ଶୀତଳଷଷ୍ଠୀରେ ସାମିଲ ହେଲେ ଧର୍ମେନ୍ଦ୍ର
ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରରେ ବିଭିନ୍ନ ମନ୍ଦିରରେ ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହୋଇ ଜନସାଧାରଣଙ୍କୁ ଶିବବିବାହର ବାର୍ତ୍ତା ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ‘ଶୀତଳଷଷ୍ଠୀ’ ହେଉଛି ଲୋକକଳା, ଲୋକବାଦ୍ୟ, ଲୋକନୃତ୍ୟ ଏବଂ ଲୋକଗୀତର ମହାସଙ୍ଗମ । ଆଜିର ଶୁଭ ଅବସରରେ ସମ୍ବଲପୁର ସହରକୁ ସୁନ୍ଦର ଓ ଆଧୁନିକ କରିବା ଦିଗରେ ଅନେକ ପଦକ୍ଷେପର ଶୁଭାରମ୍ଭ ହୋଇଛି । ଏହି ସବୁ ସୁବିଧା କଳା ଓ ସଂସ୍କୃତିର ସହର ସମ୍ବଲପୁରକୁ ଅଧିକ ସୁନ୍ଦର କରିବା ସହ ସାଧାରଣ ଜନତାଙ୍କ ଯାତାୟତ, ଗମନାଗମନ ଓ ଜୀବନଶୈଳୀକୁ ସୁଗମ କରିବ ।
ଏ ଅବସରରେ ଧର୍ମେନ୍ଦ୍ର ଜିଲ୍ଲାରେ ଅନେକ ସୌନ୍ଦର୍ଯ୍ୟକରଣ ଓ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଆଜି ଶୀତଳ ଷଷ୍ଠୀ ଅବସରରେ ସମ୍ବଲପୁର ଚାରବାଟି ନିକଟରେ ହେରିଟେଜ୍ ଲାଇଟ୍ ସହ ଗୋଲବଜାର ଛକ ଓ ଶକ୍ତି ଛକର ସୌନ୍ଦର୍ଯ୍ୟକରଣ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି । ସେହିପରି ସମ୍ବଲପୁରରେ ଲକ୍ଷ୍ମୀ ଟକିଜ ଛକର ସୌନ୍ଦର୍ଯ୍ୟକରଣ, ଲକ୍ଷ୍ମୀ ଟକିଜ୍ ଛକ ଫ୍ଲାଏଓଭରରେ ଡିଏମଏକ୍ସ ଆଲୋକୀକରଣର ସୁବିଧା, ବଡ଼ବଜାର ଠାରେ ଗୌରୀଶଙ୍କର ସାହାଣୀ ଉଦ୍ୟାନରେ ଜିମ୍ ଏବଂ ପାର୍କର ନବୀକରଣ କାର୍ଯ୍ୟ ଆଦିର ଶୁଭାରମ୍ଭ କରିଥିଲେ । ଜମନକିରା ସ୍ଥିତ ମୁକ୍ତେଶ୍ୱର ମନ୍ଦିରରେ ଏକ ନୂତନ କଲ୍ୟାଣମଣ୍ଡପର ଭିତ୍ତିପ୍ରସ୍ତର କରିଥିଲେ । ସେହିପରି ମୁକ୍ତେଶ୍ୱର ମନ୍ଦିରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୫୩ ଲକ୍ଷ ୫୫ ହଜାର ଟଙ୍କା ବିନିମୟରେ ନିର୍ମିତ ଏହି କଲ୍ୟାଣ ମଣ୍ଡପ ଅଞ୍ଚଳର ସାଂସ୍କୃତିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ବେଶ୍ ସହାୟକ ହେବ ବୋଲି କହିଥିଲେ ।