ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଭୋଟରଙ୍କ ପାଇଁ ଇ-ରିକ୍ସା 

 ସମ୍ବଲପୁର: ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ନାଗରିକମାନଙ୍କୁ ଭୋଟ କେନ୍ଦ୍ରକୁ ଆଣିବା ପାଇଁ ଇ-ରିକ୍ସା ବ୍ୟବହାର କରାଯିବ ।  ସାଧାରଣ ନିର୍ବାଚନକୁ ସହଜ  ସୁଗମ କରିବା ପାଇଁ ଦିବ୍ୟାଙ୍ଗମାନଙ୍କୁ ସମ୍ବଲପୁର ମହାନଗର ନିଗମ ସମ୍ମିଳନୀ କକ୍ଷ ଠାରେ ଏକ କର୍ମଶାଳା କରାଯାଇଥିଲା । ଏଥିରେ ଇ-ରିକ୍ସାରେ ନିର୍ବାଚନ ପାଇଁ ଅନ୍ୟ ଭିନ୍ନକ୍ଷମ ଓ ବୟୋଜ୍ୟେଷ୍ଠମାନଙ୍କୁ ବୁଥ୍କୁ ଆଣିବା ସକାଶେ ଇ-ରିକ୍ସାରେ ଯିବା ପାଇଁ  ପରାମର୍ଶ ଦିଆଯାଇଛି । ମହାନଗର ନିଗମ, ଧନକଉଡ଼ା, ମାନେଶ୍ୱର, ରେଙ୍ଗାଲି ଓ ଯୁଯୋମୁରା ବ୍ଲକ୍ର ଇ-ରିକ୍ସା ହିତାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।   ଇ-ରିକ୍ସାରେ ଭୋଟର ସଚେତନତା ପାଇଁ ପୋଷ୍ଟର ଲଗାଯାଇଛି । ଏଥିରେ ସହଯୋଗ କରିବାକୁ  ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ କାର୍ଯ୍ୟାଳୟ ପକ୍ଷରୁ ନିଆଯାଇଥିବା ଓ ଅଭିନବ ପଦକ୍ଷେପ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । ସର୍ବବୃହତ୍ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସେବାକୁ ଉଦାହରଣ ଭାବେ ଉପସ୍ଥାପନ କରିବା ଉଦେ୍ଦଶ୍ୟରେ ଇ-ରିକ୍ସା ହିତାଧିକାରୀମାନେ ସାମିଲ୍ ହୋଇଛନ୍ତି । ଇ-ରିକ୍ସାରେ ଉକ୍ତ ବର୍ଗର ଭୋଟରମାନଙ୍କୁ ଭୋଟ କେନ୍ଦ୍ରକୁ ନେବା ଆଣିବା କାର୍ଯ୍ୟର ତଦାରଖ ସକାଶେ ଏକ ଷ୍ଟିଅରିଂ କମିଟି ଗଠନ କରାଯାଇଛି । ମହାନଗର ନିଗମ ଉପକମିଶନର ସବିତା କୁଲୁ, ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦ, ଜିଆଇସି ଗୁରୁପ୍ରସାଦ ଭୋଇ,  ହରପ୍ରସାଦ ପ୍ରଧାନ, ଆଇଇ ସଂଯୋଜକ ଅରୁଣ କୁମାର ଦାଶ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚେତାବନୀ ବଡ଼ାଇକ୍ ପ୍ରମୁଖ ଉପସ୍ଥିତ ରହି ଆଗାମୀ ସାଧାରଣ ନିର୍ବାଚନ ପାଇଁ ଧାର୍ଯ୍ୟ ନିୟମ ସମ୍ପର୍କରେ ଆଲୋକପାତ କରିଥିଲେ । ଶିବିରକୁ ଆଞ୍ଚଳିକ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ଅଧିକାରୀ ରବୀନ୍ଦ୍ରନାଥ ଶତପଥୀ ଓ ନୋଡ଼ାଲ ଅଧିକାରୀ ସୁଶେନ୍ ପୁରୋହିତ ପରିଚାଳନା କରିଥିଲେ ।