କୁମ୍ଭୀର ପଲର ଆକ୍ରମଣ : ୩୫ ମଇଁଷି ମୃତ, ଆଉ ୩୫ ନିଖୋଜ
ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ନଦୀଘେରା ପଞ୍ଚାୟତ ଏକମାଣିଆରେ ଆଜି ସକାଳୁ ଏକ ଦୁଃଖଦ ତଥା ଲୋମହର୍ଷଣକାରୀ ଘଟଣା ଘଟିଯାଇଛି । ଏକମାଣିଆ ପଞ୍ଚାୟତର ଦକ୍ଷିଣଡିହା ଗ୍ରାମ ନାଳରୁ ଆଜି କୁମ୍ଭୀର ପଲ ଆକ୍ରମଣର ଶିକାର ହୋଇଥିବା ୩୫ରୁ ଊର୍ଦ୍ଧ୍ୱ ମଇଁଷିଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଏଯାବତ ଆଉ ୩୫ରୁ ଊର୍ଦ୍ଧ୍ୱ ମଇଁଷି ନିଖୋଜ ଥିବା ଜଣାପଡିଛି ।
ପ୍ରତିଦିନ ଏକମାଣିଆ ଗ୍ରାମର ଗଣେଶ ଦାସଙ୍କର ୩୦ଟି, ଜଗନ୍ନାଥ ଦାସଙ୍କର ୩୦ଟି ଓ ନଳପାହି ଗ୍ରାମର ପରମାନନ୍ଦ ବିଶ୍ୱାଳଙ୍କ ୧୨ଟି ମଇଁଷି ଚରିବାକୁ ଯାଇଥାନ୍ତି । ନଦୀଘେରା ଅଞ୍ଚଳ ହୋଇଥିବାରୁ ମନୁଷ୍ୟ ଠାରୁ ନେଇ ଗୋରୁ ଗାଈ ବାରମ୍ବାର କୁମ୍ଭୀର ଆକ୍ରମଣର ଶିକାର ହୋଇଥାନ୍ତି । ତେବେ ଆଜି ମଇଁଷି ମାନେ ନଦୀ ସଂଲଗ୍ନ ନାଳ ପାର୍ଶ୍ୱରେ ଚରୁଥିବା ସମୟରେ ହଠାତ ନଦୀରୁ ଏକ କୁମ୍ଭୀର ପଲ ମଇଁଷିମାନଙ୍କୁ ଆକ୍ରମଣ କରିବା ଫଳରେ ସମସ୍ତ ମଇଁଷି ଭୟଭୀତ ହୋଇ ଦକ୍ଷିଣଡିହା ଗ୍ରାମର ଏକ ନାଳ ମଧ୍ୟକୁ ପଶିଯାଇଥିଲେ । କୁମ୍ଭୀର ଆକ୍ରମଣ ଯୋଗୁଁ ସେମାନେ କ୍ଷତାକ୍ତ ହୋଇ ନାଳରେ ଅଥଳ ପାଣି ଓ ଘାସରେ ପଶି ଯାଇଥିଲେ । ତୁରନ୍ତ ଗ୍ରାମବାସୀମାନେ ରାଜନଗର ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ । ଏଯାବତ ୩୫ରୁ ଊର୍ଦ୍ଧ୍ୱ ମଇଁଷିଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏଯାବତ ଆହୁରି ୩୫ରୁ ଉର୍ଦ୍ଧ୍ୱ ମଇଁଷି ନିଖୋଜ ଥିବା ପ୍ରମୋଦ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି ।