ରାଜ୍ୟସଭାରେ ରାଷ୍ଟ୍ର ମନ୍ତ୍ରୀଙ୍କ ବୟାନ : ୟୁଏଇରେ ୨୫ ଭାରତୀୟଙ୍କୁ ମୃତୁ୍ୟଦଣ୍ଡ
ନୂଆଦିଲ୍ଲୀ : ୟୁଏଇରେ ୨୫ ଭାରତୀୟ ନାଗରିକଙ୍କୁ ମିଳିଛି ମୃତୁ୍ୟଦଣ୍ଡ । ଖାଲି ୟୁଏଇ ନୁହେଁ ଏହାବାଦ ସାଉଦିଆରବରେ ୧୧, ମାଲେସିଆରେ ୬, କୁଏତରେ ୩ ଏବଂ ଇଣ୍ଡୋନେସିଆ, କତର୍, ଆମେରିକା ଓ ୟେମେନ୍ରେ ଜଣେ ଲେଖାଏଁ ଭାରତୀୟଙ୍କୁ ମୃତୁ୍ୟଦଣ୍ଡ ମିଳିଛି । ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଏହା ପ୍ରକାଶ କରିଛନ୍ତି ବର୍ହିବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀବର୍ଦ୍ଧନ ସିଂ । ତେବେ ଏମାନଙ୍କୁ ମୃତୁ୍ୟଦଣ୍ଡ ଦିଆଯାଇଥିଲେ ମଧ୍ୟ ମୃତୁ୍ୟଦଣ୍ଡ ପାଇଁ ସେମାନଙ୍କ ତାରିଖ ଘୋଷଣା କରାଯାଇନାହିଁ । ଏ ଦିଗପ୍ରତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ମୃତୁ୍ୟଦଣ୍ଡ ପ୍ରାପ୍ତ ବ୍ୟକ୍ତିଙ୍କ ପରିବାର ପ୍ରତି ଯୋଗାଯୋଗ ରହି ରାଷ୍ଟ୍ରଦୂତଙ୍କ ସହାୟତାରେ ସମସ୍ତ ସହାୟତା ଯୋଗାଯାଉଛି ବୋଲି ଶ୍ରୀ ସିଂ କହିଥିଲେ । ସେହିପରି ବିଭିନ୍ନ ବିଦେଶୀ ଜେଲ୍ରେ ୧୦୧୫୨ ଜଣ ଭାରତୀୟ ନାଗରିକ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ଦଣ୍ଡ ଭୋଗୁଥିବା ସେ ସୂଚନା ଦେଇଥିବା ବେଳେ ସେମାନଙ୍କ ପାଇଁ ଭାରତ ସରକାର ସର୍ବଦା ଲଢ଼ୁଛନ୍ତି ଏବଂ ଏହି ଲଢ଼େଇ ଜାରି ରହିଛି ବୋଲି ସେ କହିଛନ୍ତି ।
ଏହାସହ ଶ୍ରୀ ସିଂ କହିଥିଲେ ଯେ, ବିଗତ ୫ ବର୍ଷ ମଧ୍ୟରେ ମାଲେସିଆ, କୁଏତ, କତର୍ ଏବଂ ସାଉଦିଆରବରେ ଅନେକ ଭାରତୀୟ ନାଗରିକ ମୃତୁ୍ୟଦଣ୍ଡ ପାଇସାରିଛନ୍ତି । ଏହିକ୍ରମରେ ୨୦୨୪ରେ କୁଏତ୍ ଓ ସାଉଦିଆରବରେ ୩ଜଣ, ଜିମ୍ବାୱେରେ ଜଣେ, ୨୦୨୩ରେ ସେଇ କୁଏତ୍ ଓ ସାଉଦିଆରବରେ ୫ଜଣ ଏବଂ ମାଲେସିଆରେ ଜଣଙ୍କୁ ମୃତୁ୍ୟଦଣ୍ଡ ଦିଆଯାଇସାରିଛି ।