ହେଙ୍ଗୁର ସ୍ୱାସ୍ଥ୍ୟ ଉପକାରିତା

ରୋଷେଇ ଘରେ ଅନେକ ପ୍ରକାର ମସଲା ରହିଛି ଯାହା ଅନେକ ଗମ୍ଭୀର ରୋଗର ଔଷଧ ଭାବରେ ବ୍ୟବହାର କରାଯାଏ । ସେଥି ସଧ୍ୟରୁ ହେଙ୍ଗୁ ସ୍ୱତନ୍ତ୍ର । ଏହାର ଛୁଙ୍କ ଲଗାଇବା ଦ୍ୱାରା ଖାଦ୍ୟର ସୁଗନ୍ଧ ସହ ସ୍ୱାଦ ଦ୍ୱିଗୁଣିତ ହୋଇଥାଏ । ଆୟୁର୍ବେଦରେ ହେଙ୍ଗୁକୁ ବର୍ଷ ବର୍ଷରୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଉଛି । ବିଭିନ୍ନ ରୋଗ ପାଇଁ ଏହା ବେଶ୍ ଲାଭକାରୀ ସାବ୍ୟସ୍ତ ହୋଇଛି । ହେଙ୍ଗୁରେ ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଫଙ୍ଗଲ୍, ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଇନଫ୍ଲେମେଟରୀ ଓ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ଭରପୁର ମାତ୍ରାରେ ରହିଛି । ପ୍ରତିଦିନ କେବଳ ଚିମୁଟାଏ ହେଙ୍ଗୁ ଗୋଟେ ଗ୍ଲାସ ପାଣିରେ ମିଶାଇ ପିଇବା ଦ୍ୱାରା ଶରୀରକୁ ଅଗଣତି ଫାଇଦା ମିଳିଥାଏ । ଆସନ୍ତୁ ଜାଣିବା ସେ ସମ୍ପର୍କରେ....
ହେଙ୍ଗୁ ପାଣି ପିଇବାର ଫାଇଦା :
ପ୍ରତିଦିନ ସକାଳୁ ଖାଲିପେଟରେ ଗୋଟେ ଗ୍ଲାସ ଗରମ ପାଣିରେ ଚିମୁଟାଏ ହେଙ୍ଗୁ ପକାଇ ପିଇବାଦ୍ୱାରା ଶରୀରକୁ ବିଶେଷ ଲାଭ ମିଳିଥାଏ । ହେଙ୍ଗୁ ସେବନ କରିବା ଦ୍ୱାରା ଶରୀରର ପାଚନ ତନ୍ତ୍ର ମଜବୁତ ହୋଇଥାଏ । ଏହା ପାଚନ ଏନଜାଇମ୍ର ଉତ୍ପାଦନ ବଢ଼ାଇବାରେ ସାହାଯ୍ୟ କରିଥାଏ, ଯାହାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ । ଏହା କୋଷ୍ଠକାଠିନ୍ୟ, ଗ୍ୟାସ୍ ଓ ବଦହଜମି ପରି ପାଚନ ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରେ । ଗ୍ୟାଷ୍ଟ୍ରିକ ସମସ୍ୟାକୁ ଦୂର କରିବାରେ ଏହା ବେଶ୍ ଲାଭକାରୀ । ଏଥିରେ ଥିବା ଉପକାରୀ ଉପାଦାନ ମାଂସପେଶୀକୁ ଶାନ୍ତ କରିଥାଏ । ଏହା ପେଟ ଫୁଲିବା, ଏସିଡିଟି ଏବଂ ପେଟ ଯନ୍ତ୍ରଣା ପରି ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । କିଡନୀ ଷ୍ଟୋନ୍ ଏବଂ ବ୍ରୋଙ୍କାଇଟିସ୍ ପାଇଁ ମଧ୍ୟ ଏହା ବ୍ୟବହୃତ ହୁଏ । ହେଙ୍ଗୁରେ ଅନେକ ପ୍ରକାର ମିନେରାଲ ଓ ଭିଟାମିନ୍ ରହିଥାଏ, ଯାହା ଶରୀରକୁ ଶକ୍ତି ଯୋଗାଇଥାଏ । ଯାହା ଶରୀରର ଦୁର୍ବଳତା ଓ ଥକ୍କାପଣକୁ ଦୂର କରିବାରେ ସାହାଯ୍ୟ କରେ । ହେଙ୍ଗୁର ଆଣ୍ଟି-ଭାଇରାଲ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଥଣ୍ଡା, କାଶ ଓ ଗଳା ଯନ୍ତ୍ରଣାପରି ସମସ୍ୟାରୁ ଉପଶମ ଦେଇଥାଏ । ଏହାର ଉପକାରୀ ତତ୍ତ୍ୱ ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣା କମ୍ କରିବାରେ ସାହାଯ୍ୟ କରିଥାଏ । ହାଇ ବ୍ଲଡ୍ପ୍ରେସର ନିୟନ୍ତ୍ରଣ କରିବାରେ ହେଙ୍ଗୁ ବେଶ୍ ଲାଭକାରୀ । ଏହା ବ୍ଲଡ ବେସଲ୍ସକୁ ଆରାମ ଦେଇଥାଏ ଏବଂ ବ୍ଲଡ୍ ପ୍ରେସରକୁ କମ୍ କରିଥାଏ ।
ଯଦି ଆପଣ ମୋଟାପଣ ପାଇଁ ଚିନ୍ତିତ ଅଛନ୍ତି ତେବେ ହେଙ୍ଗୁର ସେବନ ଆପଣଙ୍କ ପାଇଁ ବେଶ୍ ଲାଭକାରୀ ହେବ । କାରଣ ହେଙ୍ଗୁ ମେଟାବୋଲିଜମକୁ ବୃଦ୍ଧି କରିଥାଏ, ଯାହା ଓଜନ କମ କରିବାରେ ସହାୟକ ହୁଏ । କେବଳ ପେଟ ଜନିତ ସମସ୍ୟା ନୁହେଁ କେଶ ଓ ତ୍ୱଚା ପାଇଁ ମଧ୍ୟ ହେଙ୍ଗୁ ବେଶ୍ ଲାଭକାରୀ । ଏହା ତ୍ୱଚାର ସଂକ୍ରମଣ କମ୍ କରେ । ହେଙ୍ଗୁର ବ୍ୟବହାର କୁଞ୍ଚନ ଏବଂ ବ୍ରଣ ଭଳି ସମସ୍ୟାରୁ ମୁକ୍ତି ଦେଇପାରେ ଏବଂ ଏହା କେଶରେ ଚମକ ଓ ମଜବୁତ ବଜାୟ ରଖିବାରେ ସାହାଯ୍ୟ କରିଥାଏ ।
ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନେ ହେଙ୍ଗୁର ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଯଦି ଆପଣଙ୍କର ହେଙ୍ଗୁ ପ୍ରତି ଆଲର୍ଜି ଅଛି ତେବେ ଏହା ସେବନ କରନ୍ତୁ ନାହିଁ । ଅଧିକ ମାତ୍ରାରେ ହେଙ୍ଗୁ ଖାଇବା ଦ୍ୱାରା ପେଟ ଖରାପ ମଧ୍ୟ ହୋଇପାରେ ।
By- ହେନାମଞ୍ଜରୀ ସ୍ୱାଇଁ