ଜୁଏଲ ଓରାମଙ୍କ ପତ୍ନୀଙ୍କ ବିୟୋଗରେ ଧର୍ମେନ୍ଦ୍ରଙ୍କ ଶୋକ ପ୍ରକାଶ

ରାଉରକେଲା: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଶୋକାଵାର୍ତ୍ତାରେ କହିଛନ୍ତି,”ଆମ ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଅନେକ ସାମାଜିକ ଓ ରାଜନୈତିକ କାର୍ୟ୍ୟକ୍ରମରେ ଜୁଏଲ ଭାଇଙ୍କ ଘରକୁ ଯିବା ସମୟରେ ତାଙ୍କ ପରିବାର ସଦସ୍ୟଙ୍କ ଠାରୁ ମୋତେ ବହୁତ ସ୍ନେହ ଆଦର ମିଳିଛି।
ଜଣେ ପରିବାରର ସଦସ୍ୟ ଭାବେ ଶ୍ରୀମତୀ ଝିଙ୍ଗିଆଙ୍କ ପରି ଧର୍ମପରାୟଣା ମହିଳାଙ୍କ ଅକାଳ ବିୟୋଗ ମୋତେ ବ୍ୟଥିତ କରିଛି। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଏହି ଦୁଃଖଦ ସମୟରେ ମହାପ୍ରଭୁ ପରିବାର ବର୍ଗଙ୍କୁ ଅସୀମ ଧୈର୍ୟ୍ୟ ଓ ସାହସ ପ୍ରଦାନ କରନ୍ତୁ”। ଏଣେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଓ ରାଜ୍ୟସଭା ସଦସ୍ୟ ରାଜୀବ ଶୁକ୍ଳା ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୫୮ ବର୍ଷ ହୋଇଥିଲା। ୯ ଦିନ ଧରି ଡେଙ୍ଗୁରେ ଆକ୍ରାନ୍ତ ଥିବା ଝିଙ୍ଗିଆ ଓରାମ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଝିଙ୍ଗିଆ ଓରାମଙ୍କ ମୃତଦେହକୁ ଗତକାଲି ରାତିରେ ଭୁବନେଶ୍ୱରର ଲୁମ୍ବିନୀବିହାର ସ୍ଥିତ ବାସଭବନକୁ ଅଣାଯାଇଥିଲେ। ସେଠାରେ ତାଙ୍କୁ ଶେଷ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳରର ସଦସ୍ୟମାନେ। ଏହା ସହିତ ଆହୁରି ଅନେକ ବ୍ୟକ୍ତିବିଶେଷ ସେଠାରେ ପହଞ୍ଚି ଝିଙ୍ଗିଆ ଓରାମଙ୍କର ଶେଷ ଦର୍ଶନ କରିବା ସହିତ ଜୁଏଲ ଓରାମଙ୍କୁ ସାନ୍ତ୍ୱନା ଦେଇଥିଲେ। ଝିଙ୍ଗିଆ ଓରାମଙ୍କ ପାର୍ଥିବ ଶରୀରକୁ ଆଜି ସୁନ୍ଦରଗଡ଼ ଜିଲ୍ଲା ବଣାଇର କେନ୍ଦୁଡ଼ିହିକୁ ନିଆଯାଇଛି। ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ।