ବଢ଼ିଲା ଧର୍ମେନ୍ଦ୍ରଙ୍କ ପତିଆରା, ବୈଜୟନ୍ତ ଓ ଅପରାଜିତାଙ୍କ ମନଦୁଃଖ
ହରିୟାଣାର ନିର୍ବାଚନ ପ୍ରଭାରୀ ଥିଲେ ଧର୍ମେନ୍ଦ୍ର ପ୍ରଧାନ । ଦିନରାତି ସେ ହରିୟାଣାରେ ପରିଶ୍ରମ କରୁଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଆସ୍ଥା ଅନୁସାରେ ଧର୍ମେନ୍ଦ୍ର କାମ କରିଛନ୍ତି । ଅତୀତରେ ବିହାର, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ପ୍ରଭାରୀ ଭାବେ ସଫଳ ଧର୍ମେନ୍ଦ୍ର ହରିୟାଣାରେ ବି ସଫଳ ହେବାକୁ ଯାଉଛନ୍ତି ।
ଆଜି କମ୍ପିବ ଜନପଥ । ମାଷ୍ଟରକ୍ୟାଂଟିନରୁ ନେଇ ରାମମନ୍ଦିର ଯାଏଁ ବାଣରେ କମ୍ପି ଉଠିବ । ବାଜା ବାଜିବ, ମିଠା ବି ବଂଟାଯିବ । ଜାମ୍ମୁକାଶ୍ମୀରରେ ବିଜୟ ଖୁସିରେ ଆଜି କଂଗ୍ରେସ ଭବନରେ ଖୁବ ମସ୍ତି ହେବ । ଅନେକ ନେତା ମିଠା ବାଂଟିବା ସହ ବାଜା ବଜାଇ ନାଚିବାକୁ ସଜବାଜ ହେଉଛନ୍ତି । ଏମିତିକି ବାଜା ବାଲାକୁ ବହିନା ଦେଇସାରିଲେଣି । ସେପଟେ ରାମମନ୍ଦିରରେ ବିଜେପି ହରିୟାଣାର ଖୁସି ମନାଇବ । ହରିୟାଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ପ୍ରଭାରୀ ଥିଲେ । ଯାହାକି ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ ଆହୁରି ବଢ଼ାଇଦେବ ।
ଏକଜିଟ୍ ପୋଲର ଆକଳନ ଅନୁସାରେ ଜାମ୍ମୁକାଶ୍ମୀରରେ ଝୁଲା ବିଧାନସଭା ଗଠନ ହେବବୋଲି କୁହାଯାଉଥିଲା । କିନ୍ତୁ ଏବେ ଟ୍ରେଣ୍ଡ କିଛି ଅଲଗା କହୁଛି । ଜାମ୍ମୁକାଶ୍ମୀରରେ ନାସନାଲ କନଫେରେନ୍ସ ବଡ଼ ଦଳ ଭାବେ ଉଭା ହୋଇଛି । କଂଗ୍ରେସ ଓ ଏନସିର ଆସନ ସଂଖ୍ୟା ମିଶାଇଲେ ସେଠାରେ ସରକାର ଗଢ଼ିବା ସ୍ଥିତିକୁ ଆସିଯାଇଛନ୍ତି । ଜାମ୍ମୁକାଶ୍ମୀରରେ ନାସନାଲ କନଫେରେନ୍ସ ୪୦ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୧୦ ଆସନରେ ଆଗୁଆ ରହିଛି । ଅର୍ଥାତ୍ ଆବଶ୍ୟକୀୟ ମ୍ୟାଜିକ ଅଙ୍କ ଠାରୁ ଇଣ୍ଡି ମେଂଟ ଆଗରେ ରହିଛି । ସେହିପରି ବିଜେପି ଜାମ୍ମୁରେ ଭଲ ପ୍ରଦର୍ଶନ କରିଥିଲେବି ୨୫ ଆସନରେ ସୀମିତ ରହିବବୋଲି ଅନୁମାନ କରାଯାଉଛି । ସ୍ୱାଧୀନ ଭାବେ ୭ ଜଣ ଆଗୁଆ ଥିବାବେଳେ ପିଡ଼ିପି ୫ ଆସନରେ ଆଗୁଆ ରହିଛି ।
ହରିୟାଣାର ବର୍ତ୍ତମାନର ଟ୍ରେଣ୍ଡରେ ବିଜେପି ଆଗରେ ରହିଛି । ହରିୟାଣାରେ ୯୦ ଆସନ ପାଇଁ ନିର୍ବାଚନ ହୋଇଥିଲା । ସରକାର ଗଢ଼ିବା ପାଇଁ ସେଠାରେ ୪୬ ଆସନର ଆବଶ୍ୟକତା ରହିଛି । ଏବେକାର ଟ୍ରେଣ୍ଡ ଅନୁସାରେ ବିଜେପି ୪୮ ଆସନରେ ଆଗୁଆ ରହିଥିବାେବେଳ କଂଗ୍ରେସ ୩୬ ଆସନରେ ଆଗୁଆ ରହିଛି । ଯେତେବେଳେକି ସ୍ୱାଧୀନ ଭାବେ ୪ ଜଣ, ଆଇଏନଏଲଡ଼ି ୧ ଓ ବିଏସପି ଗୋଟିଏ ଆସନରେ ଆଗୁଆ ରହିଛି । କଂଗ୍ରେସର ଅନେକ ଟାଣୁଆ ନେତା ପଛରେ ପଡ଼ିଯାଇଛନ୍ତି ।