ଆରବିଆଇ ପ୍ରାକ୍ତନ ଅଧିକାରୀଙ୍କ ପରଲୋକ

ସମ୍ବଲପୁର : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପ୍ରାକ୍ତନ ଅଧିକାରୀ ଡଃ ସୁଶାନ୍ତ କୁମାର କର(୬୧)ଙ୍କ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସ୍ଥାନୀୟ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଲେନ ନିବାସୀ ଶିକ୍ଷାବିତ୍ ସ୍ୱର୍ଗତ ବାଳକୃଷ୍ଣ କରଙ୍କ ପୁଅ ସୁଶାନ୍ତ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ, ଗଙ୍ଗାଧର ମେହେର କଲେଜରେ ପାଠପଢ଼ା ପରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓ ଏମଫିଲ ଏବଂ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେ । ବଲାଙ୍ଗୀର ରାଜେନ୍ଦ୍ର ମହାବିଦ୍ୟାଳୟରେ ସାମୟିକ ଭାବେ ଅଧ୍ୟାପନା ପରେ ସେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ରେ ଯୋଗ ଦେଇ ୨୦୨୩ ମସିହା ଜୁନରେ ପ୍ରିନ୍ସିପାଲ ଚିଫ ଜେନେରାଲ ମ୍ୟାନେଜର (ପିସିଜିଏମ) ଭାବେ ଅବସର ଗ୍ରହଣ କରିଥିଲେ । ଆରବିଆଇରେ ମହାରାଷ୍ଟ୍ରର ବ୍ୟାଙ୍କିଙ୍ଗ ଲୋକପାଳ ଥିବାବେଳେ ସାଇବର ଅପରାଧ ସଚେତନତା ପୁସ୍ତକ ପ୍ରସ୍ତୁତିରେ ତାଙ୍କ ପ୍ରମୁଖ ଭୂମିକା ରହିଥିଲା । ତାଙ୍କ ଗଳ୍ପ ସଂକଳନ ‘ମାନସହଂସ' ସହିତ ଅନେକ ପ୍ରବନ୍ଧ ବିଭିନ୍ନ ଜାତୀୟ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି ।