ରସିକିଆ ଡାକ୍ତର: ୪ଜଣଙ୍କୁ ମିଛ କହି ବିବାହ କରିଛନ୍ତି

ଭୁବନେଶ୍ୱର: ମିଛ କହି ବିବାହ କରିବା ଓ ନାନା ବାହାନାରେ ଠକେଇ ଘଟଣା ବଢ଼ି ଚାଲିଛି। ପୂର୍ବରୁ ଏମିତି ବହୁ ଅଭିଯୋଗ ଆସିବା ପରେ ପୋଲିସ ପଦକ୍ଷେପ ଗ୍ରହଣ କରିଛି। ଏବେ ପୁଣି ଜଣେ ରସିକିଆ ଡାକ୍ତରଙ୍କ ପ୍ରେମ ପେଡି ସାମ୍ନାକୁ ଆସିଛି। କର୍ନାଟକରେ ରହୁଥିବା ଓଡିଶାର ଜଣେ ଆୟୁର୍ବେଦିକ ଡାକ୍ତରଙ୍କ ବିରୋଧରେ ଜଣେ ମହିଳା ଭୁବନେଶ୍ୱରସ୍ଥିତ ମହିଳା କମିଶନଙ୍କ ନିକଟରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପୀଡିତା ମହିଳାଙ୍କ ଘର ନୟାଗଡ ଅଞ୍ଚଳରେ ବୋଲି ଜଣାପଡିଛି। ମହିଳା ଜଣକ ନିଜକୁ ଉକ୍ତ ଡାକ୍ତରଙ୍କ ସ୍ତ୍ରୀ ବୋଲି ଦାବି କରିବା ସହ ତାଙ୍କ ସ୍ବାମୀ ୪ଜଣଙ୍କୁ ବିବାହ କରିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ପ୍ରତାରିତ ଡାକ୍ତର ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନ୍ୟାୟ ଦେବାକୁ ସେ ମହିଳା କମିଶନଙ୍କୁ ନିବେଦନ କରିଛନ୍ତି। ଅଭିଯୁକ୍ତ ରସିକିଆ ଡାକ୍ତର କର୍ନାଟକରେ ୨ ଓ ଓଡିଶାରେ ୨ ଜଣଙ୍କୁ ବିବାହ କରିଛନ୍ତି। ଏପରିକି ତାଙ୍କ ସ୍ବାମୀ କୋର୍ଟରେ ଭରଣପୋଷଣ ଦେବାକୁ କହିଥିଲେ ମଧ୍ୟ କୋର୍ଟଙ୍କ ନିୟମକୁ ସ୍ବାମୀ ଅବମାନନା କରି ଦେଉ ନ ଥିବା ପୀଡିତା ମହିଳା ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।