ଚଳିତ ବର୍ଷ ହୋଇପାରେ ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ୱର: ଛାତ୍ରନେତାରୁ ରାଜନେତା ହେବା ପ୍ରକ୍ରିୟା ଗତ ୬ବର୍ଷ ଧରି ବନ୍ଦ ରହିଛି। ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର କ୍ଷମତାକୁ ଆସିଛି। ତେବେ ବିରୋଧୀ ଦଳରେ ଥିବାବେଳେ ଏହାକୁ ନେଇ ଭାଜପା ଓ କଂଗ୍ରେସ ତୀବ୍ର ବିରୋଧ କରି ଆସୁଥିଲେ। ଏବେ କ୍ଷମତା କଡ଼ ଲେଉଟାଇଛି ଏବଂ ଶାସନ ଡୋର ମୋହନ ମାଝିଙ୍କ ପାଖକୁ ଆସିଛି। ନିକଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜଙ୍କ ବୟାନ ସାମ୍ନାକୁ ଆସିଛି। ଯେଉଁଥିରେ ସେ କହିଛନ୍ତି, ‘ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇପାରେ’। ଏନେଇ ଗଣମାଧ୍ୟମକୁ ସୂଚନା ମଧ୍ୟ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ‘ନିର୍ବାଚନ ମାଧ୍ୟମରେ କ୍ୟାମ୍ପସରେ ଛାତ୍ର ସଂସଦ ଗଠନ କରାଯିବା ଦରକାର। ଯେକୌଣସି ଦଳର ସମର୍ଥିତ ପ୍ରାର୍ଥୀ ଜିତନ୍ତୁ ନା କାହିଁକି, ଏହାଦ୍ୱାରା ନୂଆ ଯୁବ ନେତୃତ୍ୱ ସୃଷ୍ଟି ହୋଇଥା’ନ୍ତି। ତେଣୁ ରାଜ୍ୟ ସରକାର ଏ ବିଷୟକୁ ଗୁରୁତ୍ୱର ସହ ବିଚାର କରୁଛନ୍ତି। ଶୃଙ୍ଖଳାର ସହ କିଭଳି ନିର୍ବାଚନ ହେବ ସେନେଇ ନୀତିଗତ ନିଷ୍ପତ୍ତି ହେବା ପରେ ଜଣାଇ ଦିଆଯିବ’ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି। ଅର୍ଥାତ୍ ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ହେଉଛି ଯେ, ସରକାର ଛାତ୍ର ସଂସଦ ନିର୍ବାଚନ କରାଇବା ଦିଗରେ ତତ୍ପର ଅଛନ୍ତି।
ସୂଚନାଥାଉ କି, ରାଜ୍ୟରେ ଶେଷଥର ପାଇଁ ୨୦୧୭ରେ ନିର୍ବାଚନ ହୋଇଥିଲା। ତେବେ ସବୁବର୍ଷ ପରି ଗତବର୍ଷ ମଧ୍ୟ ଛାତ୍ର ନିର୍ବାଚନ ପାଇଁ ଦାବି କରାଯାଇଥିଲା। ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ୨୦୨୩-୨୪ ଶିକ୍ଷାବର୍ଷର କ୍ୟାଲେଣ୍ଡରରେ ନିର୍ବାଚନ ନେଇ କୌଣସି ସୂଚନା ଜାରି କରାଯାଇ ନ ଥିଲା। ଯାହାକୁ ନେଇ ଛାତ୍ର ସଂଗଠନ ଦ୍ୱାରା ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଏଥିସହ ବିଭିନ୍ନ କଲେଜରେ ଅସନ୍ତୋଷ ଦେଖା ଦେଇଥିଲା। ଫଳସ୍ବରପ ଛାତ୍ରନେତାମାନେ ପୂର୍ବତନ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଘରକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ବି କୌଣସି ଫଳାଫଳ ଦେଖିବାକୁ ମିଳି ନ ଥିଲା। କିନ୍ତୁ ଏବେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ସମ୍ଭବତଃ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।