ଲୋକେ ବୁଲିଲେ ରାଜଭବନ ଉଦ୍ୟାନ : ଛୋଟ ପିଲାଙ୍କୁ ଚକୋଲେଟ୍ ଦେଲେ ରାଜ୍ୟପାଳ 

 ଭୁବନେଶ୍ୱର : ଭୁବନେଶ୍ୱର ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଆଜିଠାରୁ ଖୋଲାଯାଇଛି । ପ୍ରଥମ ଦିନରେ ତିନି ହଜାରରୁ ଊଦ୍ଧ୍ୱର୍ ଜନସାଧାରଣ ରାଜଭବନର ମନୋରମ ଉଦ୍ୟାନ ପରିଦର୍ଶନ କରିଥିଲେ । ଏହି ଅବସରରେ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମ୍ପାଟି ଏବଂ ରାଜ୍ୟର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମ୍ପାଟି ଜନସାଧାରଣଙ୍କ ସହ ମିଶି ବାର୍ତ୍ତାଳାପ କରିଥିଲେ । ନିଜ ଅଭିଭାବକଙ୍କ ସହ ଆସିଥିବା ଛୋଟ ଛୋଟ ଶିଶୁମାନଙ୍କ ସହ ମିଶିବା ସହିତ ସେମାନଙ୍କୁ ଚକୋଲେଟ୍ ଏବଂ ପେନ୍ ପ୍ରଦାନ କରିଥିଲେ । ଏତଦ୍ବ୍ୟତୀତ ଉଦ୍ୟାନ ପରିଦର୍ଶନ କରୁଥିବା ଭିନ୍ନକ୍ଷମମାନଙ୍କ ସହ ମିଶି ବାର୍ତ୍ତାଳାପ କରିଥିଲେ । ସୂଚନାଯୋଗ୍ୟଯେ ଦର୍ଶକମାନେ ରାଜଭବନ ଉଦ୍ୟାନର ନୈସର୍ଗିକ ଶୋଭାରାଜି, ବିଭିନ୍ନ କିସମର ବୃକ୍ଷ ଲତା, ପୁଷ୍ପରାଜି, ମୁ୍ୟଜିକ୍ ଫାଉଣ୍ଟେନ୍, ହରିଣ ଉଦ୍ୟାନ, ମୟୁର ତଥା ଅନ୍ୟାନ୍ୟ ପକ୍ଷୀ, ମୁକ୍ତ ଆକ୍ୱାରିୟମ୍ ପରିଦର୍ଶନ କରି ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ । 
ସୂଚନାଯୋଗ୍ୟଯେ, ଚଳିତ ଜାନୁଆରୀ ମାସ ୨୨ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ରାଜ ଭବନ ଉଦ୍ୟାନ ଖୋଲା ରହିବ ବୋଲି ନିଷ୍ପତି ନିଆଯାଇଛି । କେବଳ ମୋବାଇଲ୍ ଆପ୍ ପଞ୍ଜିକରଣ ମାଧ୍ୟମରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯିବ । ରାଜଭବନ ଉଦ୍ୟାନ ପରିଦର୍ଶନ ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ ।