ଦିଲ୍ଲୀ ନିର୍ବାଚନ : ଶିକ୍ଷାର୍ଥୀଙ୍କ ପାଇଁ ଆମ୍ବେଦର ବୃତ୍ତି ଯୋଜନା
ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନ ଯେତେ ନିକଟ ହେଉଛି, ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ସେତିକି ତତ୍ପରତା ଦେଖିବାକୁ ମିଳୁଛି । କଳେବଳେ କୌଶଳେ ନିଜ ଦଳର ହାତମୁଠା ଟାଣ କରିବାକୁ ପ୍ରମୁଖ ଦଳମାନେ ନିଜ ନିଜର ନିର୍ବାଚନୀ ଇସ୍ତାହାର ପ୍ରସାର କରୁଛନ୍ତି । ଏହିପରି ଭାବେ ଆମ୍ଆଦମୀ ପାର୍ଟି (ଆପ୍) ମଧ୍ୟ ଭୋଟର୍ଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ଦେଇ ଚାଲିଛି । ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ପ୍ରଥମେ ମହିଳା କାର୍ଡ ଖେଳିଥିବା ବେଳେ ସେମାନଙ୍କ ପାଇଁ ମହିଳା ସମ୍ମାନ ଯୋଜନା, ପରେ ବରିଷ୍ଠଙ୍କ ପାଇଁ ସଞ୍ଜୀବନି ଯୋଜନା ଓ ଏବେ ଦଳିତ ଶିକ୍ଷାର୍ଥୀଙ୍କ ପାଇଁ ଆମ୍ବେଦକର ବୃତ୍ତି ଯୋଜନା ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଡ ବିଆର ଆମ୍ବେଦକରଙ୍କ ନାଁରେ ଦଳିତ ଶିକ୍ଷାର୍ଥୀଙ୍କ ପାଇଁ ଏହି ବୃତ୍ତି ଘୋଷଣା କରିଛନ୍ତି କେଜ୍ରିୱାଲ ।
ଏକ ସଭାକାର୍ଯ୍ୟରେ ଯୋଗ ଦେଇ କେଜ୍ରିୱାଲ କହିଛନ୍ତି, ଯଦି ଆପ୍ ଆସନ୍ତା ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ବିଜୟୀ ହୁଏ, ତା’ହେଲେ ସରକାର ବିଦେଶରେ ନାମ ଲେଖାଇଥିବା ଦଳିତ ଶିକ୍ଷାର୍ଥୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବେ । ଅର୍ଥ ଅଭାବରୁ ଦିଲ୍ଲୀର କୌଣସି ଦଳିତ ଶିକ୍ଷାର୍ଥୀ ଯେମିତି ବିଦେଶରେ ପାଠ ପଢ଼ା ଅଧାରୁ ନ ଛାଡିବେ, ତା’ର ବ୍ୟବସ୍ଥା ଆପ୍ କରିବ । ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ ଓ ପଲଟିକାଲ ସାଇନ୍ସ (ଏଲଏସଇ)ରେ ପଢ଼ୁଥିବା ଆମ୍ବେଦକରଙ୍କୁ ଅର୍ଥ ଅଭାବରୁ ଅଧାରେ ପାଠ ବନ୍ଦ କରିବାକୁ ପଡିଥିଲା । ସେ ଘରକୁ ଆସିଥିଲେ ଓ ଟଙ୍କା ଯୋଗାଡ କରିଥିଲେ । ସେ ଏଲ୍ଏସ୍ଇ ଯାଇଥିଲେ ଓ ପୁଣି ନିଜର ଶିକ୍ଷା ଶେଷ କରିଥିଲେ ବୋଲି କେଜ୍ରିୱାଲ କହିଛନ୍ତି । ଏଣୁ ତାଙ୍କରି ଆଦର୍ଶରେ ଏହି ଯୋଜନା ଆରମ୍ଭ କରାଯିବ ବୋଲି ସେ କହିଛନ୍ତି ।