ବିଜେପିରେ ମିଶିଲେ ବିଜେଡି ନେତ୍ରୀ

ବିଜେପିରେ ମିଶିଲେ ବିଜେଡି ନେତ୍ରୀ

ଭୁବନେଶ୍ୱର:   ଅନ୍ତର୍ଜାତୀୟ ସ୍ତରରେ ଜଣାଶୁଣା ସମାଜସେବୀ ତଥା ପୋଲସରା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତ୍ରୀ, କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ରର ପର୍ୟ୍ୟବେକ୍ଷକ ଆରତୀ ଦେବୀ ବିଜେଡି ଛାଡି ବିଜେପିର ଯୋଗ ଦେଇଛନ୍ତି । ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଗତକାଲି ସେ ବିଜେପିରେ ସାମିଲ ହୋଇଥିବା ବେଳେ କଂଗ୍ରେସ ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଯୁବ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଅଜିତ୍ ବାରିକ ମଧ୍ୟ ଦଳରେ ସାମିଲ ହୋଇଥିଲେ ।

ଆରତୀ ଦେବୀ ପ୍ରତିକ୍ରିୟାରେ କହିଛନ୍ତି, ''ମୁଁ ମୋ କାମ ମାଧ୍ୟମରେ ପୋଲସରାଠୁ ସଂସଦ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ନାମକୁ ପରିଚିତ କରିଛି । ଦେଶର ସର୍ବକନିଷ୍ଠ ସରପଞ୍ଚ ଭାବେ ଅନେକ କାର୍ୟ୍ୟ କରିବା ସହ ନାରୀ ସଶକ୍ତିକରଣର ନିଆରା କାର୍ୟ୍ୟଧାରାକୁ ନେଇ ସାରା ବିଶ୍ୱରେ ପରିଗଣିତ ହୋଇଛି । ସବୁଠାରୁ ବଡ କଥା ହେଉଛି ମୁଁ ଜଣେ ଶୃଙ୍ଖଳିତ କର୍ମୀ ଭାବେ ବିଜେଡିରେ ନିରନ୍ତର ୧୨ ବର୍ଷ ହେବ କାମ କରିଛି । ଦାୟିତ୍ୱ ଯାହା ମିଳିଛି କରିଛି । ଶୃଙ୍ଖଳିତ କର୍ମୀ ଭାବେ କାମ କରି ପୋଲସରରୁ ବିଧାୟକ ପାର୍ଥୀ ଭାବେ ଆଶାୟୀ ଥାଇ ମଧ୍ୟ ମୋତେ ଦଳ ଅଣଦେଖା କରିଛି । ଦଳ ପ୍ରତିଶୃତି ଦେଇ ପ୍ରତାରଣା ଓ ଵିଶ୍ଵାସଘାତ କରିଛି । ମହିଳା ସଶକ୍ତିକରଣ ନାଁରେ ମହିଳାଙ୍କୁ ଠକୁଛନ୍ତି । ଯେହେତୁ ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ ତେଣୁ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟଧାର ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ଛାଡି ଆଜି ବିଜେପିରେ ମିଶିଛି । ଆଗକୁ ମୋଦିଙ୍କ କାର୍ୟ୍ୟଧାରା ସହ ଦଳ ପାଇଁ କାମ କରିବି । ''