୍ମଶିବ କ’ଣ ସତରେ କହୁଛନ୍ତି ନା କ’ଣ?ଡଲଫିନ ବୁଲୁଥିôବା ଅଞ୍ଚଳରେ ଶାର୍କ ରୁହନ୍ତିନି । ଏଇଟା କେତେ ସତ କେତେ ଭୁଲ ଅସୀମ ଜାଣିନଥିଲେ । କିନ୍ତୁ ସେଦିନ ପଦ୍ମଶିବଙ୍କର ନିଜ ବିଶ୍ୱାସ ଉପରେ ଏତେ ପ୍ରତ୍ୟୟ ଦେଖି ଅସୀମ ସ୍ତମ୍ଭୀଭୂତ ହୋଇଯାଇଥିଲେ । ପଦ୍ମଶିବଙ୍କର ଆଖି ଡଲଫିନମାନଙ୍କ ଉପରେ ଲମ୍ବା ଲାଗିରହିଥିଲା । ଆଉ ଅସୀମ କେତେବେଳେ ଡଲଫିନମାନଙ୍କୁ ଅନାଉଥିଲେତ କେତେବେଳେ ପଦ୍ମଶିବକୁ ଅନାଉଥିଲେ । ସେପଟେ ଡଲଫିନମାନଙ୍କ ଖେଳ ବେଶ କିଛି ସମୟ ପାଇଁ ଲାଗିରହିଲା ଆଉ ଏମାନେ ବୋଟରେ ଚୁପଚାପ ବସି ଦୋଳି ଖେଳିଲା ପରି ସମୁଦ୍ରପାଣିରେ ଦୋହଲୁଥିଲେ । “ଡଲଫିନ ସେମାନଙ୍କ ଅଞ୍ଚଳରୁ ଶାର୍କମାନଙ୍କୁ ଘଉଡାଇଦିଏ । ସେମାନେ କେଉଁଠି ଲୋକଟିଏ ପାଣିରେ ବିପଦରେ ପଡିଥିଲେ ତା’ ଚାରିପାଖେ ପହଁରନ୍ତି ଯେମିତିକି ଶାର୍କ ପାଖକୁ ନଆସେ । ଆଉ ଡଲଫିନର ମଣିଷକୁ ସାହାଯ୍ୟ କରିବାର ପ୍ରକୃତି କେଉଁ କାଳର ।”-ପଦ୍ମଶିବ କହୁଥିଲେ । ଅସୀମ ଡଲଫିନଙ୍କ ବିଷୟରେ ଜାଣିଥିବା ବିଷୟ ଭାବୁଥିଲେ । ଗୋଟିଏ ଦଳରେ ୧୦-୧୨ଟା ଡଲଫିନ ଥାଇପାରନ୍ତି । ଡଲଫିନ ତୀବ୍ର ଗତିରେ ସନ୍ତରଣ କରେ । ବେଳେବେଳେ ତା’ର ଗତି ୨୦ ମାଇଲ ଘଣ୍ଟା ପ୍ରତି ପର୍ଯ୍ୟନ୍ତ ଯାଇପାରେ । ଡଲଫିନମାନଙ୍କ ବ୍ୟବହାର ବନ୍ଧୁତାପୂର୍ଣ । ଏମିତି ବିଶ୍ୱାସ କରାଯାଏ ଯେ ଡଲଫିନ ଗାଧୋଉଥିବା ଲୋକଙ୍କୁ କ୍ଷତି ପହଞ୍ଚାଏ ନାହିଁ । ଏମିତିକି ବୁଡୁଥିବା ଲୋକକୁ ନିଜର ଚେପଟା ମୁହଁଦ୍ୱାରା ଧକ୍କାଦେଇ ଉପରକୁ ଠେଲିଦିଏ ବୋଲି କେହି କୁହନ୍ତି । ଡଲଫିନ ବେଳେବେଳେ ପାଣି ଉପରକୁ ସାମାନ୍ୟ ଡେଇଁଯାଏ ଆଉ ଢେଉରେ ପୁଣି ଖସିପଡେ । ସେମାନେ ପାଣିରେ ଭଲ ସର୍କସ ଖେଳାଳୀ ଭଳି କଳାକୌତୁକ କରିପାରନ୍ତି । ସେମାନେ ସି ଉଇଡ ଆଦିକୁ ନେଇ ନିଜ ଭିତରେ ଫୋପଡା ଫୋପଡି ଖେଳିଥାନ୍ତି । ଏମାନଙ୍କ ମୁହଁ ସବୁବେଳେ ହସିଲା ଭଳିଆ ଦେଖାଯାଏ । ମା’ ଡଲଫିନ ଆଉ ଛୁଆ ଭିତରେ ଗଭୀର ସମ୍ବନ୍ଧ ରୁହେ । ସେମାନେ ଅସୁସ୍ଥ ବା ଆହତ ସାଥିକୁ ସାହାଯ୍ୟ କରିଥାନ୍ତି । ମଣିଷ ପରି କିଛି ନୂଆ କଥା ଜାଣିବାକୁ ଇଚ୍ଛା କରନ୍ତି ଆଉ ସାମାଜିକ ବ୍ୟବହାର ଦେଖାନ୍ତି । ଡଲଫିନମାନେ ସେମାନଙ୍କର ଶିକାରର ଉପସ୍ଥିତି ବହୁ ଦୂରରୁ ଜାଣିନିଅନ୍ତି । ସେମାନେ ୦.୨ କିଲୋ ହର୍ଜରୁ ନେଇ ୮୦-୧୦୦ କିଲୋ ହର୍ଜ ଶବ୍ଦ କରିପାରନ୍ତି । ଏହା ଶିକାରର ଉପସ୍ଥିତି ଜାଣିବାକୁ ସହାୟକ ହୋଇଥାଏ । ଶିକାର ମଧ୍ୟ ଏତେ ଜୋର ଜୋର ଶବ୍ଦ ଶୁଣି ସ୍ଥାଣୁ ହୋଇଯାଏ । ଡଲଫିନମାନେ ସାଧାରଣତଃ ଗଭୀର ପାଣିରେ ରୁହନ୍ତି ଆଉ କୂଳକୁ ଆସନ୍ତି ନାହିଁ । ଡଲଫିନ ବେଶ ବୁଦ୍ଧିମାନ ପ୍ରାଣୀ । ଏହାର ବୁଦ୍ଧିମତା କୁକୁରର ବୁଦ୍ଧିମତ୍ତାଠାରୁ ଅଧିକା । ସେମାନେ କିଛି ସାଧାରଣ ଶବ୍ଦ ମନେ ରଖିପାରନ୍ତି । (କ୍ରମଶଃ)
ଭୁବନେଶ୍ୱର