ଦଶହରାରେ ପାଗ ଶୁଖିଲା ରହିବ

ଦଶହରାରେ ପାଗ ଶୁଖିଲା ରହିବ

ଭୁବନେଶ୍ୱର: ଏଥର ଦଶହରାରେ ପାଗ ଶୁଖିଲା ରହିବ । ହେଲେ ନୟାନ୍ତ କରିପାରେ ଗୁଳୁଗୁଳିଆ ପାଗ ।  ରାଜ୍ୟରେ ଆସନ୍ତା ୧୦  ଦିନ ପର୍ୟ୍ୟନ୍ତ ପାଗ ପ୍ରାୟତଃ ଶୁଖିଲା ରହିବ । ସମ୍ଭବତଃ ଆସନ୍ତା ୬ କିମ୍ବା  ୭ ତାରିଖରେ ଦକ୍ଷିଣ ଉପକୂଳ ଓ  ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା  ହୋଇପାରେ । ୧୧ ଓ ୧୨ ତାରିଖରେ  ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା  ସମ୍ଭାବନା ଅଛି । ସମଗ୍ର ଉପକୂଳରେ  ପାଗ ଶୁଖିଲା ରହିବା ସମ୍ଭାବନା ଅଛି ।  ତେବେ ତାପମାତ୍ରାରେ ବିଶେଷ  ପରିବର୍ତ୍ତନ ସଙ୍କେତ ମିଳୁନାହିଁ ।  
ପଶ୍ଚିମବଙ୍ଗ ଉପରେ ଗତକାଲିଠାରୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ମାତ୍ର ଏହା  ଓଡ଼ିଶାରୁ ଦୂରରେ ରହିବ । ଏହାର କୌଣସି ପ୍ରଭାବ ରାଜ୍ୟ ଉପରେ  ପଡ଼ିବନାହିଁ । ବାଂଲାଦେଶ ଓ ଉତ୍ତର- ପୂର୍ବ ଭାରତରେ ବର୍ଷା ହେବ, ଯାହାକି  ଆଗରୁ ଆକଳନ କରାଯାଇଥିଲା ।  ଆସନ୍ତା ୬ କିମ୍ବା ୭ ତାରିଖବେଳକୁ  ଦକ୍ଷିଣ ବଙ୍ଗୋପସାଗର ଓ ଦକ୍ଷିଣ  ଆରବ ସାଗରକୁ ମିଶାଇ ଏକ  ଲଘୁଚାପ ସମ୍ଭାବନା ଅଛି । ହେଲେ  ଏହା ତାମିଲନାଡ଼ୁ ଓ କେରଳରେ  ବର୍ଷା କରାଇବ । 

ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଉତ୍ତର  ବଙ୍ଗୋପସାଗରରେ ୪ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ୬ ତାରିଖବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ  ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହୋଇପାରେ । ତେବେ ଇସିଏମଡବ୍ଲ୍ୟୁଏଫ ମଡେଲ୍‌ ଅନୁସାରେ ପରବର୍ତ୍ତୀ ସପ୍ତାହରେ (୧୧ରୁ  ୧୭ ତାରିଖ ଭିତରେ) ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବାର ୪୦%ରୁ ୬୦% ସମ୍ଭାବନା ଅଛି ।