ପଞ୍ଜାବରେ କଙ୍ଗନାଙ୍କ ‘ଏମର୍ଜେନ୍ସି’ ବନ୍ଦ

ପଞ୍ଜାବରେ କଙ୍ଗନାଙ୍କ ‘ଏମର୍ଜେନ୍ସି’ ବନ୍ଦ

ଚଣ୍ଡିଗଡ଼: ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍‌ଜିପିସି) ଏବଂ ଅନ୍ୟ ଶିଖ୍‌ ସଂଗଠନଗୁଡ଼ିକ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାରୁ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ଙ୍କ ‘ଏମର୍ଜେନ୍ସି’ ଫିଲ୍ମ ଶୁକ୍ରବାର ପଞ୍ଜାବର ସିନେମାହଲ୍‌ଗୁଡ଼ିକରେ ପ୍ରଦର୍ଶିତ ହୋଇନାହିଁ। ଉକ୍ତ ଚଳଚ୍ଚିତ୍ରକୁ ବେଆଇନ ଘୋଷଣା କରିବା ପାଇଁ ଅଧିକାଂଶ ରାଜନେତା ଦାବି କରିଛନ୍ତି।
ଗୁରୁଦ୍ୱାରାଗୁଡ଼ିକର ଶୀର୍ଷ ସଂଗଠନ ଏସ୍‌ଜିପିସି ଏବଂ ବିଭିନ୍ନ ଶିଖ୍‌ ସଂଗଠନ ସିନେମାକୁ ବିରୋଧ କରି ସାରା ରାଜ୍ୟର ସିନେମାହଲ୍‌, ମଲ୍ଟିପ୍ଲେକ୍ସ ଏବଂ ମଲ୍‌ଗୁଡ଼ିକ ବାହାରେ ବିକ୍ଷୋଭ କରିଥିଲେ। ଏହି ରାଜନୈତିକ କାହାଣୀ ଆଧାରିତ ଚଳଚ୍ଚିତ୍ରକୁ କଙ୍ଗନା ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି ଓ ନିର୍ମାଣ କରିଛନ୍ତି। ପଞ୍ଜାବରେ ଏହାର ପ୍ରଦର୍ଶନକୁ ବ୍ୟାନ୍‌ କରାଯିବା ଦାବି କଳା ଓ କଳାକାରଙ୍କ ପ୍ରତି ନିର୍ଯାତନା ବୋଲି କହି ସେ ନିନ୍ଦା କରିଛନ୍ତି। ]

୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ୨୧ ମାସ ଧରି ଭାରତରେ ଲାଗୁ ହୋଇଥିବା ଜରୁରୀ ପରିସ୍ଥିତି ଆଧାରରେ ନିର୍ମିତ ‘ଏମର୍ଜେନ୍ସି’ରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସେନ୍‌ସର ପ୍ରମାଣପତ୍ରକୁ ନେଇ ଚଳଚ୍ଚିତ୍ରଟି ବିବାଦରେ ରହିଥିବାବେଳେ ଶିଖ୍‌ ସମ୍ପ୍ରଦାୟକୁ ଏଥିରେ ଭୁଲ୍‌ ଉପସ୍ଥାପନା କରାଯାଇଥିବା ଅଭିଯୋଗ ହୋଇଛି। ବହୁ ବିଳମ୍ବରେ ଶୁକ୍ରବାର ଚଳଚ୍ଚିତ୍ର ସାରା ଦେଶରେ ମୁକ୍ତିଲାଭ କରିଛି। ତେବେ ପଞ୍ଜାବର ଲୁଧିଆନା, ଅମୃତସର, ପଟିଆଲା, ଜଳନ୍ଧର, ହୋଶିଆରପୁର ଏବଂ ବଠିଣ୍ଡାର ସିନେମାହଲ୍‌ଗୁଡ଼ିକରେ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇନାହିଁ। ଅମୃତସରରେ ବହୁସଂଖ୍ୟାରେ ମହିଳା ପୁରୁଷ କଳାପତାକା ଏବଂ ଏମର୍ଜେନ୍ସିକୁ ବ୍ୟାନ୍‌ ଓ ବାସନ୍ଦ କରାଯାଉ ଲେଖାଥିବା ପ୍ଲାକାର୍ଡ ଧରି ବିକ୍ଷୋଭରେ ସାମିଲ ହୋଇଥିଲେ। ସିନେମାଟିର ମୁକ୍ତିଲାଭ ବନ୍ଦ କରିବାକୁ ଆମେ କେନ୍ଦ୍ର ଓ ପଞ୍ଜାବ ସରକାରଙ୍କୁ କହିଥିଲେ ମଧ୍ୟ କୌଣସି ଫଳ ହେଲାନାହିଁ ବୋଲି ଏସ୍‌ଜିପିସିର ପ୍ରତାପ ସିଂ ଗଣମାଧ୍ୟମକୁ କହିଛନ୍ତି।