ଖାଲଖମାରେ ଭର୍ତ୍ତି ବାଲିଭଉଁରୀ-ନାଉଗାଁ ଶିଖରଘାଟ ରାସ୍ତା

 ନାଉଗାଁ: ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଯିବା ନିମନ୍ତେ ମୁଖ୍ୟ ରାସ୍ତା ବାଲିଭଉଁରୀ ରୁ ନାଉଗାଁ, ଶିଖରଘାଟ ଓ ନୂଆହାଟ ସଂଯୋଗ କରୁଥିବା ରାଜ୍ୟ ରାଜପଥ ଅଟେ । ଉକ୍ତ ରାସ୍ତା ଟିରେ ଅନେକ ସ୍ଥାନରେ ଖାଲଖମା ଯୋଗୁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି । ଆହୁରି ଯନ୍ତ୍ରଣାର କଥା ଉକ୍ତ ରାସ୍ତାଟିରେ ଯାତ୍ରୀମାନଙ୍କ ଯାତାୟାତ ସମୟରେ ଅନେକ ସ୍ଥାନରେ ବଜାର ଯାମ ଯୋଗୁ ପୁରୀ, କୋଣାର୍କ, କାକଟପୁର, ପାରାଦ୍ୱୀପ ଓ ଜଗତସିଂହପୁର ଯାଉଥିବା ଯାତ୍ରୀ ମାନେ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ବହୁ ଦିନ ଧରି ରାସ୍ତାର ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ସ୍ଥାନେ ସ୍ଥାନେ ଖାଲଖମା ଯୋଗୁଁ ଯାତ୍ରୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହି ରାସ୍ତା ଦେଇ ପୁରୀ ଓ କୋଣାର୍କ ଭଳି ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀକୁ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ହଜାର ହଜାର ଲୋକ ନିର୍ଭର ଥିବା ବେଳେ, ପୁରୀ ଜିଲ୍ଲାରୁ ଲୋକମାନେ ପାରାଦ୍ୱୀପ ଓ ଜଗତସିଂହପୁର ଯିବାକୁ ଏହି ରାସ୍ତା ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି । ଏହି ରାସ୍ତାରେ ପ୍ରତ୍ୟହ ହଜାର ହାଜର ସଂଖ୍ୟାରେ ପର୍ଯ୍ୟଟକ ମାନେ ଯାତାୟାତ କରିଥାନ୍ତି । ଅନେକ ସମୟରେ ରାସ୍ତାଜାମ ସମସ୍ୟା ଦ୍ୱାରା ସାଧାରଣ ଲୋକ, ସ୍କୁଲ କଲେଜ ଛାତ୍ରଛାତ୍ରୀ, ରୋଗୀ ଓ ଆମ୍ବୁଲାନ୍ସ ଆଦି ଠିକଣା ସମୟରେ ପହଞ୍ଚିବାରେ ବିଳମ୍ବ ହୋଇଥାଏ । ଉକ୍ତ ରାସ୍ତାଟି ଜଗତସିଂହପୁର ଜିଲ୍ଲା ପୁର୍ତ୍ତ ବିଭାଗ ଅଧୀନରେ ରହିଛି  । ମୁଖ୍ୟ ସମସ୍ୟା ମଧ୍ୟରେ ଉକ୍ତ ରାସ୍ତାରେ ନାଉଗାଁ ବଜାର, ଅଲଣାହାଟ ବଜାର, ମୁଣ୍ଡାଳ ବଜାର ଆଦିରେ ସ୍ଥାନରେ ଅଣଓସାରିଆ ଏବଂ ବଜାର ଆସୁଥିବା ଲୋକ ମାନେ ଗାଡିକୁ ରାସ୍ତା ଉପରେ ରଖିବାରୁ ଭିଡ ହୋଇଥାଏ ଏବଂ ଯାତ୍ରୀଙ୍କୁ ଯାତାୟାତ କରିବା ନିମନ୍ତେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଶିଖର ଘାଟରୁ ନାଉଗାଁ ପର୍ଯ୍ୟନ୍ତ ରାସ୍ତାରେ ଅନେକ ଖାଲଖମାରେ ପରିପୂର୍ଣ୍ଣ । ନାଉଗାଁ ବଜାରରୁ ବ୍ଲକ୍ଛକ ପର୍ଯ୍ୟନ୍ତ ରାସ୍ତାଟି ପୁରୁଣା ଅବସ୍ଥାରେ ରହିଥିବା ବେଳେ, ନୂତନ ରାସ୍ତା ସହ ଆଜି ପର୍ଯ୍ୟନ୍ତ ପ୍ରଶସ୍ଥ ହୋଇ ପାରିନାହିଁ । ଏବେ ପୁରୀ ରଥ ଯାତ୍ରା ଚାଲିଥିବାରୁ ଏହି ରାସ୍ତାଦେଇ ରଥଯାତ୍ରା ଦେଖିବାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ  ଯାତାୟାତ କରୁଛନ୍ତି । ଏନେଇ ଅଞ୍ଚଳବାସୀ ଉକ୍ତ ରାସ୍ତାକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରିବା ସହିତ ଆଗାମୀ ଦିନରେ ଜିଲ୍ଲାର ଏହି ମୁଖ୍ୟ ରାସ୍ତାକୁ ଦୁଇଗୁଣ ପ୍ରସସ୍ଥ କରି ଜବର ଦଖଲକାରିଙ୍କୁ ଉଚ୍ଛେଦ କରିବାକୁ ଦାବି କରିଛନ୍ତି । ଅନ୍ୟଥା ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବାକୁ କହିଛନ୍ତି ।